ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କ ଲାଗି ମେଡ଼ିକାଲ କଲେଜରେ ସ୍ଥାନ ସଂରକ୍ଷଣ; ତାମିଲନାଡ଼ୁ ପରେ ଓଡ଼ିଶା ହେବ ଦେଶରେ ଦ୍ବିତୀୟ ରାଜ୍ୟ

ଭୁବନେଶ୍ବର; ସରକାରୀ ସ୍କୁଲରେ ପଢ଼ୁଥିବା ପିଲାମାନଙ୍କ ପାଇଁ ମେଡ଼ିକାଲ କଲେଜ ଓ ଇଞ୍ଜିିନିୟରିଂ କଲେଜରେ ସ୍ଥାନ ସଂରକ୍ଷଣ ନିମନ୍ତେ ବିଜେଡ଼ି ରାଜ୍ୟ ପରିଷଦ ବୈଠକରେ ଦିଆଯାଇଥିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ନବୀନ ପଟ୍ଟନାୟକ । ଏହା କାର୍ଯ୍ୟକାରୀ ହେଲେ ତାମିଲନାଡ଼ୁ ପରେ ଓଡ଼ିଶା ଦ୍ବିତୀୟ ରାଜ୍ୟ ହେବ । ତାମିଲନାଡ଼ୁ ସରକାର ରାଜ୍ୟର ସରକାରୀ ସ୍କୁଲରେ ପଢ଼ୁଥିବା ପିଲାଙ୍କ ପାଇଁ ମେଡ଼ିକାଲ କଲେଜରେ ୭.୫% ସ୍ଥାନ ସଂରକ୍ଷଣ ରହିବ ବୋଲି ଘୋଷଣା କରିଛନ୍ତି ।

ଦଳର ରାଜ୍ୟ ପରିଷଦ ବୈଠକ ଅବସରରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ସଦସ୍ୟ ଓ ନେତାମାନଙ୍କଠାରୁ ରାଜ୍ୟର ବିକାଶ ପାଇଁ ବିଭିନ୍ନ ପ୍ରସ୍ତାବ ଆହ୍ବାନ କରିଥିଲେ । ଏଥିପାଇଁ ମୁଖ୍ୟମନ୍ତ୍ରୀ ନିଜର ଖୁସିବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେ ମୁଁ ବହୁତ ଖୁସି ଯେ ବିଜୁ ବାବୁଙ୍କ ଆଦର୍ଶରେ ଚାଲିଥିବା ବିଜୁ ଜନତା ଦଳର ରାଜ୍ୟ ପରିଷଦ ବୈଠକରେ ଆପଣମାନେ ବହୁତ ଭଲ ଭଲ ପ୍ରସ୍ତାବ ଦେଇଛନ୍ତି । ସେଥିପାଇଁ ଆପଣମାନଙ୍କୁ ମୁଁ ଧନ୍ୟବାଦ ଜଣାଉଛି।ଆପଣମାନଙ୍କ ସବୁ ପ୍ରସ୍ତାବକୁ ମୁଁ ଅନୁମୋଦନ କରୁଛି ।।

ମୁଁ ବ୍ୟକ୍ତିଗତ ଖୁସି ଯେ ସରକାରୀ ସ୍କୁଲରେ ପାଠ ପଢୁଥିବା ପିଲାମାନଙ୍କ ପାଇଁ Medical College ଓ Engineering Collegeରେ ସ୍ଥାନ ସଂରକ୍ଷଣ କରିବା ପାଇଁ ପ୍ରସ୍ତାବ ଆସିଛି। ସେହିପରି backward class survey ସଂପର୍କରେ ମଧ୍ୟ ବହୁତ ଭଲ ପ୍ରସ୍ତାବ ଆସିଛି । ସାମାଜିକ ନ୍ୟାୟ ପ୍ରତିଷ୍ଠା ଦିଗରେ ଏହା ଏକ ମାଇଲଷ୍ଟୋନ ହେବ ବୋଲି ମୋର ବିଶ୍ବାସ।
ମହିଳାମାନଙ୍କ ସଶକ୍ତିକରଣ ମୋର ସବୁଠାରୁ ପ୍ରିୟ ବିଷୟ । ଆଜି ଏହି ସଂପର୍କରେ ଆସିଥିବା ପ୍ରସ୍ତାବକୁ ପ୍ରତ୍ୟେକ କ୍ଷେତ୍ରରେ କାର୍ଯ୍ୟକାରୀ କରିବା ପାଇଁ ଆମେ ଚେଷ୍ଟା କରିବା ।
ଆଜି ବୈଠକରେ ଯାହାସବୁ ପ୍ରସ୍ତାବ ପାରିତ ହେବ, ସେଥିରୁ ଯାହା ସରକାରୀ ସ୍ତରରେ କାର୍ଯ୍ୟକାରୀ କରିବା ଦରକାର, ସେଗୁଡିକୁ ସଂପୃକ୍ତ ମନ୍ତ୍ରୀ ମାନଙ୍କ ପାଖକୁ ପଠାଯିବ। ଆମର ସାଙ୍ଗଠନିକ ସମ୍ପାଦକ ସଂଯୋଜନା କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Comments are closed.