କନ୍ଧମାଳ ଜିଲା ଯୋଜନା କମିଟି ବୈଠକ ଅନୁଷ୍ଠିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଯୋଜନା କମିଟିର ୨୧ତମ ବୈଠକ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ହୋଇଯାଇଛି। କମିଟିର ଅଧ୍ୟକ୍ଷ ତଥା ଜଙ୍ଗଲ ଓ ପରିବେଶ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏଥିରେ ଅଧ୍ୟକ୍ଷତା କରି ଚଳିତ ୨୦୨୦-୨୧ ଆର୍ଥିକ ବର୍ଷରେ ଜିଲ୍ଲା ପାଇଁ ଆସିଥିବା ଅନୁଦାନକୁ ଠିକ୍‍ ଭାବରେ ଓ ଠିକ୍‍ ସମୟରେ ବିନିଯୋଗ କରିବାକୁ ଜନ ପ୍ରତିନିଧି ତଥା ସମସ୍ତ ବିଭାଗୀୟ ପଦାଧିକାରୀମାନଙ୍କ ସହଯୋଗ କାମନା କରିଥିଲେ। ସମସ୍ତ ଯୋଜନାର କାର୍ଯ୍ୟାନ୍ୱୟନକୁ ତ୍ୱରାନ୍ୱିତ କରି ଏହାର ସୁଫଳ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ପାଇଁ ସମସ୍ତେ ଯତ୍ନବାନ ହେବା ଜରୁରୀ ବୋଲି ମାନ୍ୟବର ମନ୍ତ୍ରୀ କହିଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଦୃଢ଼ ନିଷ୍ପତି ଯୋଗୁଁ କରୋନା ସଂକ୍ରମଣରେ ଆମ ରାଜ୍ୟ ସର୍ବନିମ୍ନ ସ୍ଥାନରେ ରହିବା ସହିତ ମାନ୍ୟବର କନ୍ଧମାଳ ସାଂସଦଙ୍କ ପ୍ରଚେଷ୍ଟାରେ ପ୍ରତିଷ୍ଠିତ କେତେକ କୋଭିଡ-୧୯ ଚିକିତ୍ସାଳୟର ସେବା ପ୍ରଦାନ ଫଳରେ ତାହା ସମ୍ଭବ ହୋଇପାରିଲା ବୋଲି କହିଥିଲେ। ତେବେ କରୋନା ସଂକ୍ରମଣ ରୋକିବାରେ କନ୍ଧମାଳ ଜିଲ୍ଲାପାଳଙ୍କ ପଦକ୍ଷେପକୁ ମଧ୍ୟ ସେ ପ୍ରଶଂସା କରିଥିଲେ।

ଜିଲ୍ଲା ଯୋଜନା କମିଟିର ମୁଖ୍ୟ ସଦସ୍ୟ ସଚିବ-ତଥା-କନ୍ଧମାଳ ଜିଲ୍ଲାପାଳ ଡା. ବୃନ୍ଦା ଡି. ଉକ୍ତ ବୈଠକକୁ ସମସ୍ତଙ୍କୁ ସ୍ୱାଗତ କରିବା ସହିତ ବୈଠକର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ସମ୍ୟକ ଧାରଣା ଦେଇଥିଲେ। ବୈଠକର ପ୍ରାରମ୍ଭରେ ଗତ ୨୦୧୯ ନଭେମ୍ବର ମାସରେ ଅନୁଷ୍ଠିତ ୨୦ ତମ ବୈଠକର କାର୍ଯ୍ୟବିଧିକୁ ଆଲୋଚନା ମାଧ୍ୟମରେ ଦୃଢ଼ୀକରଣ କରାଯିବା ସହିତ ୨୦୨୦-୨୧ ଆର୍ଥିକ ବର୍ଷରେ ବିଜୁ କନ୍ଧମାଳ ଗଜପତି ଯୋଜନାର ବ୍ଲକୱାରୀ ୧୬୨ ଗୋଟି ପ୍ରକଳ୍ପ ଗୁଡ଼ିକୁ ମଧ୍ୟ ବୈଠକରେ ଅନୁମୋଦନ କରାଯାଇଥିଲା। ସେଥିମଧ୍ୟରେ ରହିଛି ବିଦ୍ୟୁତିକରଣର ୨ଟି ପ୍ରକଳ୍ପ ବାବଦରେ ୬ ଲକ୍ଷ ଟଙ୍କା, ପାନୀୟ ଜଳ ଯୋଗାଣ ବାବଦରେ ୧୧ ଟି ପ୍ରକଳ୍ପର ପ୍ରସ୍ତାବିତ ଖର୍ଚ୍ଚ ୪୭ ଲକ୍ଷ ଟଙ୍କା ଏବଂ ସଡ଼କ ବାବଦରେ ୧୪୯ ଟି ପ୍ରକଳ୍ପର ପ୍ରସ୍ତାବିତ ଖର୍ଚ୍ଚ ୫ କୋଟି ୪୬ ଲକ୍ଷ ୫୦ ହଜାର ଟଙ୍କା। ବ୍ଲକ ପିଛା ୫୦ ଲକ୍ଷ ହିସାବରେ ମୋଟ୍‍ ୬ କୋଟି ପ୍ରସ୍ତାବିତ ଖର୍ଚ୍ଚକୁ ମଧ୍ୟ ଅନୁମୋଦନ କରାଯାଇଥିଲା। ସେହିପରି, ବିଗତ ଆର୍ଥିକ ବର୍ଷ ଗୁଡ଼ିକର ଅବଶେଷ ୩୦ ଲକ୍ଷ ୨୫ ହଜାର ଟଙ୍କାର ୭ ଗୋଟି ପରିବର୍ତ୍ତିତ ପ୍ରକଳ୍ପକୁ ମଧ୍ୟ ଅନୁମୋଦନ କରାଯାଇଥିଲା।

