ରାଜନୀତିକୁ ଆସିବେ ମୀରା !

0

କୋରାପୁଟ : ରାଜ୍ୟ ରାଜନୀତିକୁ ଆସିବେ ବହୁ ଚର୍ଚ୍ଚିତ କିନ୍ନର ମୀରା ପରିଡ଼ା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ କରିବାକୁ ବିଧାନସଭାରେ ପ୍ରସ୍ତାବ ପାରିତ କରିଥିବାବେଳେ ଯଦି ମୀରାଙ୍କୁ ବିଜେଡିରୁ ଟିକଟ ଦିଆଯାଏ, ତେବେ ଓଡ଼ିଶାରେ ନୂଆ ଇତିହାସ ସୃଷ୍ଟିହେବ ବୋଲି କିନ୍ନରମାନେ କହିଛନ୍ତି। ଓଡ଼ିଶା କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ୱର ମୀରା କୋରାପୁଟର ମୁତ୍ୟାଲୁମ୍ମା ମନ୍ଦିରରେ ଶକ୍ତି ଆରଧାନା କରିବା ଅବସରରେ ଏଭଳି କିଛି ସୂଚନା ଦେଇଛନ୍ତି।
ରାଜ୍ୟର ସାମଗ୍ରିକ ବିକାଶ ସହ ରାଜ୍ୟବାସୀଙ୍କ ସୁଖସମୃଦ୍ଧି କାମନା କରି ମୀରା ସଂପ୍ରତି ରାଜ୍ୟବ୍ୟାପୀ ସମସ୍ତ ଶକ୍ତିପୀଠ ପରିକ୍ରମା କରି ଶକ୍ତି ଆରଧନା କରୁଛନ୍ତି। ଆସନ୍ତା ୨୦୧୯ ସାଧାରଣ ନିର୍ବାଚନରେ ଯଦି ସୁଯୋଗ ମିଳେ ତେବେ ରାଜନୀତିକୁ ଆସିବେ ବୋଲି ସେ ସ୍ପଷ୍ଟ ଇଙ୍ଗିତ କରିଛନ୍ତି। ତେବେ କେଉଁ ଦଳରୁ ଲଢ଼ିବେ, କେଉଁ ଆସନରୁ ଲଢ଼ିବେ ସେ ସମ୍ପର୍କ​‌େ​‌ର ସିଧାସଳଖ ଉତ୍ତର ନ ଦେଇ ମୀରା କେବଳ ଏତିକି କହିଛନ୍ତି ଯେ ରାଜ୍ୟର ବିକାଶ ପାଇଁ ମୋତେ ଯେଉଁ ଦଳ ଯେଉଁ ସ୍ଥାନରେ ଟିକଟ ପ୍ରଦାନ କରିବ ମୁଁ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହେବାକୁ ପ୍ରସ୍ତୁତ ଅଛି।
କେଉଁ ଦଳକୁ ପସନ୍ଦ କରୁଛନ୍ତି ବୋଲି ପ୍ରଶ୍ନର ଉତ୍ତର ସେ ଦେଇ ନ ଥିଲେ ମଧ୍ୟ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ନେଇ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ସ୍ୱାଗତଯୋଗ୍ୟ ବୋଲି କହି ପ୍ରଶ୍ନକୁ ମୀରା ଏଡ଼ାଇ ଯାଇଛନ୍ତି। ତେବେ ମୀରାଙ୍କ ସହ ଆସିଥିବା ଅନ୍ୟମାନେ କହିଥିଲେ ଯେ ନିର୍ବାଚନରେ ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣ କରି ନବୀନ ଯେଭଳି ଦେଶରେ ଆଜି ସମସ୍ତଙ୍କ ପ୍ରିୟପାତ୍ର ହୋଇପାରିଛନ୍ତି ସେହିପରି ନିର୍ବାଚନରେ କିନ୍ନରଙ୍କୁ ନିର୍ବାଚନରେ ସୁଯୋଗ ମିଳୁ, ମୀରାଙ୍କୁ ଟିକଟ ପ୍ରଦାନ କରି ନବୀନ ନୂତନ ଇତିହାସ ସୃଷ୍ଟି କରନ୍ତୁ। ସେମାନଙ୍କ କଥାରେ ମୀରା ହଁ ଭରି ନ ଥିଲେ ମଧ୍ୟ ମୁରୁକି ହସି ଦେଇଥିଲେ।
ତେବେ ବିଜେଡି, ବିଜେପି କିମ୍ବା କଂଗ୍ରେସ ଯଦି ସମସ୍ତେ ଆପଣଙ୍କୁ ଦଳକୁ ନେଇ ଟିକଟ ଦେବା ପାଇଁ ଇଚ୍ଛା କରନ୍ତି, ତେବେ ଆପଣ କେଉଁ ଦଳକୁ ଯିବାକୁ ପସନ୍ଦ କରିବେ ବୋଲି ପଚାରିବାରେ ଯେଉଁ ଦଳ କିନ୍ନରଙ୍କୁ ଆଗଧାଡ଼ିକୁ ଆଣିବାକୁ ଚେଷ୍ଟା କରିବ, ଆମ ସମସ୍ୟାର ସମାଧାନ କରିବାକୁ ଚାହିଁବେ ମୁଁ ସେହି ଦଳକୁ ହିଁ ଯିବାକୁ ଅଧିକ ପସନ୍ଦ କରିବି ବୋଲି କହିଛନ୍ତି ମୀରା। ଶକ୍ତି ଆରାଧନା ପାଇଁ ଆସିଥିବା ମୀରାଙ୍କ ଏହି ମନ୍ତବ୍ୟ ଆଗାମୀ ଦିନରେ ରାଜନୈତିକ କ୍ଷେତ୍ରରେ କେଉଁ ପ୍ରଭାବ ପକାଇବ ଦେଖିବାକୁ ବାକି ରହିଲା।

Leave A Reply