ସତ୍ୟବାଦୀ ମହୋତ୍ସବ ଉଦଘାଟିତ

ସାକ୍ଷୀଗୋପାଳ: ସତ୍ୟବାଦୀର କଳା ସଂସ୍କୃତି ଓ ପରମ୍ପରା ସହିତ ଜଡିତ ସତ୍ୟବାଦୀ ମହୋତ୍ସବ ୨୦୨୩ର ଶୁଭ ଉଦଘାଟନୀ ଉତ୍ସବ ଆଜି ଆନୁଷ୍ଠାନିକ ଭାବେ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ଦୁଇ ବର୍ଷ କୋଭିଡ଼ କଟକଣା ନିମନ୍ତେ ବନ୍ଦ ରହିଥିବା ଏହି ଉତ୍ସବ ନିମନ୍ତେ ସତ୍ୟବାଦୀ ଚଳଚଞ୍ଚଳ ହୋଇପଡ଼ିଛି। ପଞ୍ଚସଖା ଖେଳ ପଡ଼ିଆ ଠାରୁ ଆରମ୍ଭ କରି ସାକ୍ଷୀଗୋପାଳ ମନ୍ଦିର ଓ ବଜାର ଆଦି ସମସ୍ତ ଅଞ୍ଚଳ ରଙ୍ଗବେରଙ୍ଗ ଆଲୋକ ସଜ୍ଜା ଦ୍ଵାରା ଆକର୍ଷଣୀୟ ହୋଇଛି।

ମହୋତ୍ସବର ମୁଖ୍ୟ ଆକର୍ଷଣ ଜ୍ୟୋତି ଯାତ୍ରା। ଏଥିପାଇଁ ଅପରାହ୍ନ ୩ ଘଟିକା ସମୟରେ ସତ୍ୟବାଦୀ ଯୁଗର ପଞ୍ଚସଖା ଉତ୍କଳମଣି ଗୋପବନ୍ଧୁ ଦାସ, ଆଚାର୍ଯ୍ୟ ହରିହର ଦାସ, ପଣ୍ଡିତ ନୀଳକଣ୍ଠ ଦାସ, ପଣ୍ଡିତ କୃପାସିନ୍ଧୁ ମିଶ୍ର ଓ ଗୋଦାବରୀଶ ମିଶ୍ର ପାଞ୍ଚ ମହାପୁରୁଷଙ୍କ ପୁଣ୍ୟ ଜନ୍ମ ପୀଠରୁ ଜ୍ୟୋତି ଅଣାଯାଇ ସାକ୍ଷୀଗୋପାଳ ବସଷ୍ଟାଣ୍ଡ ଠାରେ ଏକତ୍ରିତ କରାଯାଇଥିଲା। ସେଠାରୁ ଜ୍ୟୋତି ଯାତ୍ରାକୁ ସତ୍ୟବାଦୀର ହଜାର ହଜାର ଜନସାଧାରଣ, ଶିକ୍ଷାନୁଷ୍ଠାନର ଛାତ୍ର ଛାତ୍ରୀ, ବିଭିନ୍ନ ସଂଗଠନର କର୍ମକର୍ତ୍ତା ଏକ ବିଶାଳ ଶୋଭାଯାତ୍ରାରେ ପାରମ୍ପରିକ ବାଦ୍ୟ, ରୋଷଣୀ, ଘୋଡ଼ା ନାଚ, ଆକର୍ଷଣୀୟ ବାଣ, ନାଗା ନାଚ, ଗୋଟି ପୁଅ, ପାଇକ ଆଖଡାର ତାଳେ ତାଳେ ଏକ ବାର୍ଣ୍ଣାଢ୍ୟ ଶୋଭାଯାତ୍ର ସହ ବଜାର ମଧ୍ୟ ଦେଇ ଅଣାଯାଇଥିଲେ। ମନ୍ଦିର ନିକଟରେ ସାକ୍ଷୀଗୋପାଳଙ୍କ ଆଜ୍ଞା ମାଳ ସହ ପଞ୍ଚସଖା ଖେଳ ପଡ଼ିଆ ମହୋତ୍ସବ ମଞ୍ଚରେ ଜ୍ୟୋତି ସ୍ଥାପନ କରାଯାଇଥିଲା।

