ସରକାର ଅନୁମତି ନଦେଲା ପର୍ଯ୍ୟନ୍ତ ବନ୍ଦ ରହିବ ଧର୍ମାନୁଷ୍ଠାନ, ଦଶହରା ପୂଜା ନିରାଡମ୍ବର ଭାବେ ପାଳନ ହେବ

ବୌଦ୍ଧ : କରୋନା ମହାମାରୀ ଯୋଗୁଁ ସରକାରୀ ନିର୍ଦ୍ଦେଶନାମା ମୁତାବକ ଦୀର୍ଘମାସ ହେଲା ବୌଦ୍ଧଜିଲାର ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ରହିଛି। ସେହିପରି ଏହି ସମୟ ମଧ୍ୟରେ ସମସ୍ତ ପର୍ବପର୍ବାଣୀକୁ ନିରାଡମ୍ବର ଭାବରେ କେବଳ ବିଧି ମୁତାବକ ପାଳନ କରାଯାଇଆସିଛି। ଆଗକୁ ଦଶହରା ପର୍ବ ସହିତ ପବିତ୍ର କାର୍ତ୍ତିକମାସ ଆସୁଥିବାବେଳେ ଧର୍ମାନୁଷ୍ଠାନ ଗୁଡିକ ଖୋଲିବା ନେଇ ସରକାରଙ୍କ ଉପରେ ଚାପ ବଢିବାରେ ଲାଗିଛି। ବୌଦ୍ଧଜିଲା ପ୍ରଶାସନ ପକ୍ଷରୁ ଜିଲ୍ଳାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲାର ବିଭିନ୍ନ ଧର୍ମାନୁଷ୍ଠାନର କର୍ମକର୍ତ୍ତାଙ୍କୁ ନେଇ ଏକ ଗୁରୁତ୍ୱପୁର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୌଦ୍ଧ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଆୟୋଜିତ ଏହି ବୈଠକରେ ଜିଲାରେ ଧର୍ମାନୁଷ୍ଠାନ ଖୋଲିବା ନେଇ କର୍ମକର୍ତ୍ତାମାନଙ୍କ ମତ ସଂପର୍କରେ ଆଲୋଚନା କରାଯାଇଥିଲା। ପ୍ରାୟ ସମସ୍ତ କର୍ମକର୍ତ୍ତା କୋଭିଡ ୧୯ ନିୟମ ପାଳନ କରାଯିବା ସହିତ ଧର୍ମାନୁଷ୍ଠାନ ଖୋଲାଯିବା ସଂପର୍କରେ ମତ ପ୍ରକାଶ କରିଥିଲେ। ତେବେ ସରକାରଙ୍କ ପକ୍ଷରୁ ଧର୍ମାନୁଷ୍ଠାନ ଖୋଲାଯିବା ନେଇ ମାର୍ଗଦର୍ଶିକା ଉପରେ ଆଲୋଚନା କରାଯିବା ସହିତ ସମସ୍ତ କୋଭିଡ -୧୯ ନିୟମ ପାଳନ ସହିତ କର୍ମକର୍ତ୍ତା ଧର୍ମାନୁଷ୍ଠାନ ଖୋଲିବାରେ ଅସୁବିଧା ନାହିଁ କିନ୍ତୁ ସରକାରଙ୍କ ନିକଟକୁ  ଜିଲାପ୍ରଶାସନ ପକ୍ଷରୁ ପ୍ରସ୍ତାବ ପଠାଯିବା ପରେ ଯଦି ଅନୁମୋଦନ ମିଳେ ତେବେ ଆଗାମୀ ଦିନରେ ଜିଲାରେ ସମସ୍ତ ଧର୍ମାନୁଷ୍ଠାନ ଖୋଲାଯାଇପାରିବ ବୋଲି ଜିଲାପାଳ ଶ୍ରୀମିଶ୍ର ପ୍ରକାଶ କରିଥିଲେ।

ଜିଲାରେ ଦଶହରା ପର୍ବ ପାଇଁ ବହୁ ସଂଖ୍ୟାରେ ପୂଜା କମିଟି ପକ୍ଷରୁ ପୂଜା ପ୍ରସ୍ତୁତି ଚାଲିଥିବାବେଳେ ବୈଠକରେ ଏ ସଂପର୍କରେ ଆଲୋଚନା କରାଯାଇଥିଲା। ନିରାଡମ୍ବର ଭାବରେ ପୂଜା କମିଟି ଗୁଡିକ ପୂଜାବିଧି କରିପାରିବେ ବୋଲି ନିଷ୍ପତି ଗ୍ରହଣ କରାଯାଇଥିଲା। ପୂଜା ମଣ୍ଡପ ଗୁଡିକରେ ସର୍ବସାଧାରଣ ଦର୍ଶନ ମନା ହୋଇଥିବାବେଳେ ମଣ୍ଡପ ଗୁଡିକ ସମ୍ମୁଖରେ ପରଦା ଢାଙ୍କି ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। କୋଭିଡ ନିୟମ ପାଳନ ସହିତ ନିର୍ଦ୍ଦିଷ୍ଟ ସଂଖ୍ୟାରେ କର୍ମକର୍ତ୍ତା ଓ ପୂଜକ ପୂଜା ମଣ୍ଡପ ମଧ୍ୟରେ ପ୍ରବେଶ କରି ପୂଜା ବିଧି ପାଳନ ପାଇଁ ଅନୁମତି ପ୍ରଦାନ କରାଯାଇଛି। ସେହିପରି ପୂଜା ମଣ୍ଡପ ନିକଟରେ ବିଧି ପାଳନ ପାଇଁ ବାଜା ବଜାଇବାକୁ ଅନୁମତି ପ୍ରଦାନ କରାଯାଇଛି। କୌଣସି ପୂଜା ମଣ୍ଡପରେ ଯେପରି ଜନଗହଳି ସୃଷ୍ଟି ନହୁଏ ସେଥିପାଇଁ ସ୍ୱତନ୍ତ୍ର ଭାବରେ ଧ୍ୟାନ ରଖିବାକୁ ପୂଜା କମିଟିର କର୍ମକର୍ତ୍ତାମାନଙ୍କୁ ପରାମର୍ଶ ଦିଆଯାଇଛି। ଏହି ବୈଠକରେ ଜିଲା ଆରକ୍ଷୀ ଅଧିକ୍ଷକ ଭି. ରଘୁନାଥ ରାଓ, ଅତିରିକ୍ତ ଜିଲାପାଳ ଏନସି ଜ୍ୟୋତି ରଂଜନ ନାଏକ, ଉପଜିଲ୍ଲାପାଳ ଅଶ୍ୱନୀ କୁମାର ମେହେରଙ୍କ ସମେତ ବିଭିନ୍ନ ଧର୍ମାନୁଷ୍ଠାନ ଓ ପୂଜା କମିଟିର କର୍ମକର୍ତ୍ତା ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Comments are closed.