ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ

ଭୁବନେଶ୍ବର :  ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅନ୍ତର୍ଗତ ଆଂଚଳିକ ଜନସମ୍ପର୍କ ବ୍ୟୁରୋ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ ଭୁବନେଶ୍ୱରର ଚକେଇଶିଆଣିସ୍ଥିତ ଡି.ଏନ କ୍ଲବ ପଡିଆରେ ଏକ ତିନିଦିନିଆ ଜନ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।

ଗୁରୁବାର ଭୁବନେଶ୍ୱର ଲୋକସଭା ସାଂସଦ ଅପରାଜିତା ଷଡଙ୍ଗୀ ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି।
ଏହି ଅବସରରେ ଶ୍ରୀମତୀ ଷଡଙ୍ଗୀ କହିଥିଲେ ଯେ, ଜନକଲ୍ୟାଣ ଉପରେ ପର୍ଯ୍ୟବସିତ ୩୬ଟି ବିଲ ପାସ ହେବା ଭାରତୀୟ ସଂସଦୀୟ ଇତିହାସରେ ଏକ ସର୍ବକାଳୀନ ରେକର୍ଡ। ତିନି ତଲାକ ଠାରୁ ଆରମ୍ଭ କରି ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଭଳି ଐତିହାସିକ ଘଟଣାବଳୀ ଉପରେ ଆଧାରିତ ତିନିଦିନିଆ ପ୍ରଦର୍ଶନୀ ଆବାଳ ବୃଦ୍ଧବନିତାଙ୍କୁ ସଚେତନ କରାଇବାରେ ସହାୟକ ହେବ। ସେ ଦୃଷ୍ଟିରୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧିନସ୍ଥ ଆଞ୍ଚଳିକ ଲୋକସମ୍ପର୍କ ବ୍ୟୁରୋର ପ୍ରୟାସ ଅଭିନନ୍ଦନୀୟ। ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ କାର୍ଯ୍ୟକ୍ରମ ଜନସାଧାରଣଙ୍କ ଆକୁଣ୍ଠ ସହଯୋଗ ଓ ସମର୍ଥନ ବଳରେ ହିଁ ସମ୍ଭବ ହୋଇପାରିବ
ବୋଲି ସେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବିଶିଷ୍ଟ ସାହିତ୍ୟିକ ତଥା ବୁଦ୍ଧିଜିବୀ ହରପ୍ରସାଦ ଦାସ କହିଥିଲେ ଯେ, ସ୍ୱାଧୀନତା ପରେ ଦେଶୀୟ ରାଜ୍ୟଗୁଡିକୁ ଭାରତବର୍ଷରେ ମିଶାଇବା ପାଇଁ ସର୍ଦ୍ଦାର ପଟେଲଙ୍କର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ରହିଥିଲା। ଲୌହମାନବଙ୍କ ତ୍ୱରିତ ଓ କଠୋର ନିଷ୍ପତି ଯୋଗୁଁ ସମଗ୍ର ଦେଶରୁ ପ୍ରାୟ ୫୦୦ରୁ ଅଧିକ ଓ ଓଡିଶାର ୨୬ଟି ଗଡଜାତ ଅଞ୍ଚଳ ଦେଶରେ ସାମିଲ ହୋଇପାରିଥିଲା। ଜାତୀୟ ଐକ୍ୟ, ଉତ୍ପାଦକତା ଭଳି ବିଷୟଗୁଡିକ ଉପରେ ପ୍ରାଧାନ୍ୟ ଦେଇ ସର୍ଦ୍ଦାର ପଟେଲ ଗଭୀର ସ୍ପର୍ଦ୍ଧାର ପ୍ରତୀକ ହୋଇପାରିଛନ୍ତି ବୋଲି ଶ୍ରୀ ଦାସ ପ୍ରକାଶ କରିଥିଲେ।
ଆଞ୍ଚଳିକ ଲୋକସମ୍ପର୍କ ବ୍ୟୁରୋର ନିର୍ଦ୍ଦେଶକ  ଅଖିଳ କୁମାର ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ସମାରୋହରେ ପାଂଚ ନମ୍ବର ୱାର୍ଡର କର୍ପୋରେଟର  ନିର୍ମଳ ରାଉତ, ଉତର ଭୁବନେଶ୍ୱରର ସାଂସଦ ପ୍ରତିନିଧି ଦେବାଶିଷ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।


ଏହି ଅବସରରେ ଏକତା ଦୌଡର ଆୟୋଜନ କରାଯାଇଥିଲା। ଏହି ତିନିଦିନିଆ ସମାରୋହରେ ରାଷ୍ଟ୍ରୀୟ ଏକତା ଦିବସ ଏବଂ କେନ୍ଦ୍ର ସରକାରଙ୍କ ପ୍ରମୁଖ ଯୋଜନା ସମ୍ପର୍କିତ ଏକ ବିଶାଳ ମଲ୍ଟିମିଡିଆ ପ୍ରଦର୍ଶନୀର ଆୟୋଜନ କରାଯାଇଛି। ଏହି ପ୍ରଦର୍ଶନୀ ପ୍ରତ୍ୟହ ସକାଳ ୧୧ଟାରୁ ସନ୍ଧ୍ୟା ୬.୩୦ ପର୍ଯ୍ୟନ୍ତ ଖୋଲା ରହିବ। ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଗୀତ ଓ ନାଟକ ବିଭାଗର
କଳାକାରମାନଙ୍କ ଦ୍ୱାରା ବିଭିନ୍ନ ସୂଚନା ଭିତିକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ।

Comments are closed.