ଇମ୍ରାନଙ୍କୁ ନିନ୍ଦା – ବାଂଲାଦେଶ ଭିଡିଓକୁ ଭାରତର କହି ଟ୍ୱିଟ କରିଥିଲେ

ନୂଆଦିଲ୍ଲୀ: ଦେଶ ଭିତରୁ ଆରମ୍ଭ କରି ଆନ୍ତର୍ଜାତିକ ସ୍ଥରରେ ବାରମ୍ବାର ନିନ୍ଦିତ ହେବା ପରେ ମଧ୍ୟ ସୁଧୁରିବାର ନାଁ ନେଉନି ପାକିସ୍ଥାନ। ପାକ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପୁଣି ଥରେ ଏଭଳି କିଛି କାରନାମା କରି ଅପଦସ୍ତ ହୋଇଛନ୍ତି। ଭାରତୀୟ ପୁଲିସ ଉତ୍ତରପ୍ରଦେଶରେ ରହୁଥିବା ମୁସଲିମଙ୍କ ଉପରେ ଅତ୍ୟାଚାର କରୁଥିବା ଭଳି ମିଥ୍ୟା ଖବର ପ୍ରସାର କରିବା ଉଦ୍ଦେଶ୍ୟରେ ଇମ୍ରାନ ବାଂଲାଦେଶ ପୁଲିସର ଏକ ପୁରୁଣା ଭିଡିଓ ପୋଷ୍ଟ କରି ଅପଦସ୍ତ ହୋଇଛନ୍ତି।

ଭାରତୀୟ ବିଦେଶ ମନ୍ତ୍ରାଳୟ ଏହାକୁ ଖଣ୍ଡନ କରିବା ସହ ଏହାର ସତ୍ୟତା ମଧ୍ୟ ଉନ୍ମୋଚନ କରିଛି। ବିଦେଶ ମନ୍ତ୍ରାଳୟ ମୁଖପାତ୍ର ରବିଶ କୁମାର ଟ୍ୱିଟ କରି ଏହାକୁ ମିଥ୍ୟା ସୂଚନା କହିବା ସହ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ମିଛ ଧରା ପଡ଼ିଯାଇଥିବା କହିଛନ୍ତି।

ଏଭଳି ମିଛ ଭିଡିଓ କ୍ଲିପ ପୋଷ୍ଟ କରିବାର କିଛି ସମୟ ମଧ୍ୟରେ ଭାରତୀୟ ବିଦେଶ ମନ୍ତ୍ରାଳୟ ସତ୍ୟତା ପ୍ରକାଶ କରିବା ପରେ ଇମ୍ରାନ ତାଙ୍କ ମିଛ ଟ୍ୱିଟ ଓ ଭିଡିଓ କ୍ଲିପିକୁ ହଟାଇ ଦେଇଛନ୍ତି। ସେ ପୋଷ୍ଟ କରିଥିବା ଭିଡିଓ କ୍ଲିପଟି ୨୦୧୩ ମସିହାର ଯେଉଁଥିରେ କିଛି ବାଂଲାଦେଶୀଙ୍କ ଉପରେ ସେଠାକାର ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ଦେଖାଯାଇଛି। ତେବେ ଏ ନେଇ ଇମ୍ରାନଙ୍କୁ ଅପଦସ୍ତ ହେବାକୁ ପଡିଛି। ଟ୍ୱିଟର ବ୍ୟବହାରକାରୀମାନେ ଇମ୍ରାନଙ୍କୁ କିଛି ପୋଷ୍ଟ କରିବା ପୂର୍ବରୁ ଯାଞ୍ଚ କରିବା ପାଇଁ ପରାମର୍ଶ ଦେଇଛନ୍ତି।

Comments are closed.