କୋଭିଡ୍‌ ପରିଚାଳନାରେ ରହୁନି ତାଳମେଳ : ରାତିରେ ଉଠାଇ ନେଲେ; ପରୀକ୍ଷା ନ କରି ବୃଦ୍ଧାଙ୍କୁ ଘରେ ଛାଡ଼ିଦେଲେ

ଫୁଲବାଣୀ : କନ୍ଧମାଳ ଜିଲାରେ କୋଭିଡ ପରିଚାଳନାରେ ତାଳମେଳ ରହୁନି। ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ମଧ୍ୟରେ ସମନ୍ୱୟ ଅଭାବ ଯୋଗୁଁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯାହାର ଏକ ଜ୍ୱଳନ୍ତ ଉଦାହାରଣ ଦେଖିବାକୁ ମିଳିଛି ଫୁଲବାଣୀ ପୌରପରିଷଦ ଅଞ୍ଚଳରେ। ଜଣେ ୭୫ ବର୍ଷ ବୃଦ୍ଧାଙ୍କୁ କରୋନା ପରୀକ୍ଷା ପାଇଁ ରାତି ଅଧରେ ପୁଲିସ ଲଗାଇ ଉଠାଇ ନିଆଗଲା। ମେଡିକାଲ ପାଖରେ ଛାଡ଼ି କର୍ମଚାରୀ କୁଆଡ଼େ ଚାଲିଯିବାର ୨ ଘଣ୍ଟା ପରେ ବିନା କୋଭିଡ ପରୀକ୍ଷାରେ ପୁଣି ଘରେ ଆଣି ଛାଡ଼ି ଦିଆଯାଇଛି। ଯାହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି।
ପ୍ରକାଶ ଯେ, ଫୁଲବାଣୀ ପୌର ପରିଷଦ ପକ୍ଷରୁ ଗତ ଦିନରେ ଘରକୁ ଘର ବୁଲି ସ୍ୱାସ୍ଥ୍ୟ ଯାଞ୍ଚ କରାଯାଇଥିଲା। ଏଥିରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୧୦୦ ଜଣଙ୍କ ସ୍ୱାବ ପରୀକ୍ଷା ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି। ସୋମବାର ରାତିରେ ହଠାତ ପିଅନପଡ଼ାସ୍ଥିତ ଚିଦାନନ୍ଦ ନଗରର ଜଣେ ୭୫ ବର୍ଷୀୟା ବୃଦ୍ଧାଙ୍କ ପାଖରେ ଏକ କୋଭିଡ ଗାଡ଼ି ଆସି ପହଞ୍ଚିଥିଲା। ପୌର ପରିଷଦର କିଛି କର୍ମଚାରୀମାନେ ଥିଲେ। ହଠାତ୍‍ ସାହି ଭିତରେ କୋଭିଡ଼୍‍ ଗାଡ଼ି ଆସି ପହଞ୍ଚିବା ପରେ ସାହିବାସିନ୍ଦାଙ୍କ ମଧ୍ୟରେ ଏକ ପ୍ରକାର ଭାଳେଣି ପଡ଼ିଯାଇଥିଲା। ସମ୍ପୃକ୍ତ ବୃଦ୍ଧାଙ୍କୁ କରୋନା ପରୀକ୍ଷା ହେବ ବୋଲି କହି ସାଥୀରେ ଆସିଥିବା କର୍ମଚାରୀମାନେ ଡ଼ାକି ନେଇଥିଲେ। ବୃଦ୍ଧା ଜଣକ ମୋର କିଛି ହୋଇ ନାହିଁ କହିଥିଲେ ମଧ୍ୟ କର୍ମଚାରୀମାନେ ତୁମ ନାମରେ କେହି ଅଭିଯୋଗ କରିଛନ୍ତି ତେଣୁ ତୁମେ ପରୀକ୍ଷା ପାଇଁ ଯିବାକୁ ବାଧ୍ୟ ବୋଲି କହିଥିଲେ। ବୃଦ୍ଧା ରାଜି ହୋଇନଥିଲେ।
