ଉତ୍ତର-କୋରିଆ ପରୀକ୍ଷା କଲା ଆଇସିବିଏମ୍

ଦକ୍ଷିଣ କୋରିଆ-ଆମେରିକା ବାୟୁସେନାର ସମରାଭ୍ୟାସ

ସିଓଲ : ନିଜର ଆଣବିକ ଶକ୍ତି ବୃଦ୍ଧି ପୂର୍ବକ ଉତ୍ତର-କୋରିଆ ଏହାର ଆନ୍ତଃମହାଦେଶୀୟ ବାଲାଷ୍ଟିକ କ୍ଷେପଣାସ୍ତ୍ର (ଆଇସିବିଏମ୍) ପରୀକ୍ଷା କରିଛି। ଶନିବାର ଏହି କ୍ଷେପଣାସ୍ତ୍ର ପରୀକ୍ଷା କରାଯାଇଥିବା ରବିବାର ଉତ୍ତରକୋରିଆ ସ୍ପଷ୍ଟ କରିଛି। ଉତ୍ତରକୋରିଆର ଏହି ଅଣୁଅସ୍ତ୍ର ପରୀକ୍ଷା ବିରୋଧୀ ଦକ୍ଷିଣ କୋରିଆ ଓ ଆମେରିକାକୁ ଉତ୍ତେଜିତ କରିଛି। ଜାନୁଆରୀ ୧ ପରେ ଉତ୍ତରକୋରିଆ ଏହି କ୍ଷେପଣାସ୍ତ୍ର ପରୀକ୍ଷା କରିଛି। ଉତ୍ତର କୋରିଆର ସେଣ୍ଟ୍ରାଲ ନ୍ୟୁଜ୍ ଏଜେନ୍ସି (କେସିଏନ୍‌ଏ)ର କହିବା ଅନୁଯାୟୀ ସର୍ବୋଚ୍ଚ ଶାସକ କିମ୍ ଜଙ୍ଗ ଉନ୍‌ଙ୍କ ନିର୍ଦେଶ ଅନୁଯାୟୀ ଶନିବାର ଆଇସିବିଏମ୍‌ (ୱାସୋଙ୍ଗ-୧୫)କୁ ପରୀକ୍ଷା କରାଯାଇଥିଲା। ଏପରିକି ଏହାକୁ ପରୀକ୍ଷା ଲାଗି ଆକସ୍ମିକ ଭାବେ ନିର୍ଦେଶ ଦିଆଯାଇଥିଲା। କେସିଏନଏ କହିଛି ଯେ ଯୁଦ୍ଧାସ୍ତ୍ରର ସଫଳତା ସମ୍ପର୍କରେ ଜାଣିବା ଲାଗି ଏହାର ପରୀକ୍ଷା ନିର୍ଦେଶ ଦିଆଯାଇଥିଲା। ଆଇସିବିଏମ୍‌କୁ ଏକ ଉଚ୍ଚ କୋଣରୁ ନିକ୍ଷେପ କରାଯାଇଥିଲା ଓ ଏହା ସର୍ବାଧିକ ୫୭୭୦ କିମି ଦୂରକୁ ଲକ୍ଷ୍ୟଭେଦ କରିଥିଲା। ଧାର୍ଯ୍ୟ ଲକ୍ଷ୍ୟସ୍ଥଳକୁ ଟାର୍ଗେଟ କରିବା ଲାଗି କ୍ଷେପଣାସ୍ତ୍ରଟିକୁ ୧ଘଣ୍ଟା ୬ମିନିଟ୍ ୫୫ ସେକେଣ୍ଡ ଲାଗିଥିଲା। ୱାସୋଙ୍ଗ ୧୫କୁ ୨୦୧୭ ମଧ୍ୟ ପରୀକ୍ଷା କରାଯାଇଥିବା କେସିଏନ୍‌ଏ କହିଛି। କ୍ଷେପଣାସ୍ତ୍ର ପରୀକ୍ଷଣ ସମୟରେ ଯେପରି ପଡୋଶୀ ରାଷ୍ଟ୍ର ପ୍ରଭାବିତ ନ ହେବ ସେଥିପ୍ରତି ଧ୍ୟାନ ଦିଆଯାଇଥିଲା। ୱାସୋଙ୍ଗ-୧୫ର ସଫଳ ପରୀକ୍ଷା ଉତ୍ତର କୋରିଆର ପରମାଣୁ ଶକ୍ତିର ପ୍ରମାଣ ଦେଇଛି। କିମ୍ ଜଙ୍ଗଙ୍କ ଭଉଣୀ କିମ୍ ୟୋ କହିଛନ୍ତି ଯେ ଆମେ ଆମର ଶତ୍ରୁର ପ୍ରତିଟି ପଦକ୍ଷେପ ଉପରେ ନଜର ରଖିଛି। କାରଣ ଏହି କ୍ଷେପଣାସ୍ତ୍ର ପରୀକ୍ଷା ପରେ ଆମେରିକା ଜାତିସଂଘ ସୁରକ୍ଷା ପରିଷଦର ହସ୍ତକ୍ଷେପ ନେବାକୁ ଯୋଜନା କରିଛି।
