ଛାତ୍ରଛାତ୍ରୀଙ୍କୁ ଦିଆଯିବ ତିନିମାସର ମଧ୍ୟାହ୍ନଭୋଜନ

ପ୍ରାଥମିକ ଛାତ୍ରଛାତ୍ରୀଙ୍କୁ ୯କେଜି, ଉଚ୍ଚପ୍ରାଥମିକଙ୍କୁ ୧୩କେଜି ୫୦୦

ଭୁବନେଶ୍ୱର :କରୋନାର ମୁକାବିଲା ଲାଗି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ୫୪ଲକ୍ଷ ଛାତ୍ରଛାତ୍ରୀଙ୍କୁ ମାଗଣାରେ ମଧ୍ୟାହ୍ନଭୋଜନ ତିନିମାସ ପାଇଁ ପ୍ରଦାନ କରାଯିବ। ଏନେଇ ବିଭାଗ ପକ୍ଷରୁ ଶନିବାର ଏକ ନିର୍ଦେଶନାମା ଜାରି କରାଯାଇଛି। ଆସନ୍ତା ଜୁନ୍ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ସାଧାରଣ ଖାଦ୍ୟ ସାମଗ୍ରୀ ବଣ୍ଟନ ଜରିଆରେ ମଧ୍ୟାହ୍ନଭୋଜନ ବାବଦକୁ ଚାଉଳ ଯୋଗାଇ ଦିଆଯିବ। ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ମାସିକ ୩କେଜି ହିସାବରେ ୩ମାସକୁ ୯କେଜି ଦିଆଯିବାକୁ ରହିଥିବାବେଳେ ଉଚ୍ଚପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ୧୩କେଜି ୫୦୦ଗ୍ରାମ ଦିଆଯିବ। ଛାତ୍ରଛାତ୍ରୀ କିମ୍ବା ତାଙ୍କ ଅଭିଭାବକମାନେ ସ୍ଥାନୀୟ ସାଧାରଣ ବଣ୍ଟନ ସାମଗ୍ରୀ ଦୋକାନରୁ କୁପନ ଦେଖାଇ ଚାଉଳ ସଂଗ୍ରହ କରିପାରିବେ ବୋଲି ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ ଚିତ୍ରା ଅରୁମୁଗମ ଦର୍ଶାଇଛନ୍ତି।
ଏନେଇ ଶ୍ରୀମତୀ ଅରୁମୁଗମ ସବୁ ଜିଲା ଶିକ୍ଷା ଅଧିକାରୀଙ୍କୁ ଏକ ନିର୍ଦେଶନାମା ଜାରି କରିଛନ୍ତି। ସେ ଦର୍ଶାଇଛନ୍ତି ଯେ ପ୍ରଥମରୁ ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ୯୦ଦିନ ପାଇଁ ୯କେଜି ଚାଉଳ ମାଗଣାରେ ଦିଆଯିବ। ସେହିପରି ଷଷ୍ଠରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ୩ମାସ ପାଇଁ ସାଢ଼େ ୧୩କେଜି ଚାଉଳ ଦିଆଯିବ। ବ୍ଲକ ଶିକ୍ଷା ଅଧିକାରୀ ଏନେଇ ବିଦ୍ୟାଳୟସ୍ତରୀୟ ତାଲିକା ପ୍ରସ୍ତୁତ କରିବେ। ଏଥିରେ ପ୍ରଧାନଶିକ୍ଷକ ଓ ସିଆରସିସିମାନେ ସହଯୋଗ କରିବେ। ପ୍ରଧାନଶିକ୍ଷକମାନେ ଛାତ୍ରଛାତ୍ରୀ କିମ୍ବା ଅଭିଭାବକଙ୍କୁ ଚାଉଳ ଲାଗି ଏକ କୁପନ ଯୋଗାଇ ଦେବେ। ଯଦି କୌଣସି କ୍ଷେତ୍ରରେ ଛାତ୍ରଛାତ୍ରୀ ଚାଉଳ କୁପନ ନପାଇଲେ ସେକ୍ଷେତ୍ରରେ ଜିଲା ଶିକ୍ଷା ଅଧିକାରୀ ଓ ବ୍ଲକ ଶିକ୍ଷା ଅଧିକାରୀ ହସ୍ତକ୍ଷେପ କରି କୁପନ ଯୋଗାଇ ଦେବେ। ତେବେ ଚାଉଳ ପରିବହନ ଲାଗି ଯାହା ଅର୍ଥ ଆବଶ୍ୟକ ତାକୁ ଡ଼ିଇଓମାନେ ଯୋଗାଇ ଦେବେ। ଏହି ପରିସ୍ଥିତିରେ ବିଭାଗ ଅଧୀନରେ ଚାଲୁଥିବା ଋତୁକାଳୀନ ଦାଦନ ଶ୍ରମିକଙ୍କ ପିଲାଙ୍କ ଲାଗି ଉଦ୍ଦିଷ୍ଟ ଛାତ୍ରାବାସ ଏବଂ କେଜିବିଭି ଛାତ୍ରାବାସ ପ୍ରଭୃତି ବନ୍ଦ ରହିବ। ଯେଉଁ ଛାତ୍ରଛାତ୍ରୀଙ୍କ ପିତାମାତା ନଥିବେ ସେମାନେ ଛାତ୍ରାବାସରେ ରହିପାରିବେ।

 

Comments are closed.