ରାଜ୍ୟ ଅର୍ଥନୀତିକୁ ଗତିଶୀଳ କରିବା ପାଇଁ ଯୋଜନା ବୋର୍ଡର ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ୱର: ରାଜ୍ୟ ଅର୍ଥନୀତିକୁ ଗତିଶୀଳ ଓ ସୁପରିଚାଳନା କରିବା ନେଇ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମାଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲ। ଏହି ବେଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଯୋଜନା ଓ ସଂଯୋଜନ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଗୋପବନ୍ଧୁ ଶତପଥୀ ଏବଂ ନବକୃଷ୍ଣ ଚୌଧୁରୀ ଉନ୍ନୟନ ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର ଶ୍ରୀଜିତ୍‌ ମିଶ୍ର ଓ ଯୋଜନା ଓ ସଂଯୋଜନ ବିଭାଗର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ନିଷ୍ପତ୍ତି ହୋଇଥିଲା ଯେ କରୋନା ମହାମାରୀ ପରିପ୍ରେକ୍ଷୀରେ ଓ ଏହାର ପରବର୍ତ୍ତୀ ସମୟରେ ରାଜ୍ୟ ଅର୍ଥନୀତିକୁ ଗତିଶୀଳ କରିବା ନେଇ ଚାରୋଟି କ୍ଷେତ୍ର ଉପରେ ବିସ୍ତୃତ ତର୍ଜମା କରି ରାଜ୍ୟ ସରକାରଙ୍କୁ କାର୍ଯ୍ୟାନ୍ୱୟନ ପାଇଁ ରିପୋର୍ଟ ପ୍ରଦାନ କରାଯିବ । ସଂପୃକ୍ତ ବିଭାଗର ଶାସନ ସଚିବ ଏବଂ ପଦସ୍ଥ ଅଧିକାରୀମାନଙ୍କୁ ନେଇ ଏହି ରିପୋର୍ଟ ନବକୃଷ୍ଣ ଚୌଧୁରୀ ଉନ୍ନୟନ ଗବେଷଣା କେନ୍ଦ୍ର ପକ୍ଷରୁ ପ୍ରସ୍ତୁତ କରାଯିବ। ଏହି ବୈଠକର ସିଦ୍ଧାନ୍ତକୁ ନେଇ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ଯୋଜନା ବୋର୍ଡର ଅଧ୍ୟକ୍ଷ ନବୀନ ପଟ୍ଟନାୟକଙ୍କୁ ଅନୁମୋଦନ ନିମନ୍ତେ ସଦୟ ଅନୁମତି ମଗାଯାଇଥିଲା । ଏ ସଂପର୍କରେ ଆଜି ରାଜ୍ୟ ସରକାର ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ରାଜ୍ୟ ଯୋଜନା ବୋର୍ଡର ଏହି ପ୍ରସ୍ତାବକୁ ମଞ୍ଜୁର ପ୍ରଦାନ କରିବା ସହିତ ସମସ୍ତ ଆନୁଷଙ୍ଗିକ ବିଭାଗର ଶାସନ ସଚିବମାନଙ୍କ ସହିତ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା କରି ଏ ସମ୍ବନ୍ଧିତ ରିପୋର୍ଟ ପ୍ରସ୍ତୁତି ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି।
ଆଜି ଏ ସଂପର୍କରେ ଏକ ଉଚ୍ଚସ୍ତରୀୟ ବୈଠକ ଯୋଜନା ବୋର୍ଡର ଉପାଧ୍ୟକ୍ଷ ଶ୍ରୀ ଦାସବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଉନ୍ନୟନ କମିଶନର ଶ୍ରୀ ମହାପାତ୍ର ପରାମର୍ଶ ଦେଇଥିଲେ ଯେ ବର୍ତ୍ତମାନ ପ୍ରବାସୀ ଶ୍ରମିକମାନଙ୍କୁ କିଭଳି କର୍ମନିଯୁକ୍ତି ଦିଆଯାଇପାରିବ ଏବଂ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷାକରି ଅଧିକରୁ ଅଧିକ କର୍ମନିଯୁକ୍ତି ସୃଷ୍ଟି କରାଯାଇ ଏହି ମାନବସମ୍ବଳକୁ ସଠିକ୍‌ ବିନିଯୋଗ କରି ରାଜ୍ୟ ଅର୍ଥନୀତିକୁ ଅଧିକ ଗତିଶୀଳ କରାଯାଇ ପାରିବ ସେ ସଂପର୍କରେ ଗୁରୁତ୍ୱ ଦେଇଥିଲେ । କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଦ୍ୟାନ କୃଷି, ସମବାୟ, ପଞ୍ଚାୟତିରାଜ ଓ ପାନୀୟ ଜଳ, ଶିଳ୍ପ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ପର୍ଯ୍ୟଟନ, ଜଳସଂପଦ, ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା, ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି, ହସ୍ତତନ୍ତ ଓ ବୟନଶିଳ୍ପ, ହସ୍ତଶିଳ୍ପ, ଗୃହ ନିର୍ମାଣ ଓ ନଗର ଉନ୍ନୟନ, ଅର୍ଥ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ ବିକାଶ ବିଭାଗର ଶାସନ ସଚିବମାନଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଖୁବ୍‌ଶୀଘ୍ର ଅନୁଷ୍ଠିତ ହେବ ଏବଂ ଉପରୋକ୍ତ ବିଭାଗୀୟ ପରାମର୍ଶକୁ ଆଧାର କରି ‘ରାଜ୍ୟ ଅର୍ଥନୀତିକୁ ଗତିଶୀଳ ଓ ସୁପରିଚାଳନା’ ନେଇ ସଠିକ୍‌ ମାର୍ଗଦର୍ଶନ କରାଯିବ ବୋଲି ଉନ୍ନୟନ କମିଶନର ଶ୍ରୀ ମହାପାତ୍ର କହିଥିଲେ।

Comments are closed.