ପରବର୍ତ୍ତୀ ସମୟରେ ଉକ୍ତ କର୍ମଚାରୀମାନେ ପୁଲିସ ଆଣି ତାଙ୍କୁ ନେବାକୁ ବାଧ୍ୟ କରିଥିଲେ। ପୁଲିସ ପହଞ୍ଚି ବୁଝାବୁଝି କରିବା ପରେ ବୃଦ୍ଧା ପରୀକ୍ଷା ପାଇଁ ଯାଇଥିଲେ। ତେବେ ତାଙ୍କୁ ନେଇଥିବା କର୍ମଚାରୀମାନେ ଡାକ୍ତରଖାନା ବାରଣ୍ଡାରେ ଛାଡ଼ି କୁଆଡ଼େ େଫରାର ହୋଇଯାଇଥିଲେ। ପରିସ୍ଥିତି ଏଭଳି ହୋଇଥିଲା ଯେ, ବୃଦ୍ଧା ଜଣକ ଖାଇବାକୁ ଯାଉଥିବାବେଳେ ତାଙ୍କୁ ଉଠାଇ ନେଇଥିଲେ। ସାଥୀରେ ତାଙ୍କର ସାନ ପୁଅକୁ ମଧ୍ୟ ନେଇଥିଲେ। ଖବର ପାଇଁ ବୃଦ୍ଧାଙ୍କର ଅନ୍ୟ ପୁଅମାନେ ସେଠାରେ ପହଞ୍ଚିଥିଲେ। ତେବେ ଦେଖିବାବେଳେ ଯେଉଁଠାରେ କରୋନା ପରୀକ୍ଷା କରାଯାଉଛି ସେଠାରେ ତାଲା ପଡ଼ିଥିବାବେଳେ କିଟି କିଟି ଅନ୍ଧାରରେ ବସିଥିବା ମା’ ଓ ପୁଅଙ୍କୁ ଆହା ପଦେ ମଧ୍ୟ କହିବାକୁ କେହି ନ ଥିଲେ।
ଦୀର୍ଘ ସମୟ ଧରି ସେଠାରେ ଅପେକ୍ଷା କରିଥିଲେ ମଧ୍ୟ କାହାର ଦେଖା ନ ମିଳିବାରୁ ଏ ସମ୍ପର୍କରେ ବୃଦ୍ଧାଙ୍କର ପୁଅ ସିଡିଏମଓଙ୍କ ସହିତ ଫୋନ ମାଧ୍ୟମରେ ଯୋଗାଯୋଗ କରିବାରୁ ସେ କହିଥିଲେ, ସନ୍ଧ୍ୟା ପରେ କୋଭିଡ୍‌ ପରୀକ୍ଷା ହେଉନାହିଁ। ଯଦି ବୃଦ୍ଧାଙ୍କର କୌଣସି ପ୍ରକାର ଲକ୍ଷଣ ନାହିଁ ତାହାହେଲେ ପରୀକ୍ଷା କରିବାର କିଛି ଆବଶ୍ୟକ ନାହିଁ ବୋଲି କହିଥିଲେ। ଏନେଇ ଖୋଦ ସିଡିଏମଓ ଫୁଲବାଣୀ ପୌର ଅଧିକାରୀଙ୍କୁ ମଧ୍ୟ ଅବଗତ କରାଇଥିଲେ। ୨ ଘଣ୍ଟା କାଳ ଅପେକ୍ଷା କରିବା ପରେ ପୁଣିଥରେ ସମ୍ପୃକ୍ତ ବୃଦ୍ଧାଙ୍କୁ ଆଉ ଏକ ଆମ୍ବୁଲାନ୍ସ ଆଣି ଘରେ ଛାଡ଼ିଥିଲା। ଏହି ଘଟଣା ପରେ ବୃଦ୍ଧାଙ୍କ ପରିବାର ଓ ସାହିବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। କେଉଁ ପରିସ୍ଥିତି ଓ କାହା ଇଙ୍ଗିତରେ ଜଣେ ୭୫ ବର୍ଷର ବୃଦ୍ଧାଙ୍କୁ ଏଭଳି ଦଣ୍ଡ ଦିଆଗଲା ତାହାର ବିଧିବଦ୍ଧ ତଦନ୍ତ ପାଇଁ ପରିବାର ଲୋକେ ମଧ୍ୟ ଦାବି କରିଛନ୍ତି।
