ମେଗା ଜଳସେଚନ ପ୍ରକଳ୍ପ ପାଇପ୍ ରାଜରାସ୍ତାରେ

ବଡ଼ସାହି : ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକରେ ନିର୍ମାଣାଧୀନ ମେଗା ଜଳସେଚନ ପ୍ରକଳ୍ପକୁ ନେଇ ଭାରି ଜନଅସନ୍ତୋଷ ଆରମ୍ଭ ହୋଇଛି । ଜଳସମ୍ପଦ ବିଭାଗ ପକ୍ଷରୁ ୧୪ଶହ କୋଟି ଟଙ୍କା ବ୍ୟୟ ଅଟକଳରେ ବଡ଼ସାହି ବ୍ଲକର ବୁଢ଼ାବଳଙ୍ଗ ଓ ଗଙ୍ଗାହାର ନଦୀରେ ୪ଟି ମେଗା ଜଳସେଚନ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଛି । ଦକ୍ଷିଣ ଭାରତର ଏକ ସଂସ୍ଥା ସମସ୍ତ ପ୍ରକଳ୍ପ ଟେଣ୍ଡର ମାଧ୍ୟମରେ କରିବା ପାଇଁ ଚୁକ୍ତିନାମା କରିଛି । ତେବେ ଏହି ସଂସ୍ଥା ପ୍ରକଳ୍ପର ବିଭିନ୍ନ କାର୍ଯ୍ୟ ଏଠାକାର ଛୋଟଛୋଟ ଠିକାଦାରଙ୍କ ଦ୍ୱାରା କରାଉଛି। ଯାହା ପାଇଁ ଜନଅସନ୍ତୋଷ ବଢ଼ିବାରେ ଲାଗିଛି । ୨ବର୍ଷ ଧରି ମନ୍ଥର ଗତିରେ ପ୍ରକଳ୍ପ କାର୍ଯ୍ୟ ପାଇଁ ଚାଷୀଙ୍କ ଠାରୁ ସାଧାରଣ ଲୋକେ ମଧ୍ୟ ବର୍ତ୍ତମାନ ହଇରାଣ ହେଉଛନ୍ତି। ଏକ ନର୍ଦ୍ଦିଷ୍ଟ ସ୍ଥାନରେ ଠିକା କମ୍ପାନୀ ୱାର୍କଷ୍ଟୋର ନକରି ବ୍ଲକର ମାନଗୋବିନ୍ଦପୁର ଠାରୁ ଆରମ୍ଭ କରି ମାଣତ୍ରୀ, ବଦଳିଗାଁ, ବଡ଼ସାହି ଓ ବେଲପାଳ ରାସ୍ତାପାର୍ଶ୍ବରେ ବିପଦ ଜନକ ଭାବେ ବଡ଼ବଡ଼ ପାଇପ ଗଦା କରିଛି। ଅନ୍ୟ ପକ୍ଷରେ ଚାଷୀଙ୍କ ବିଲରେ ଗାତ ଖୋଳି କୋଉଠି ପାଇପ ଭର୍ତ୍ତି କରାଯାଇଛି ତ କୋଉଠି ଖାଲି ଛାଡ଼ି ଦଆଯାଇଛି। ଯାହାକି ପରବର୍ତ୍ତୀ ସମୟରେ ଧନଜୀବନ ହାନିର ସମ୍ଭାବନା ଆଣିଛି। ବିଗତ ଦୁଇଦିନ ଧରି ବଡ଼ସାହି-ବେତନଟୀ ରାସ୍ତାର ଦନିଆବେଡ଼ା ଛକ ପୂର୍ବରୁ ରାସ୍ତା ପାର୍ଶ୍ବରେ ଥିବା ବଡ଼ ପାଇପ ଖସି ରାସ୍ତା ଉପରେ ପଡ଼ିରହିଥିଲେ ହେଁ କାହାରି ନିଘା ନାହିଁ । ଠିକାଦାରଙ୍କ ସମ୍ପର୍କରେ ସ୍ଥାନୀୟ ଲୋକେ ମଧ୍ୟ ଅଜ୍ଞ ଥିବାରୁ ଅଭିଯୋଗ କରିପାରୁ ନାହାନ୍ତି । ଦକ୍ଷିଣ ଭାରତର ଏହି ସଂସ୍ଥା ଚତୁରତାର ସହିତ ନିଜର କାର୍ଯ୍ୟାଳୟ ବାରିପଦାରେ କରିଛନ୍ତି । ପ୍ରଶାସନ କିମ୍ବା ପୁଲିସ୍‍ ଏଦିଗରେ ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବି ହେଉଛି ।

Comments are closed.