କରୋନା ଅପଡେଟ: ଗ୍ରୀଷ୍ମ ଶେଷ ବେଳକୁ ଆସିପାରେ ଔଷଧ – ଚୀନରେ ମୃତ୍ୟୁ ୨ ହଜାର ୯୪୩

ସମାଜ ପୋର୍ଟାଲ ଡେସ୍କ: ବିଶ୍ୱର ୬୭ଦେଶକୁ ବ୍ୟାପିଥିବା କରୋନା ଭାଇରସ୍ ଚିକିତ୍ସା ପାଇଁ ଚଳିତ ବର୍ଷ ଗ୍ରୀଷ୍ମ ସୁଦ୍ଧା ଟିକା ଉପଲବ୍ଧ ହେବା ସମ୍ଭାବନା ଥିବା ଆମେରିକାର ଉପରାଷ୍ଟ୍ରପତି ମାଇକ ପେନ୍ସ କହିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ଏହି ଟିକା ଚଳିତ ବର୍ଷ ଶେଷ କିମ୍ବା ଆସନ୍ତା ବର୍ଷ ପ୍ରାରମ୍ଭ ପର୍ଯ୍ୟନ୍ତ ଉପଲବ୍ଧ ହୋଇନପାରେ, କିନ୍ତୁ କରୋନା ଭାଇରସ୍ ଆକ୍ରାନ୍ତ ଲୋକଙ୍କୁ ଆରାମ ଦେବା ପାଇଁ ଔଷଧ ଗ୍ରୀଷ୍ମ ସୁଦ୍ଧା ଉପଲବ୍ଧ ହୋଇପାରେ।
ଆମେରିକାର ଜଣେ ସଂକ୍ରମିତ ରୋଗୀଙ୍କୁ ଚିକିତ୍ସା ପାଇଁ ଗିଲିଡ୍ ଔଷଧ ପ୍ରୟୋଗ କରାଯାଇ ସାରିଛି ଏବଂ ଏସିଆ ମହାଦେଶରେ ପରୀକ୍ଷଣ କରାଯାଉଛି। ଅନ୍ୟ ପକ୍ଷରେ ଏହି ସଂକ୍ରମଣର ମୁକାବିଲା ପାଇଁ ରିଜେନେରନ୍ କମ୍ପାନୀ ମୋନୋକ୍ଲୋନାଲ ଆଣ୍ଟିବଡି ବ୍ୟବହାର କରୁଛି ଯାହା ପୂର୍ବରୁ ଇବୋଲା ଭୁତାଣୁ ବିରୋଧରେ ପ୍ରଭାବଶାଳୀ ବୋଲି କୁହାଯାଇଛି। ଇତି ମଧ୍ୟରେ ଚୀନରେ କରୋନା ଭୁତାଣୁ ମୃତ୍ୟୁ ସଂଖ୍ୟା ୨ ହଜାର ୯୪୩କୁ ବୃଦ୍ଧି ପାଇଛି।