ଚିକିତ୍ସାରେ ଧନୀ-ଦରିଦ୍ର ତାରତମ୍ୟ

ସୁରେଶ ଚନ୍ଦ୍ର ବେହେରା

ଏକ ଜନମଙ୍ଗଳକାରୀ ରାଷ୍ଟ୍ରର ପ୍ରଧାନ କାର୍ଯ୍ୟ ନାଗରିକମାନଙ୍କୁ ରୋଗ-ଋଣ-ରିପୁ କବଳରୁ ସୁରକ୍ଷା ଦେବା। ସରକାରଙ୍କ ପ୍ରଥମ କାମ ହେଲା ଉନ୍ନତ ସ୍ୱାସ୍ଥ୍ୟସେବା ପ୍ରଦାନ,କିନ୍ତୁ ଆମ ଦେଶର ସ୍ୱାସ୍ଥ୍ୟସେବା ବ୍ୟବସ୍ଥାଟି ସବୁଠୁ ବେଶି ଅବହେଳିତ। ଏହାର ଚରମ ଦୃଷ୍ଟାନ୍ତ ଓଡ଼ିଶାର ଯାଜପୁର ଜିଲ୍ଲା ଅନ୍ତର୍ଗତ ସୁକିନ୍ଦା ବ୍ଲକ୍‍ର ନଗଡ଼ା ଗ୍ରାମ। ଭାରତର କ୍ରୋମାଇଟ୍‍ ରାଜଧାନୀ ସୁକିନ୍ଦା। ଏଠାରେ ବହୁ ନାମୀଦାମୀ କମ୍ପାନୀର ଶିଳ୍ପ ସାମ୍ରାଜ୍ୟ ଗଢ଼ି ଉଠିଛି, କିନ୍ତୁ ନଗଡ଼ାରେ ରହୁଥିବା ମାତ୍ର ୭୧ଟି ପରିବାରରେ ଖାଦ୍ୟ ଅଭାବଜନିତ ଶିଶୁମୃତ୍ୟୁ ସଂଖ୍ୟା ୨୦୧୬ ମସିହାରେ ଥିଲା ୧୯। ସରକାରୀ ସ୍ୱାସ୍ଥ୍ୟସେବା ସେମାନଙ୍କ ପାଇଁ ସାତ ସପନ। ସେହି ଗ୍ରାମର ଜଣେ ଲୋକଙ୍କ ବୟସ ୬୫। ଏତେ ବର୍ଷ ବଂଚିବା ବଡ଼ ଭାଗ୍ୟ ବୋଲି ତାଙ୍କର ଧାରଣା। ୨୦୧୭ ମସିହାରେ ଆଉ ଏକ ଚର୍ଚ୍ଚିତ ପ୍ରସଙ୍ଗ ପାଲଟିଥିଲେ ଦାନ ମାଝୀ। କଳାହାଣ୍ଡି ଜିଲା ମୁଖ୍ୟ ସ୍ୱାସ୍ଥ୍ୟକେନ୍ଦ୍ରରୁ ମୃତ ପତ୍ନୀଙ୍କ ଶବକୁ କାନ୍ଧରେ ବୋହି ଦୀର୍ଘ ୧୨ କି.ମି. ରାସ୍ତା ଅତିକ୍ରମ କରି ନିଜ ଗ୍ରାମ ମେଲଘରରେ ପହଞ୍ଚିଥିଲେ ସେ। ଅନ୍ତର୍ଜାତୀୟ ସ୍ତରରେ ଏହା ଥିଲା ଭାରତୀୟ ଚିକିତ୍ସା ଓ ସ୍ୱାସ୍ଥ୍ୟସେବା ପ୍ରଦାନର ଚିତ୍ର।

