ବାଲେଶ୍ୱର, ବଲାଙ୍ଗିର ମେଡିକାଲ କଲେଜକୁ କେନ୍ଦ୍ରର ଅନୁମତି

0
  • ବାରିପଦା ମେଡିକାଲ କଲେଜରେ ଦ୍ୱିତୀୟ ବର୍ଷ ନାମ ଲେଖା ପାଇଁ ଅନୁମତି

ବାଲେଶ୍ଵର ମେଡିକାଲ କଲେଜ

ନୂଆଦିଲ୍ଲୀ : ରାଜ୍ୟର ଦୁଇ ନୂତନ ମେଡିକାଲ କଲେଜ ବାଲେଶ୍ୱର ଓ ବଲାଙ୍ଗିରକୁ କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିଛନ୍ତି। ଏହା ସହିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ, ବାରିପଦାରେ ୨୦୧୮-୧୯ ଶିକ୍ଷା ବର୍ଷରେ ୨ୟ ବର୍ଷ ନାମ ଲେଖା ପାଇଁ ମଧ୍ୟ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁମତି ପ୍ରଦାନ କରିଛନ୍ତି। ଏ ସମ୍ପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଜରିଆରେ ସୂଚନା ଦେଇଛନ୍ତି।
ବାଲେଶ୍ୱର ଓ ବଲାଙ୍ଗୀରରେ କେନ୍ଦ୍ରୀୟ ଯୋଜନା ଅନ୍ତର୍ଗତ ୨୦୧୮-୧୯ରେ ଦୁଇଟି ନୂତନ ମେଡ଼ିକାଲ କଲେଜ ସ୍ଥାପନକୁ କେନ୍ଦ୍ର ସରକାର ବିଦ୍ଧିବଦ୍ଧ ଅନୁମତି ପ୍ରଦାନ କରିଛନ୍ତି। ରାଜ୍ୟରେ ଉନ୍ନତ ସ୍ୱାସ୍ଥ୍ୟସେବାକୁ ପ୍ରାଧାନ୍ୟ ଦେଇ ଏହି ତିନି ମେଡ଼ିକାଲ କଲେଜକୁ ଅନୁମତି ପ୍ରଦାନ ନେଇ ରାଜ୍ୟର ଅନୁରୋଧକୁ ସମ୍ମାନ ଦେଇଥିବାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀନଡ୍ଡାଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ବାଲେଶ୍ୱର ଓ ବଲାଙ୍ଗୀରସ୍ଥିତ ସରକାରୀ ମେଡିକାଲ କଲେଜରେ ୨୦୧୮-୧୯ ପାଠ୍ୟବର୍ଷରେ ୧୦୦ଟି ଲେଖାଏଁ ସିଟ୍‍ରେ ନାମଲେଖା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି।
ସେହିପରି ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍‍ପିଟାଲକୁ ଦିଆଯାଇଥିବା ସର୍ତ୍ତମୂଳକ ଅନୁମତିକୁ ବଜାୟ ରଖିବା ସହିତ ୨ୟ ବର୍ଷରେ ୧୦୦ ଛାତ୍ରଛାତ୍ରୀଙ୍କ ନାମ ଲେଖା ପାଇଁ ସ୍ୱୀକୃତି ଦିଆଯାଇଥିବା ଶ୍ରୀ ନଡ୍ଡା ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି। ରାଜ୍ୟର ସ୍ୱାସ୍ଥ୍ୟସେବାକୁ ଏକ ନୂତନ ଦିଶା ଦେବା ପାଇଁ କେନ୍ଦ୍ର ସରକାର ସର୍ବଦା ତତ୍ପର ବୋଲି ଏହି ପଦକ୍ଷେପ ପୁନଶ୍ଚ ପ୍ରମାଣ କରିଥିବା ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।

Leave A Reply