କାଶ୍ମୀର ପ୍ରସଙ୍ଗରେ ତୃତୀୟ ପକ୍ଷର ଆବଶ୍ୟକତା ନାହିଁ

ନୂଆଦିଲ୍ଲୀ: କାଶ୍ମୀର ପ୍ରସଙ୍ଗରେ ତୃତୀୟ ପକ୍ଷର କୌଣସି ଭୂମିକା ନାହିଁ, ଯଦି ଆଲୋଚନା ଆବଶ୍ୟକ ପଡିବ ତେବେ ତାହା କେବଳ ଭାରତ ଓ ପାକିସ୍ତାନ ମଧ୍ୟରେ ହେବ। ଏଭଳି ମତ ରଖିଛନ୍ତି ବିଦେଶ ମନ୍ତ୍ରାଳୟ। ଦାଭୋସ ଠାରେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସହ ଆଲୋଚନା ବେଳେ କାଶ୍ମୀର ପ୍ରସଙ୍ଗ ଉଠାଇଥିବା ନେଇ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରରେ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ରବିଶ କୁମାର କହିଛନ୍ତି, ଏଭଳି ପ୍ରସଙ୍ଗରେ ପୂର୍ବରୁ ଭାରତ ତାର ଆଭିମୁଖ୍ୟ ସ୍ପଷ୍ଟ କରି ସାରିଛି, କାଶ୍ମୀର ପ୍ରସଙ୍ଗରେ ତୃତୀୟ ପକ୍ଷର ଭୂମିକା ନେଇ ଭାରତ ଦୃଢ।
ଗଣମାଧ୍ୟମକୁ ସାପ୍ତାହିକ ବିବରଣୀ ପ୍ରଦାନ କରି ସେ କହିଛନ୍ତି, କାଶ୍ମୀର ପ୍ରସଙ୍ଗରେ ତୃତୀୟ ପକ୍ଷର କୌଣସି ଭୂମିକା ନାହିଁ। ଯଦି କିଛି ଆଲୋଚନା କରିବାର ଥାଏ, ତେବେ ତାହା ଭାରତ ଓ ପାକିସ୍ତାନ ମଧ୍ୟରେ ହେବ ଏବଂ ତାହା ଶିମଲା ବୁଝାମଣା ଓ ଲାହୋର ଘୋଷଣାନାମା ଅନୁଯାୟୀ ହେବ ବୋଲି ସେ କହିଛନ୍ତି। ଗତ ମଙ୍ଗଳବାର ଆମେରିକା ରାଷ୍ଟ୍ରପତି ଟ୍ରମ୍ପ କହିଥିଲେ ଯେ କାଶ୍ମୀର ପ୍ରସଙ୍ଗରେ ଆମେରିକା ଭାରତ-ପାକିସ୍ତାନର ଦ୍ୱିପାକ୍ଷିକ ସ୍ତିତି ପରଖୁଛି ଏବଂ ସେ କାଶ୍ମୀର ପ୍ରସଙ୍ଗର ସମାଧାନ ପାଇଁ ମଧ୍ୟସ୍ଥତା କରିପାରିବେ ବୋଲି କହିଥିଲେ।
କାଶ୍ମୀରରେ ଧାରା ୩୭୦ ଉଛେଦ ହେବା ପରେ ଚତୁର୍ଥ ଥର ପାଇଁ ଆମେରିକା ରାଷ୍ଟ୍ରପତି ମଧ୍ୟସ୍ଥତା କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି।୨୦୧୯ ସେପ୍ଟେମ୍ବରରେ ଜାତିସଂଘ ସାଧାରଣ ବୈଠକରେ ଶେଷ ଥର ଏଭଳି ମଧ୍ୟସ୍ଥତା ପ୍ରସ୍ତାବ ଦେଇଥିଲେ।