ଭାରତରେ ଚିକିତ୍ସା ବିଜ୍ଞାନର ଅଭୂତପୂର୍ବ ବିକାଶ ହୋଇଛି। ଏହାର ସର୍ବାଧିକ ସୁଫଳ ପାଉଛନ୍ତି ଧନୀଲୋକେ। ଗରିବ ଲୋକ ପାଖରେ ବୀମା ନାହିଁ କି ଆବଶ୍ୟକ ଅର୍ଥ ନାହିଁ। ତା’ ନିକଟରେ ସରକାରୀ ସ୍ୱାସ୍ଥ୍ୟସେବା ଅପହଞ୍ଚ। ସ୍ୱାସ୍ଥ୍ୟଗତ ଯୋଜନା ଓ ସୂଚନା ସମ୍ପର୍କରେ ସେ ଅଜ୍ଞ। ଏଥିସହିତ ସରକାରୀ ଡାକ୍ତରଖାନାରେ ଅବହେଳା ରୋଗୀକୁ ଖର୍ଚ୍ଚବହୁଳ ଘରୋଇ ନର୍ସିଂହୋମ୍‍କୁ ଯିବାକୁ ବାଧ୍ୟ କରେ। ଏହି କାରଣରୁ ଗରିବ ଓ ଅଶିକ୍ଷିତ ଜନତାଙ୍କ ବିଶ୍ୱାସ ସାଧାରଣ ଚିକିତ୍ସା ବ୍ୟବସ୍ଥା ଉପରୁ ତୁଟିଯାଇଛି। ରୋଗର ମାତ୍ରା ଓ ରୋଗୀ ସଂଖ୍ୟା ବଢ଼ୁଛି। ଆମ ଦେଶରେ ଶିଶୁ ମୃତ୍ୟୁହାର, ଶିଶୁ ଅପ-ପୁଷ୍ଟିହାର, ଏଡସ୍‌ ସଂକ୍ରମଣ ହାରଠାରୁ ଆରମ୍ଭ କରି ଅଧୁନା ମହାମାରୀ କରୋନା ସଂକ୍ରମଣ ହାର ପର୍ଯ୍ୟନ୍ତ ସବୁପ୍ରକାର ସ୍ୱାସ୍ଥ୍ୟଗତ ସମସ୍ୟାରେ ସର୍ବାଧିକ ପୀଡ଼ିତ ହେଉଛନ୍ତି ଦରିଦ୍ରବର୍ଗର ଜନତା। ସେମାନେ ବିଶୁଦ୍ଧ ପାନୀୟଜଳ ଓ ସୁଷମ ଖାଦ୍ୟ ପାଆନ୍ତି ନାହିଁ। ଅସ୍ୱାସ୍ଥ୍ୟକର ପରିବେଶରେ କଚ୍ଚା ଘରେ ରହନ୍ତି ଏବଂ ଉନ୍ନତ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ।