ଅନ୍ୟପକ୍ଷରେ ଉକ୍ତ ଆମ୍ବୁଲାନ୍ସରେ ଅନେକ କରୋନା ସଂକ୍ରମିତଙ୍କୁ ନେବା ଆଣିବା କରାଯାଉଥିବାବେଳେ ତାହାକୁ ସାନିଟାଇଜ ନକରି ପୁଣି ନେବା ଆଣିବା କରାଯାଉଥିବାରୁ ପରିବାର ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏବେ ବୃଦ୍ଧାଙ୍କୁ ସଂକ୍ରମଣ ହେବାର ଆଶଙ୍କା ରହିଛି ବୋଲି ପରିବାର ଲୋକେ ବର୍ତ୍ତମାନ ଅଭିଯୋଗ କରିଛନ୍ତି।
ତେବେ ଏ ସଂପର୍କରେ ପୌର ପରିଷଦର ନିର୍ବାହୀ ଅଧିକାରୀ ବଳଦେବ ବେହେରାଙ୍କୁ ପଚାରିବାରେ ସହରରେ ଏବେ ଘରକୁ ଘର ଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି। ଯାହା ନିକଟରେ ଲକ୍ଷଣ ଥିବାର ଜଣାପଡ଼ୁଛି ସେମାନଙ୍କୁ ଆମ୍ବୁଲାନ୍ସରେ ନିଆଯାଇ ପରୀକ୍ଷା କରାଯାଉଛି। ସେହି ନିର୍ଦେଶ ଅନୁସାରେ, ସ୍ୱାସ୍ଥ୍ୟ ଯାଞ୍ଚ କରୁଥିବା ଟିମ୍‍ ସୂଚନା ଦେବାରୁ ସେ ଆମ୍ବୁଲାନ୍ସ ପଠାଇ ବୃଦ୍ଧାଙ୍କୁ ଅଣାଯାଇଥିଲା ବୋଲି କହିଛନ୍ତି। ତେବେ ଜଣକୁ ଛାଡ଼ି ଅନ୍ୟ ଜଣେ ସନ୍ଦିଗ୍ଧକୁ ଡାକ୍ତରଖାନା ଆଣିବାକୁ ଆମ୍ବୁଲାନ୍ସ ଯାଇଥିଲା। ସ୍ୱାସ୍ଥ୍ୟ ପରୀକ୍ଷା କରିବା ସ୍ୱାସ୍ଥ୍ୟ ବିଭାଗର। ଯେତେବେବେ ସିଡିଏମଓ ସମ୍ପୃକ୍ତ ବୃଦ୍ଧାଙ୍କୁ ଘରକୁ ନେଇଯିବାକୁ କହିଲେ ତୁରନ୍ତ ତାଙ୍କୁ ନେଇ ଘରେ ଛଡ଼ାଯାଇଥିଲା ବୋଲି ପୌରନିର୍ବାହୀ ଅଧିକାରୀ ପ୍ରକାଶ କରିଛନ୍ତି। ସନ୍ଧ୍ୟା ପରେ କୌଣସି ପରୀକ୍ଷା ହେଉନାହିଁ ବୋଲି ତାଙ୍କ ନିକଟରେ କିଛି ସୂଚନା ନାହିଁ ବୋଲି ମଧ୍ୟ ନିର୍ବାହୀ ଅଧିକାରୀ ପ୍ରକାଶ କରିଛନ୍ତି। ତେବେ ବିଭାଗ ବିଭାଗ ମଧ୍ୟରେ ସମନ୍ବୟ ରହୁ ନ ଥିବାବେଳେ କିଭିଳି ଭାବେ କନ୍ଧମାଳ ଜିଲାରେ କରୋନା ସହିତ ଲଢେଇ ଚାଲିଛି ତାହା ସହଜରେ ଅନୁମେୟ।

Comments are closed.