ଦଲାଲରାଜ

ମାନସିକତା ବଦଳିଲେ ପ୍ରଥା ବଦଳିବ

ବାଟମାରଣା ଓ ଦଲାଲ ରାଜ ଭାରତୀୟ ପ୍ରଶାସନିକ ବ୍ୟବସ୍ଥା ପ୍ରତି ଅଭିଶାପ। ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ମନ୍ତବ୍ୟ ଅନୁଯାୟୀ ବାଟମାରଣା ଯୋଗୁଁ ପ୍ରାୟ ୮୫ ଭାଗ ସରକାରୀ ସହାୟତା ହିତାଧିକାରୀଙ୍କ ନିକଟରେ ପହଞ୍ଚି ପାରୁନାହିଁ। ଇତିମଧ୍ୟରେ କେତେକ ପ୍ରଭାବଶାଳୀ ପଦକ୍ଷେପ ଜରିଆରେ ବାଟମାରଣାକୁ ଅନେକାଂଶରେ ରୋକାଯାଇ ପାରିଥିଲେ ହେଁ ଏହି ଦୁରାରୋଗ୍ୟ ବ୍ୟାଧିର ସମ୍ପୂର୍ଣ୍ଣ ନିରାକରଣ ସମ୍ଭବ ହୋଇପାରିନାହିଁ। ଏହି କାରଣରୁ ସ୍ୱାଧୀନତାର ୭୨ ବର୍ଷ ପରେ ମଧ୍ୟ ଦେଶରୁ ଗରିବୀ ହଟିପାରିନାହିଁ। ସେହିପରି ଆଉ ଏକ ବ୍ୟାଧି ହେଉଛି ଦଲାଲ ରାଜ, ଯେଉଁଥିରେ ଗରିବ ଲୋକମାନେ ହିଁ ସର୍ବାଧିକ ଶିକାର ହୋଇ ଆସୁଛନ୍ତି। ଦଲାଲ୍‍ ଶବ୍ଦ ବସ୍ତୁତଃ ବ୍ୟାବସାୟିକ କାରବାର ସହିତ ସଂଶ୍ଲିଷ୍ଟ। ସାଧାରଣତଃ ଜମି କିଣାବିକା, ବୀମା ଓ ଲାଇସେନ୍ସ ପ୍ରଦାନ ଆଦି କ୍ଷେତ୍ରରେ ଦଲାଲମାନଙ୍କର ପ୍ରାଦୁର୍ଭାବ ଥିବା ବେଳେ କ୍ରମଶଃ ସେମାନଙ୍କ ଉପସ୍ଥିତି ଏବେ ସାମାଜିକ କ୍ଷେତ୍ରରେ ଅନୁଭୂତ ହେବାରେ ଲାଗିଛି। ବିଶେଷକରି ବିବାହ ଆଦି ସାମାଜିକ ଉତ୍ସବ ଓ ପରମ୍ପରାରେ ମଧ୍ୟସ୍ଥି ନାମରେ ଦଲାଲ୍‍ ଗିରିର ପରମ୍ପରା ବହୁ ବର୍ଷ ତଳୁ ଆରମ୍ଭ ହୋଇସାରିଛି। ଶିକ୍ଷା କ୍ଷେତ୍ରରେ ମଧ୍ୟ ଦଲାଲ୍‍ ରାଜ କାୟା ବିସ୍ତାର କରିସାରିଛି। ଉଦ୍‍ବେଗଜନକ ହେଉଛି ଦଲାଲ୍‍ମାନଙ୍କ ଉପସ୍ଥିତି ବର୍ତ୍ତମାନ ସ୍ୱାସ୍ଥ୍ୟସେବାରେ କେବଳ ଅନୁଭୂତ ହୋଇନାହିଁ, ବରଂ ଦିନକୁ ଦିନ ବଢ଼ି ଚାଲିଛି। ଏହାଦ୍ୱାରା ଗରିବମାନେ ସରକାରଙ୍କ ଯୋଜନାର ସୁଫଳରୁ ବଞ୍ଚିତ ହେବା ସହିତ ଶୋଷଣର ଶିକାର ହେଉଛନ୍ତି। ସରକାରୀ କଳର ଉଦାସୀନତା ଯୋଗୁଁ ଏହି ଦୁରାରୋଗ୍ୟ ବ୍ୟାଧି କ୍ରମଶଃ ବଢ଼ିବାରେ ଲାଗିଛି। ବିଳମ୍ବରେ ହେଲେ ମଧ୍ୟ ଏ ଦିଗରେ ସରକାରୀ ତତ୍ପରତା ପ୍ରକାଶ ପାଇବା ସ୍ୱାଗତଯୋଗ୍ୟ। ଇତିମଧ୍ୟରେ ଏମ୍ସ, କ୍ୟାପିଟାଲ୍‍ ହସ୍ପିଟାଲ୍‍ ସମେତ ରାଜ୍ୟର ବିଭିନ୍ନ ଡାକ୍ତରଖାନା ପରିସରରୁ ୩୦ ଜଣ ଦଲାଲ୍‍ ଗିରଫ ହୋଇଛନ୍ତି। ସେହିପରି ସଂଶୋଧିତ ମୋଟର ଯାନ ଆଇନ୍‍ କାର୍ଯ୍ୟକାରୀ ହେବା ପରେ ଡ୍ରାଇଭିଂ ଲାଇସେନ୍ସ, ବୀମା, ଫିଟ୍‍ନେସ୍‍ ସାର୍ଟିଫିକେଟ୍‍, ପଞ୍ଜୀକରଣର ନବୀକରଣ ଆଦି ପାଇଁ ଆରଟିଓ କାର୍ଯ୍ୟାଳୟରେ ଗାଡ଼ି ଚାଳକଙ୍କ ଲମ୍ବା ଲାଇନ୍‍ ଲାଗିଥିବା ବେଳେ ଦଲାଲ୍‍ମାନେ ମଧ୍ୟ ସେହି ଅନୁପାତରେ ସକ୍ରିୟ ହୋଇଛନ୍ତି। ତେଣୁ ଆରଟିଓ କାର୍ଯ୍ୟାଳୟକୁ ୧୫ ଦିନ ମଧ୍ୟରେ ଦଲାଲ୍‍ ମୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି। ପ୍ରଶାସନିକ ବ୍ୟବସ୍ଥାର ଏକ ବିଡ଼ମ୍ବନା ହେଲା କାର୍ଯ୍ୟାନୁଷ୍ଠାନରେ ସ୍ଥାଣୁତା। ସ୍ୱାସ୍ଥ୍ୟ, ଶିକ୍ଷା ଓ ସାର୍ବଜନୀନ ସେବା କ୍ଷେତ୍ରକୁ ଦଲାଲମୁକ୍ତ କରିବାକୁ ହେଲେ ସରକାରୀ କଳ ଅଧିକ ଆନ୍ତରିକତାର ସହ କାର୍ଯ୍ୟଧାରା ଜାରି ରଖିବାକୁ ପଡ଼ିବ। ଲୋକମାନଙ୍କର ଅନୈତିକ ଓ ଅଳସୁଆ ମାନସିକତାରୁ ହିଁ ଦଲାଲ୍‍ ରାଜର ଜନ୍ମ। ଦଲାଲ ରାଜର ମୂଳୋତ୍ପାଟନ କରିବାକୁ ହେଲେ ଲୋକମାନଙ୍କ ମାନସିକତାରେ ପରିବର୍ତ୍ତନ ଆବଶ୍ୟକ।

Comments are closed.