ନୂଆବର୍ଷରୁ ରୁପେ ଓ ୟୁପିଆଇରେ ହେବ ଅର୍ଥ କାରବାର – ସୀତାରମଣ

- ଆରମ୍ଭ ହେଲା ଇ-ଅକ୍ସନ ପ୍ଲାଟଫର୍ମ

ନୂଆଦିଲ୍ଲୀ: ୨୦୨୦ ଜାନୁୟାରୀ ପହିଲାରୁ ଦେଶବ୍ୟାପୀ ରୁପେ ଏବଂ ୟୁପିଆଇ ମାଧ୍ୟମରେ ଅର୍ଥ କାରବାର କରାଯିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ତେବେ ଏହି ବ୍ୟବସ୍ଥା ମାଧ୍ୟମରେ ଅର୍ଥ କାରବାର କଲେ ଏଥିପାଇଁ କୌଣସି ମର୍ଚ୍ଚାଣ୍ଟ ଡିସ୍‍କାଉଣ୍ଟ ରେଟ୍‍ ବା ଏମ୍‍ଡିଆର୍‍ ଲାଗୁ ହେବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ସୀତାରମଣ ବିଭିନ୍ନ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ମୁଖ୍ୟ, ଭାରତୀୟ ବ୍ୟାଙ୍କ ମହାସଂଘର ମୁଖ୍ୟ କାର୍ଯ୍ୟନିର୍ବାହୀ ଏବଂ ଅଗ୍ରଣୀ ଘରୋଇ ବ୍ୟାଙ୍କଗୁଡ଼ିକର ପ୍ରତିନିଧିମାନଙ୍କ ସହିତ ବ୍ୟାଙ୍କିଙ୍ଗ୍‍ ସମସ୍ୟା ଉପରେ ଆଲୋଚନା କରିବା ସମୟରେ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି ଡିଜିଟାଲ୍‍ ନେଣଦେଣକୁ ଲୋକାଭିମୁଖୀ କରିବା ସହ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଆରମ୍ଭ ହେବାକୁ ଯାଉଥିବା ଏହି ନୂତନ ବ୍ୟବସ୍ଥା ସଂପର୍କିତ ବିଜ୍ଞପ୍ତି ଖୁବ୍‍ଶୀଘ୍ର ରାଜସ୍ୱ ବିଭାଗ ପକ୍ଷରୁ ଜାରି କରାଯିବ। ବାର୍ଷିକ ୫୦ କୋଟି କିମ୍ବା ତଦୁଦ୍ଧ୍ୱ ଟଙ୍କାର ବ୍ୟବସାୟ କରୁଥିବା ସମସ୍ତ କମ୍ପାନି ଏଣିକି ନଗଦ ଅର୍ଥ କାରବାର ଲାଗି ରୁପେ, ଡେବିଟ୍‍ କାର୍ଡ ଏବଂ ୟୁପିଆଇ କ୍ୟୁଆର କୋଡ୍‍ ସେମାନଙ୍କର ଗ୍ରାହକଙ୍କୁ ଦେବାକୁ ବାଧ୍ୟତାମୂଳକ କରାଯାଇଛି। ଏହାଦ୍ୱାରା ସଂପୃକ୍ତ ଗ୍ରାହକମାନେ ଏହି ନୂତନ ବ୍ୟବସ୍ଥା ମାଧ୍ୟମରେ ଆର୍ଥିକ କାରବାର କରିପାରିବେ।

ଏମ୍‍ଡିଆର ହେଉଛି ଡିଜିଟାଲ୍‍ ନେଣଦେଣ ମାଧ୍ୟମରେ ଯେକୌଣସି କମ୍ପାନି ନିଜର ଗ୍ରାହକଙ୍କ ପ୍ରାପ୍ୟ ଗ୍ରହଣ କରିବା ଉଦ୍ଦେଶ୍ୟରେ ବ୍ୟାଙ୍କକୁ ପୈଠ କରୁଥିବା ଅର୍ଥ। ଏହାଛଡ଼ା ଅର୍ଥମନ୍ତ୍ରୀ ସୀତାରମଣ ଏହି ଅବସରରେ ଏକ ସାଧାରଣ ଇ-ଅକ୍ସନ ପ୍ଲାଟଫର୍ମର ଶୁଭାରମ୍ଭ କରିଛନ୍ତି। ଏହା ମାଧ୍ୟମରେ ବିଭିନ୍ନ ଋଣ ଖିଲାପକାରୀଙ୍କ ସମ୍ପତ୍ତିକୁ ଆଟାଚ୍‍ କରାଯାଇ ଏହି ନୂତନ ବ୍ୟବସ୍ଥା ମାଧ୍ୟମରେ ବିକ୍ରୟ କରାଯାଇ ପାରିବ। ଏହା ଦ୍ୱାରା ସେହି ସମ୍ପତ୍ତିର ବିକ୍ରୟ ମୂଲ୍ୟ ବୃଦ୍ଧି ପାଇବ। ଗତ ତିନୋଟି ଆର୍ଥିକ ବର୍ଷ ମଧ୍ୟରେ ବିଭିନ୍ନ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ପକ୍ଷରୁ ୨ଲକ୍ଷ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ଆଟାଚ୍‍ କରାଯାଇଛି। ସେହିଭଳି ବ୍ୟାଙ୍କିଙ୍ଗ୍‍ କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ସଂପ୍ରତି ସରକାରଙ୍କ ପକ୍ଷରୁ ୬୦ ହଜାର କୋଟି ଟଙ୍କା ବିନିଯୋଗ କରାଯାଇଥିବା ବେଳେ ଏଥିଲାଗି ଅତିରିକ୍ତ ୮ହଜାର ୮୫୫ କୋଟି ଟଙ୍କା ବିନିଯୋଗ କରାଯିବ ବୋଲି ସୀତାରମଣ କହିଛନ୍ତି।

ଚଳିତଥର ବ୍ୟାଙ୍କିଙ୍ଗ୍‍ କ୍ଷେତ୍ରରେ ବାଣିଜ୍ୟିକ ନିଷ୍ପତ୍ତିକୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ଏହି ବୈଠକରେ କେତେକ ନିଷ୍ପତ୍ତି ନିଆଯାଇଛି। ଏଣିକି ଋଣ ଖିଲାପକାରୀଙ୍କୁ ଆୟକର ନୋଟିସ୍‍ ଦେବା ଲାଗି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ଖୁବ୍‍ଶୀଘ୍ର ଏକ ନୂତନ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିବେ।

Comments are closed.