ଚିକିତ୍ସା ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଧନୀ-ଦରିଦ୍ର ତାରତମ୍ୟ ଆମଦେଶର ବିକାଶ କ୍ଷେତ୍ରରେ ଏକ ସାଂଘାତିକ ଅନ୍ତରାୟ। ଆର୍ଥ-ସାମାଜିକ ବିକାଶ ତ୍ୱରାନ୍ୱିତ ହେଲେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଧନୀ-ଦରିଦ୍ର ତାରତମ୍ୟ ରହନ୍ତା ନାହିଁ। ଧନୀ-ଦରିଦ୍ର ତାରତମ୍ୟ ହ୍ରାସ କରିବାର ସଫଳ ଉପାୟ ହେଲା ଅନଗ୍ରସର ଜନତାଙ୍କ ଆର୍ଥିକ ବିକାଶ ଯୋଜନା। ଏହି ଯୋଜନା ବ୍ୟକ୍ତିଗତ ସ୍ତରରେ ନ ରହି ସାମୂହିକ ସ୍ତରକୁ ଉତ୍ତୀର୍ଣ୍ଣ ହେବା ଆବଶ୍ୟକ। କାରଣ, ଆଜି ଦାନ ମାଝୀଙ୍କୁ ବ୍ୟକ୍ତିଗତ ପ୍ରୋତ୍ସାହନ ମିଳୁଥିବାରୁ ପରିବାର ସହ ସ୍ୱଚ୍ଛନ୍ଦ ଓ ସୁଖୀ ଜୀବନ ବିତାଉଛନ୍ତି। ହେଲେ ସେହି ଗ୍ରାମ ଓ ଗ୍ରାମବାସୀଙ୍କ ଦୁରବସ୍ଥା ପୂର୍ବବତ୍‍ ରହିଛି। ସାମୂହିକ ବିକାଶ କାହିଁ? ପ୍ରତ୍ୟେକ ବ୍ୟକ୍ତି ରୋଜଗାରକ୍ଷମ ହେଲେ ସୁସ୍ଥ, ନିରାମୟ ଓ ଉତ୍ପାଦନକ୍ଷମ ଜୀବନ ଅତିବାହିତ କରିବେ। ଆମକୁ ଏବେ ପ୍ରସଙ୍ଗର ବାସ୍ତବତା ପ୍ରତି ଧ୍ୟାନ ଦେବାକୁ ପଡ଼ିବ। ଆମ ଆଗରେ ଆଦର୍ଶ ଦୃଷ୍ଟାନ୍ତଟିଏ : ଲାଟିନ୍‍ ଆମେରିକାର ଏକ କ୍ଷୁଦ୍ର ଦେଶ କ୍ୟୁବା। ଯୁକ୍ତରାଷ୍ଟ୍ର ଆମେରିକାର ସାମରିକ କାର୍ଯ୍ୟକଳାପ ବିରୋଧରେ ଦୁଃସ।।ହସିକ ସଂଗ୍ରାମ କରି ଫିଡେଲ୍‍ କାଷ୍ଟ୍ରୋ ଏଠାରେ କମ୍ୟୁନିଷ୍ଟ ଶାସନ ପ୍ରତିଷ୍ଠା କଲେ। ଆମେରିକାର ସବୁପ୍ରକାର ପ୍ରତିବନ୍ଧକ କ୍ୟୁବାର ଆର୍ଥିକ ଅବସ୍ଥାକୁ ଖୁବ୍‍ ଶୋଚନୀୟ କରିଦେଇଥିଲା। ୧୯୬୦ ବେଳକୁ କ୍ୟୁବାରେ ଥିଲେ ମାତ୍ର ତିନିହଜାର ଡାକ୍ତର ଓ ୧୬ ଜଣ ମେଡିକାଲ ପ୍ରଫେସର। ସ୍ୱାସ୍ଥ୍ୟସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। ସେତେବେଳେ ସି ଗୁଏଭରା ନାମକ ଜଣେ ବିଶିଷ୍ଟ ଚିକିତ୍ସାବିତ୍‍ ଖବରକାଗଜରେ ‘ରିଭୋଲ୍ୟୁସନାରୀ ମେଡିସିନ୍‍’ ନାମକ ସ୍ତମ୍ଭଟିଏ ଲେଖି ସୂଚାଇଥିଲେ, ଯଦି ସବୁ ନାଗରିକ ସୁସ୍ଥ ରହନ୍ତି କ୍ୟୁବାର ବିକାଶକୁ ପୃଥିବୀର କୌଣସି ରାଷ୍ଟ୍ର ରୋକି ପାରିବ ନାହିଁ। ଏହାପରେ କ୍ୟୁବା ପାଲଟିଗଲା ବିଶ୍ୱସ୍ୱାସ୍ଥ୍ୟ ମାନଚିତ୍ରରେ ସୂଚକ ରେଖା। ୧୯୭୬ ମସିହାରେ କ୍ୟୁବା ସମ୍ବିଧାନର ଧାରା-୫୦ରେ ଉଲ୍ଲେଖ କରାଗଲା- ‘ପ୍ରତ୍ୟେକ ବ୍ୟକ୍ତିର ସ୍ୱାସ୍ଥ୍ୟ ସୁରକ୍ଷା ଓ ଚିକିତ୍ସାସେବା ଅଧିକାର ଅଛି।’ କ୍ୟୁବା ତୁଳନାରେ ଭାରତର ଅର୍ଥନୀତି ସ୍ୱଚ୍ଛଳ, କିନ୍ତୁ ସେଠାରେ ବଜେଟ୍‍ର ୮.୬% ଚିକିତ୍ସା ପାଇଁ ଖର୍ଚ୍ଚ ହେଉଥିବାବେଳେ ଭାରତରେ ଖର୍ଚ୍ଚ ହୁଏ ମାତ୍ର ୩.୬%। ତା’ଛଡ଼ା ଭାରତରେ ପ୍ରତି ଦଶହଜାର ଲୋକଙ୍କ ପାଇଁ ନିଯୁକ୍ତ ଡାକ୍ତରଙ୍କ ସଂଖ୍ୟା ୭। ଭାରତର ଶିଶୁ ମୃତ୍ୟୁହାର ୩୧। ଏଠାରେ ଜାତୀୟ ହାରାହାରି ପରମାୟୁ ୬୯ ବର୍ଷ। ସହରଠାରୁ ଗାଉଁଲି ବଜାର ପର୍ଯ୍ୟନ୍ତ ଗଣ୍ଡାଗଣ୍ଡା ବେସରକାରୀ କ୍ଲିନିକ୍‍ ଓ ହସ୍‍ପିଟାଲ୍‍। ଜେନେରିକ୍‍ ଔଷଧ କ୍ୱଚିତ୍‍ ମିଳେ। ଜୀବନରକ୍ଷାକାରୀ ଔଷଧର ଦର ଆକାଶଛୁଆଁ । ଧନିକମାନଙ୍କ କାର୍‍ ଧୂଆଁ ଗରିବଙ୍କ ରୋଗ ବଢ଼ାଇଚାଲେ। ଏସବୁ ଉପରେ ସରକାର ନିୟନ୍ତ୍ରଣଶୂନ୍ୟ। କ୍ୟୁବା ପରି ଆଦର୍ଶ ଚିକିତ୍ସାସେବା ମଡ଼େଲ ଭାରତରେ କାର୍ଯ୍ୟକାରୀ ହେଲେ ଆମଦେଶର ସାମଗ୍ରିକ ବକାଶ କ୍ଷେତ୍ରରେ ଯୁଗାନ୍ତକାରୀ ପରିବର୍ତ୍ତନ ଆସିପାରିବ।

ଆଜି କରୋନା ମୁକାବିଲା ପାଇଁ ଯେପରି ସରକାରୀ ଯୋଜନା କାର୍ଯ୍ୟକାରୀ କରାଯାଉଛି, ସେପରି ସାର୍ବଜନୀନ ଯୋଜନା ଲୋଡ଼ା। ଦିଲ୍ଲୀରେ କେଜିରିୱାଲ୍‍ ସରକାର କିଛି କାମ କଲେଣି ଏ ଦିଗରେ। ଓଡ଼ିଶାରେ ‘ମୋ ସରକାର’ ଯୋଜନାରେ ‘ମୋ ସ୍ୱାସ୍ଥ୍ୟ’ ଯୋଜନା ସ୍ଥାନ ପାଇଲେ ଭଲ ହୁଅନ୍ତା।

Comments are closed.