ପରୀକ୍ଷାର୍ଥିଙ୍କ ସଫଳତା ପାଇଁ ବୈଠକ ‘ମାନସ ମନ୍ଥନ’

ନର୍ଲା : ଆଗକୁ ମାଟ୍ରିକ୍ ପରୀକ୍ଷା। ପରୀକ୍ଷାର୍ଥିଙ୍କ ପାଇଁ ଆଉ ୪୪ ଦିନ ବାକି ରହିଥିବା ବେଳେ କୋଭିଡ୍-୧୯ ସଂକ୍ରମଣ ପାଇଁ ଛାତ୍ରଛାତ୍ରୀ ଅଧ୍ୟୟନ ଜନିତ ବହୁ ସମସ୍ୟା ଭୋଗିଛନ୍ତି । ବ୍ଲକର ଛାତ୍ରଛାତ୍ରୀ କିପରି ଏହି ପରୀକ୍ଷାରେ ସଫଳ ହୋଇପାରିବେ ଏହାକୁ ଦୃଷ୍ଟିରେ ଆଜି ନର୍ଲା ବ୍ଲକ ଶିକ୍ଷାଧିକାରୀ ନିରୁପମା ଦୋରାଙ୍କ ନେତୃତ୍ୱରେ ବ୍ଲକ ସାଧନ କେନ୍ଦ୍ରରେ ଏକ ମାନସ ମନ୍ଥନ ବୈଠକ ଅନୁଷ୍ଠିତ ହୋଇଥିଲା। ବିଇଓ ଶ୍ରୀମତି ଦୋରାଙ୍କ ନେତୃତ୍ୱରେ ଏକ ୮ ଜଣିଆଁ ଟାକ୍ସ ଟିମ୍ ଗଠନ କରାଯାଇଅଛି। ସେମାନେ ନିକଟବର୍ତୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସହ ମିଶି କାର୍ୟ୍ୟ କରିବେ। ଏହାସହିତ ପରୀକ୍ଷାର୍ଥିଙ୍କୁ ନିଜର ପ୍ରସ୍ତୁତି ସ୍ୱରୁପ ନୈତିକ ଶିକ୍ଷା,ମାନସିକ ଚାପ ହ୍ରାସ,ମନରେ ଉତ୍ସାହ ଓ ସକରାତ୍ମକ ଭାବନା ସୃଷ୍ଟି ପାଇଁ ଦଳ ଗଠନ କରି ପ୍ରତ୍ୟେକ ବିଦ୍ୟାଳୟକୁ ଯିବା ପାଇଁ ନିଷ୍ପତି ହୋଇଥିବା ଜଣାପଡିଅଛି। ଶିକ୍ଷଣସ୍ତର ଅନୁଯାୟୀ ଛାତ୍ରଛାତ୍ରୀଙ୍କୁ ୩ ଭାଗରେ ବିଭକ୍ତ କରି ଶିକ୍ଷାଦାନ,ପ୍ରତ୍ୟେକ ଶିକ୍ଷକ ୧୦ଜଣ ଲେଖାଏଁ ପରୀକ୍ଷାର୍ଥିଙ୍କୁ ଅଧିଗ୍ରହଣ ଓ ବିଦ୍ୟାଳୟକୁ ଆଦୌ ଆସୁନଥିବା ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନେବା ପାଇଁ ଏହି ବୈଠକରେ ଆଲୋଚନା ହୋଇଥିଲା। ଏହା ବ୍ୟତୀତ ଶିକ୍ଷା ଦର୍ପଣ,ପରୀକ୍ଷା ଦର୍ପଣ,ନର୍ଲା ଶିକ୍ଷା ବିଭାଗ ତରଫରୁ ପ୍ରସ୍ତୁତ ଡିଜିଟାଲ୍ କନ୍ଟେଂଟ୍ ର ବ୍ୟାପକ ବ୍ୟବହାର ପାଇଁ ପ୍ରସ୍ତାବ ଅଣାଯାଇଥିଲା। ଆଗାମୀ ଦିନରେ ସମସ୍ତ ପ୍ରଧାନ ଶିକ୍ଷକ ମାନଙ୍କୁ ନେଇ ହେବାକୁ ଥିବା ବୈଠକରେ ଆଲୋଚନା କରି ପଦକ୍ଷେପ ନିଆଯିବ ବୋଲି ବିଇଓ ପ୍ରକାଶ କରିଥିଲେ। ଏହି କାର୍ୟ୍ୟକ୍ରମରେ ଶ୍ରୀମତି ଅର୍ଚ୍ଚନା ଦାଶ,କିଶୋର କୁମାର ସାହୁ,ରମାକାନ୍ତ ଦାସ,ବୃନ୍ଦାବନ ପଧାନ,ସାରଙ୍ଗଧର ଠାକୁର,ମୃତ୍ୟୁଞ୍ଜୟ ବେହେରା,ସନ୍ତୋଷ କୁମାର କର ପ୍ରମୁଖ ଯୋଗଦେଇ ନିଜନିଜର ମୂଲ୍ୟବାନ ମତପୋଷଣ କରିଥିଲେ।

Comments are closed.