ଉତ୍ତର-କୋରିଆ ଏହାର ଆଇସିବିଏମ୍ ପରୀକ୍ଷା କରିବା ପରେ ଆମେରିକା ଓ ଦକ୍ଷିଣକୋରିଆ ପ୍ରତି ବିପଦ ସୃଷ୍ଟି ହୋଇଛି। ବିଶେଷକରି ଦକ୍ଷିଣ କୋରିଆ ନିଜକୁ ଏବେ ଅସୁରକ୍ଷିତ ମଣିଛି। ଉତ୍ତର-କୋରିଆର ଆହ୍ବାନର ମୁକାବିଲା କରିବା ଲାଗି ଦକ୍ଷିଣ କୋରିଆ ଓ ଆମେରିକା ବାୟୁସେନା ମିଳିତ ସମରାଭ୍ୟାସ କରିଛନ୍ତି। ଆମେରିକା ବାୟୁସେନା ଏହାର ବି-୧ବି, ଏଫ-୨୨କୁ ସମରାଭ୍ୟାସରେ ସାମିଲ କରିଛି। ସେହିପରି ଦକ୍ଷିଣ କୋରିଆ ଏହାର ଏଫ-୩୫ ଯୁଦ୍ଧବିମାନକୁ ଉଡାଣ କରିଛି। ଦକ୍ଷିଣ କୋରିଆ ଯୁଗ୍ମ ସେନା ମୁଖ୍ୟ କହିଛନ୍ତି ଯେ ମିଳିତ ସାମରିକ ଅଭିଯାନର ପ୍ରସ୍ତୁତି ପୂର୍ବକ ଏହି ସମରାଭ୍ୟାସ କରାଯାଇଛି। ଆମେରିକାର ବୋମା ନିକ୍ଷେପକାରୀ ଯୁଦ୍ଧବିମାନ ବି-୧ବିକୁ ଏସକର୍ଟ କରିବାର ଅଭ୍ୟାସ କରାଯାଇଛି। ଯୁଦ୍ଧ ସମୟରେ ବି-୧ବିକୁ ଆମେରିକା ଏଫ-୧୬, କୋରିଆର ଏଫ-୩୫ଏ, ଏଫ-୧୫କେ ଆଦି କରିନେବେ।
ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇପାରୁଥିବା ଆଇସିବିଏମ କ୍ଷେପଣାସ୍ତ୍ର ପରମାଣୁ ଶକ୍ତିସମ୍ପନ୍ନ ଯୁଦ୍ଧାସ୍ତ୍ର ପରିବହନ କରିଥାଏ। ଏହାର ସର୍ବନିମ୍ନ ଲକ୍ଷ୍ୟଭେଦ ଦୂରତା ୫୬୦୦ କିମି। ୧୯୫୮ରେ ସୋଭିଏତ ୟୁନିୟନ ପ୍ରଥମେ ଆଇସିବିଏମ୍ ତିଆରି କରିଥିଲା। ଏହାର ୨୦ବର୍ଷ ପରେ ଆମେରିକା ଓ ଚୀନ ଆଇସିବିଏମ୍ ତିଆରି କରିବାରେ ସଫଳ ହୋଇଥିଲେ। ପରବର୍ତ୍ତୀ ସମୟରେ ଭାରତ, ବ୍ରିଟେନ ଓ ଇସ୍ରାଏଲ ଏହି କ୍ଷେପଣାସ୍ତ୍ର ତିଆରି କରିବାରେ ସଫଳ ହୋଇଥିଲେ। ଭାରତ ତିଆରି କରିଥିବା ଅଗ୍ନି-୫ କ୍ଷେପଣାସ୍ତ୍ର ଆଇସିବିଏମ୍ ବର୍ଗର। ଏହାର ଲକ୍ଷ୍ୟଭେଦ ଦୂରତା ୭୫୦୦ କିମି।

Comments are closed.