କଇଁମୁଣ୍ଡି ଗ୍ରାମରେ ମେଗା ସ୍ୱାସ୍ଥ୍ୟ ଶିବିର

ବାଙ୍କୀ : ଡମପଡା ବ୍ଲକ ଅଧିନ ପାଥପୁର ପଞ୍ଚାୟତର କଇଁମୁଣ୍ଡି ଗ୍ରାମ ଠାରେ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଏକ ମେଗା ସ୍ୱାସ୍ଥ୍ୟ ଶିବିର ରବିବାର ଦିନ ସ୍ଥାନୀୟ ଚାରି ଘରିଆ ସରକାରୀ ଇନ୍ଦିରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଗ୍ରାମାଞ୍ଚଳରେ ଗରୀବ ଜନସାଧାରଣଙ୍କୁ ମାଗଣାରେ ସ୍ୱାସ୍ଥ୍ୟ ସେବା ଶିବିର ମାଧ୍ୟମରେ ଯୋଗାଇଦେବା ନିମନ୍ତେ ରାଜ୍ୟ ସରକାରଙ୍କର ଏକ ଅଭିନବ ପ୍ରୟାସ ବୋଲି ଶିବିରରେ ମତ ପ୍ରକାଶ ପାଇଛି । ବାଙ୍କୀ ବିଧାୟକ ଦେବୀରଂଜନ ତ୍ରିପାଠୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମେଗା ସ୍ୱାସ୍ଥ୍ୟ ଶିବିରକୁ ଉଦଘାଟନ କରି ଶିବିର ପରିଦର୍ଶନ କରିଥିଲେ । କାର୍ଯ୍ୟକ୍ରମରେ ବିଜୁ ଯୁବ ଛାତ୍ର ଜନତା ଦଳର ସଦସ୍ୟ ମାନେ ଉପସ୍ଥିତ ରହି ଶିବିରକୁ ପରିଚାଳନା କରିଥିଲେ । ବିଜୁ ଯୁବ ଛାତ୍ର ଜନତା ଦଳର ଜିଲ୍ଲା ସ୍ତରୀୟ ପ୍ରତିନିଧି ମାନେ ଉପସ୍ଥିତ ଥିଲେ। କଟକ ଓ ଭୂବନେଶ୍ୱରରୁ ବହୁ ଅଭିଜ୍ଞ ଡାକ୍ତର ସେବା ମୂଳକ କାର୍ଯ୍ୟରେ ସାମିଲ ରହି ରୋଗୀଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ପ୍ରାୟ ଆଖପାଖର ୫୦୦ରୁ ଅଧିକ ରୋଗୀ ମାଗଣା ଚିକିତ୍ସା ସେବା ପାଇଛନ୍ତି । ଡମପଡା ବ୍ଲକ ବିଜୁ ଯୁବ ଜନତା ଦଳର ସଭାପତି ଭାଗିରଥୀ ପାଣି, ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ ପ୍ରମୁଖ ଉପସ୍ଥିତ ଥିଲେ । ସମାଜସେବୀ ନରେନ୍ଦ୍ର ସାହୁ, ପାଥପୁର ସରପଞ୍ଚଙ୍କ ପ୍ରତିନିଧି ଦିଷ୍ମନ୍ତ ସାହୁ ଏବଂ ପାଥପୁର ପଞ୍ଚାୟତର ବିଜୁ ଜନତା ଦଳ ଓ ଛାତ୍ର ଜନତା ଦଳର ସଦସ୍ୟ ଓ ପଦାଧିକାରୀ ମାନେ ଯୋଗଦେଇ ସ୍ୱାସ୍ଥ୍ୟ ଶିବିରକୁ ସଫଳ କରାଇଛନ୍ତି ।

Comments are closed.