କୃଷି ଓ ଆନୁଷଙ୍ଗିକ ବିଭାଗର ୨୦୫ କୋଟି ୬୫ ଲକ୍ଷ ୫ ହଜାର ଟଙ୍କା, ଗ୍ରାମ୍ୟ ଉନ୍ନୟନ ବିଭାଗର ୪୧୫ କୋଟି ୨୨ ଲକ୍ଷ ୧୦ ହଜାର ଟଙ୍କା, ସ୍ୱତନ୍ତ୍ର ଅଞ୍ଝଳ କାର୍ଯ୍ୟକ୍ରମ ବାବଦରେ ୮୮ କୋଟି ୫୧ ଲକ୍ଷ ୮୬ ହଜାର ଟଙ୍କା, ଜଳ ସେଚନ ଓ ବନ୍ୟା ନିୟନ୍ତ୍ରଣ ବାବଦରେ ୪୯ କୋଟି ୮୩ ଲକ୍ଷ ୩୫ ହଜାର ଟଙ୍କା, ଶିଳ୍ପ ଓ ଖଣିଜ ଦ୍ରବ୍ୟ ବାବଦରେ ୩ କୋଟି ୬୯ ଲକ୍ଷ ୯୭ ହଜାର ଟଙ୍କା, ଗମନାଗମନ ବାବଦରେ ୮୬ କୋଟି ୫୫ ଲକ୍ଷ ଟଙ୍କା, ବିଜ୍ଞାନ-କାରିଗରୀ-ପରିବେଶ ବାବଦରେ ୬୬ କୋଟି ୫୨ ଲକ୍ଷ ୬ ହଜାର ଟଙ୍କା, ସାଧାରଣ ଆର୍ଥିକ ସେବା ବାବଦରେ ୧୭ କୋଟି ୪୦ ଲକ୍ଷ ୬ ହଜାର ଟଙ୍କା, ସମାଜ ସେବା ବାବଦରେ ୪୯୭ କୋଟି ୫୦ ଲକ୍ଷ ୮୩ ହଜାର ଟଙ୍କା ଏବଂ ଅନ୍ୟାନ୍ୟ ପ୍ରଶାସନିକ ସେବା ବାବଦରେ ୮ କୋଟି ୨୧ ଲକ୍ଷ ୮୯ ହଜାର ଟଙ୍କାର ପ୍ରସ୍ତାବିତ ଖର୍ଚ୍ଚକୁ ଅନୁମୋଦନ କରାଯାଇଥିଲା। ସେହିପରି, ୨୦୧୯-୨୦ ଆର୍ଥିକ ବର୍ଷର ବିଭିନ୍ନ ବିଭାଗର ସମୁଦାୟ ୧ ହଜାର ୩୪୦ କୋଟି ୬୩ ଲକ୍ଷ ୨୪ ହଜାର ଟଙ୍କାର ଖର୍ଚ୍ଚ ବାବଦରେ ଆଲୋଚନା କରାଯାଇ ଅନୁମୋଦନ କରାଯାଇଥିଲା।

ଉକ୍ତ ବୈଠକରେ କନ୍ଧମାଳ ସାଂସଦ ଡଃ. ଅଚ୍ୟୁତାନନ୍ଦ ସାମନ୍ତ, ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ମାନ୍ୟବର ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର, ଘୁ. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, କନ୍ଧମାଳ ଜିଲ୍ଲପାଳ ଡା. ବୃନ୍ଦା ଡି., କନ୍ଧମାଳ ଜିଲ୍ଲା ପରିଷଦର ସଭାପତି ଶ୍ରୀମତୀ ଆକାଂକ୍ଷା ପ୍ରଧାନ, ଉପ-ସଭାପତି ଶ୍ରୀମତୀ ସାରତୀ ମଲ୍ଲିକ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ବିଶ୍ୱରଞ୍ଜନ ନାୟକଙ୍କ ସମେତ ଯୋଜନା କମିଟିର ସମସ୍ତ ସଦସ୍ୟସଦସ୍ୟା,ବିଭିନ୍ନ ବିଭାଗୀୟ ସରକାରୀ ପଦାଧିକାରୀ ଉପସ୍ଥିତ ଥିଲେ। ଯୋଜନା ଓ ପରିସଂଖ୍ୟାନ ବିଭାଗର ଉପ-ନିର୍ଦ୍ଦେଶକ ଭୀମସେନ ବାର୍ଲା ବୈଠକକୁ ପରିଚାଳନା କରିବା ସହିତ ଆଲୋଚନା ପାଇଁ ଆବଶ୍ୟକୀୟ ତଥ୍ୟ ପ୍ରଦାନ କରିଥିବାବେଳେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.