ସନ୍ଧ୍ୟାରେ ଅନୁଷ୍ଠିତ ଉଦଘାଟନ ଉତ୍ସବରେ ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ, ସତ୍ୟବାଦୀ ଭାଜପା ନେତା ଓମ ପ୍ରକାଶ ମିଶ୍ର , ୩୨ ନମ୍ବର ଯୋନର ଜିଲ୍ଲା ପରିଷଦ ସଭ୍ୟା ବିଷ୍ଣୁ ପ୍ରିୟା ବରାଳ, ରାଷ୍ଟ୍ରୀୟ ନାରିକେଳ ବିକାଶ ପରିଷଦର ଉପାଧ୍ୟକ୍ଷ ବିଶ୍ଵନାଥ ରଥ, ମହୋତ୍ସବର ମୁଖପତ୍ର ତମାଳର ସମ୍ପାଦକ ଡ଼ଃ ଅଭିମନ୍ୟୁ ବରାଳ, ବରିଷ୍ଠ ସଦସ୍ୟ ବିଶ୍ୱଜିତ ଶତପଥି, କମିଟି ସଭାପତି ଜାନକୀ ବଲ୍ଲଭ ମିଶ୍ର, ସମ୍ପାଦକ ଜାନକୀ ବଲ୍ଲଭ ବରାଳ, ସଂଯୋଜକ ଦୀପକ ଶତପଥି ପ୍ରମୁଖ ଅତିଥି ରୂପେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ, ମାଲ୍ୟାର୍ପଣ ଓ ମଞ୍ଚ ଉଦଘାଟନ କରାଯାଇଥିଲା। ଏହି ଅବସରରେ ପୂର୍ବରୁ ମହୋତ୍ସବ ନିମନ୍ତେ ଆୟୋଜନ କରାଯାଇଥିବା କାର୍ଯ୍ୟ କ୍ରମରେ ନୃତ୍ୟ ପାଇଁ ଓଡିଶା ଆଦର୍ଶ ବିଦ୍ୟାଳୟ ସାକ୍ଷୀଗୋପାଳ, ପକ୍ଷୀମୁଣ୍ଡ ନୋଡାଲ ସ୍କୁଲ, ଦଶଭୁଜା ଓଡ଼ିଶୀ ଗୋଟି ପୁଅ ନୃତ୍ୟ ପରିଷଦ, ରଘୁରାଜପୁର ପୁର ଆସାମ ବିହୁ, ଅଭିନୟାନା ଡ୍ୟାନ୍ସ ଏକାଡେମୀ, ପୁରୁଲିୟା ଛଉ, ଦିଭାଇନ କଲେଜ ଅଫ ହେଲଥ ସାଇନ୍ସ, ସିଲିପିକା ଡ୍ୟାନ୍ସ ଏକାଡେମୀ ଭୁବନେଶ୍ୱର ଶେଷରେ ଓଲିଉଡ ନାଇଟରେ ପ୍ରତିଷ୍ଠିତ କଳାକାରଙ୍କ ଦ୍ଵାରା ସଂସକୃତିକ କାର୍ଯ୍ୟକ୍ରମ ପରିବେଷଣ ମାଧ୍ୟମରେ ମହୋତ୍ସବ ପଡ଼ିଆରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ହଜାର ହଜାର ଦର୍ଶକ ବାନ୍ଧି ହୋଇ ମନଭରି ଉପଭୋଗ କରିଥିଲେ। ଚାଟ, ଗୁପଚୁପୁ, ମଥୁରା କେକ ଆଦି ନାନା ପ୍ରକାର ଫାଷ୍ଟ ଫୁଡ଼ ଦୋକାନ ସହ ମନୋହରି ଦୋକାନରେ କିଣିବା ପାଇଁ ପ୍ରବଳ ଗହଳି ଲାଗିରହିଥିଲା।

ସତ୍ୟବାଦୀ ଥାନା ପକ୍ଷରୁ ଶୃଙ୍ଖଳା ରକ୍ଷା ପାଇଁ ଆଇଆଇସି ବିଜୟ କେତନ ବେହେରାଙ୍କ ସମେତ ଅନ୍ୟ ପୋଲିସ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ। ୩ ଦିନ ବ୍ୟାପି ଅନୁଷ୍ଠିତ ଏହି ମହୋତ୍ସବ ଶୁକ୍ରବାର ଠାରୁ ଆରମ୍ଭ ହୋଇ ରବିବାର ସନ୍ଧ୍ୟାରେ ଉଦଯାପିତ କରାଯିବ ବୋଲି କମିଟି ସଭାପତି ଜାନକୀ ବଲ୍ଲଭ ମିଶ୍ର ସୂଚନା ଦେଇଛନ୍ତି।

Comments are closed.