ଗାଁ ରାସ୍ତାରେ କୋଇଲା ପରିବହନ ବନ୍ଦ ପ୍ରସଙ୍ଗ : ରାଜସ୍ୱ ଆୟୁକ୍ତ ଓ ଏମସିଏଲ ସିଏମଡିଙ୍କୁ ତଥ୍ୟ ପ୍ରଦାନ ପାଇଁ ନିର୍ଦ୍ଦେଶ

ସୁନ୍ଦରଗଡ଼ : ଜନଶକ୍ତି ବିକାଶ ପରିଷଦର ଆହ୍ୱାନକ୍ରମେ ଗାଁ ରାସ୍ତାରେ କୋଇଲା ପରିବହନ ବନ୍ଦ ଦାବିକୁ ନେଇ ଚାଲିଥିବା ଆନ୍ଦୋଳନ ୨୬ଦିନରେ ପହଞ୍ଚିଥିବାର ଜଣାପଡ଼ିଛି। ଆନ୍ଦୋଳନକାରୀଙ୍କ ଏକ ପ୍ରତିନିଧି ମଣ୍ଡଳୀ ରାଜ୍ୟ ମାନବାଧିକାର ଆୟୋଗର ଅଧ୍ୟକ୍ଷ ଜଷ୍ଟିସ ବିଜୟ କୃଷ୍ଣ ପଟେଲଙ୍କ ସୁନ୍ଦରଗଡ଼ ଗସ୍ତ ସମୟରେ ତାଙ୍କୁ ସାକ୍ଷାତ କରି ଏକ ଅଭିଯୋଗପତ୍ର ପ୍ରଦାନ କରିଥିଲେ। ଏହି ଅଭିଯୋଗପତ୍ରକୁ ଭିତ୍ତି କରି ଆୟୋଗର ଅଧ୍ୟକ୍ଷ ଜଷ୍ଟିସ ପଟେଲ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ, ମହାନଦୀ କୋଲ ଫିଲ୍ଡ ଲିଃ.ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ, ବସୁନ୍ଧରା ଏରିଆ ଜେନେରାଲ ମ୍ୟାନେଜର, ରାଜ୍ୟ ପ୍ରଦୂଷଣ ବୋର୍ଡ଼ର ସଦସ୍ୟ ସଚିବ ଓ ସୁନ୍ଦରଗଡ଼ ଜିଲାପାଳଙ୍କୁ ଏ ଅଭିଯୋଗ ଉପରେ ନିଜର ତଥ୍ୟ ଆସନ୍ତା ଏପ୍ରିଲ ୫ତାରିଖରେ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ସୁନ୍ଦରଗଡ଼ ଜିଲାପାଳଙ୍କୁ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

ଅଭିଯୋଗର ଗୁରୁତ୍ୱ, ସାମୁହିକ ସ୍ୱାର୍ଥ ଓ ଏକାଧିକ ମାନବାଧିକାର ଉଲଂଘନକୁ ଆୟୋଗ ଗୁରୁତ୍ୱର ସହ ନେଇ ଏହି ନିର୍ଦ୍ଦେଶନାମା ଦେଇଥିବାର ଜଣାପଡ଼ିଛି। ଅପରପକ୍ଷରେ ଆଜି ଜିଲା ପ୍ରଶାସନ ପକ୍ଷରୁ ସୁନ୍ଦରଗଡ଼ ଉପଜିଲାପାଳ ଅଭିମନ୍ୟୁ ବେହେରା ଆନ୍ଦୋଳନସ୍ଥଳରେ ପହଞ୍ଚି ମାନବାଧିକାର ଆୟୋଗଙ୍କ ନିର୍ଦ୍ଦେଶନାମା ସଂପର୍କରେ ଆନ୍ଦୋଳନକାରୀଙ୍କୁ କହିବା ସହ ଆନ୍ଦୋଳନରୁ ଓହରିଯିବା ପାଇଁ ପ୍ରବର୍ତ୍ତାଇଥିଲେ ହେଲେ ଆନ୍ଦୋଳନକାରୀମାନେ ଏଥିରୁ ସଂପୂର୍ଣ୍ଣ ଓହରିବାକୁ ମନା କରିଥିବା ବେଳେ ବେଶି ଭିଡ଼ ନ କରି ଅଳ୍ପ ଲୋକଙ୍କୁ ନେଇ ଆନ୍ଦୋଳନ ଜାରି ରଖିବେ ବୋଲି ଜନଶକ୍ତି ବିକାଶ ପରିଷଦର ରାଜେନ୍ଦ୍ର ନାଏକ ସୂଚନା ଦେଇଛନ୍ତି।

Comments are closed.