ଶ୍ରମିକ ସ୍ପେଶାଲ ଟ୍ରେନରେ ରେଳବାଇ ପକ୍ଷରୁ ୨୮ ଦିନରେ ୫ଲକ୍ଷ ୭୬ ହଜାର ମିଲ ବିତରଣ

ସମ୍ବଲପୁର: କରୋନା ଭୂତାଣୁ ବିଶ୍ୱରେ ମହାମାରୀ ରୂପ ନେବା ପରେ ଏହାର ସଂକ୍ରମଣକୁ ପ୍ରତିହିତ କରିବା ପାଇଁ ଦେଶରେ ଏବେ ଲକ ଡାଉନ କରାଯାଇଛି। ସରକାରଙ୍କ ସହିତ ବିଭିନ୍ନ ସଙ୍ଗଠନ ଓ ଜନତା ମିଳିତ ଭାବରେ କରୋନାର ମୁକାବିଲା କରୁଛନ୍ତି। ଏବେ ଲକ ଡାଉନ ଯୋଗୁଁ ଭାରତୀୟ ରେଳବାଇର ଯାତ୍ରୀବାହୀ ସେବାକୁ ବନ୍ଦ କରାଯାଇଛି। ତେବେ ଲକ ଡାଉନରେ ସରକାର କିଛିଟା କୋହଳ କରିବା ପରେ ରାଜ୍ୟ ସରକାର ମାନଙ୍କ ଅନୁରୋଧ କ୍ରମରେ ରେଳବାଇ ତରଫରୁ ଶ୍ରମିକ ସ୍ପେଶାଲ ଟ୍ରେନ ଗୁଡିକ ପ୍ରବାସୀ ଶ୍ରମିକ ମାନଙ୍କୁ ସେମାନଙ୍କର ଘରକୁ ପହୁଞ୍ଚାଇବା ପାଇଁ ଚଳାଯାଉଛି। ଏହି ଶ୍ରମିକ ସ୍ପେଶାଲ ଟ୍ରେନ ଗୁଡିକ ପୂର୍ବତଟ ରେଳବାଇ ପରିସୀମା ମଧ୍ୟରେ ଯାତାୟାତ କରିବା ସମୟରେ ପୂର୍ବତଟ ରେଳବାଇ ତରଫରୁ ଯାତ୍ରା କରୁଥିବା ଶ୍ରମିକ ମାନଙ୍କୁ ଖାଦ୍ୟ ବିତରଣ କରାଯାଉଛି।

ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଆଇଆରସିଟିସି ତରଫରୁ ଭୂବନେଶ୍ୱର, ଖୋର୍ଦ୍ଧା ରୋଡ, ରାୟଗଡା, ଟିଟିଲାଗଡ, ସମ୍ବଲପୁର, ଭଦ୍ରକ, ବିଜୟନଗରମ, ବିଶାଖାପଟନମ ଓ ବ୍ରହ୍ମପୁର ଠାରେ ସମୁଦାୟ ଖାଦ୍ୟ ବିତରଣ ୯ଟି ପଏଣ୍ଟ କରାଯାଇଛି। ଏହି ଖାଦ୍ୟ ବିତରଣ କେନ୍ଦ୍ର ମାନଙ୍କ ଜରିଆରେ ବିଗତ ୨୮ ଦିନ ମଧ୍ୟରେ ପୂର୍ବତଟ ରେଳବାଇ ପରିସୀମା ମଧ୍ୟ ଦେଇ ଯାତାୟାତ କରିଥିବା ୨୮୧ଟି ଟ୍ରେନରେ ୫ ଲକ୍ଷ ୭୬ ହଜାର ୨୧୦ଟି ମିଲ ସହିତ ପାନୀୟ ଜଳ ବିତରଣ କରାଯାଇଛି ବୋଲି ରେଳବାଇ ତରଫରୁ ସୂଚନା ପ୍ରଦାନ କରାଯାଇଛି। ପୂର୍ବତଟ ରେଳବାଇ ତାର ସାମାଜିକ ଦାୟିତ୍ୱ ନିର୍ବାହ କରି ଏହି ବିଶ୍ୱବ୍ୟାପି ଆପଦା ମୁହୁର୍ତ୍ତରେ କରାଯାଉଥିବା ମାନବୀୟ ସମାଜ ସେବାକୁ ସବୁ ମହଲରେ ଉଚ୍ଚ ପ୍ରଶଂସା କରାଯାଉଛି।

Comments are closed.