ଅଜଣା ଗାଡି ଧକାରେ ଛାତ୍ର ମୃତ

0

ଖୁଣ୍ଟା : ମୟୁରଭଞ୍ଜ ଜିଲା ଖୁଣ୍ଟା ଥାନା ନାହ୍ଲୁଆ ନିକଟରେ ଏକ ଏକ ଅଜଣା ଗାଡି ଧକାରେ ଜଣେ କଲେଜ ଛାତ୍ରଙ୍କ ଶୋଚନୀୟ ମୃତ୍ୟୁ ହୋଇଥିବା ଜଣାପଡିଛି। ସୂଚନାମୁତାବକ, ଛାତ୍ର ଜଣଙ୍କ ଉଦଳା ଥାନା ଅନ୍ତର୍ଗତ ବଡସିଙ୍ଗାରୀଆ ନିକଟସ୍ଥ କଦଳବାଡିଆର ଅନନ୍ତ ହାଁସଦାଙ୍କ ପୁଅ ସାଗର(୧୮)। ବୁଧବାର ରାତିରେ ସାଗର ସେନାବାହିନୀରେ କାର୍ଯ୍ୟରତ ନିଜର ବାପାଙ୍କୁ ବାରିପଦାରେ ଛାଡି ସ୍କୁଟରରେ ଘରକୁ ଫେରୁଥିଲେ। ଫେରିବା ବାଟରେ ଖୁଣ୍ଟା ଉଦଳା ରାଜପଥ ୧୯ର ନାହ୍ଲୁଆ ନିକଟରେ ତାଙ୍କୁ ଗୁରତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ବାରିପଦାରୁ ରାଜଧାନୀ ଯାଉଥିବା ରାଜା ନାମକ ଦୂରଗାମୀ ଯାତ୍ରୀବାହୀ ବସ ଘଟଣା ସ୍ଥଳରେ ପହଞ୍ଚିବାପରେ କେତେକ ସହୃଦୟ ବ୍ୟକ୍ତିଙ୍କ ପ୍ରଚେଷ୍ଠାରେ ସାଗରଙ୍କୁ ମୁମୁର୍ଷୂ ଅବସ୍ଥାରେ ଉଦ୍ଧାର କରାଯାଇ ଏକ ଅଟୋରିକ୍ସାରେ ଚିକିତ୍ସା ପାଇଁ ଉଦଳା ନିଆଯାଇଥିଲା। ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟିବାରୁ ସେଠାରୁ ତାଙ୍କୁ ବାରିପଦା ପିଆରଏମ ମେଡିକାଲ କଲେଜ ଏବଂ ପରବର୍ତ୍ତି ସମୟରେ କଟକ ବଡ ଡାକ୍ତରଖାନାକୁ ପଠା ଯାଇଥିଲେ ହେଁ ବାଟରେ ସାଗରଙ୍କର ମୃତ୍ୟୁ ଘଟିଥିଲା। କୌଣସି ଆଜଣା ଗାଡି ଧକା ଦେବାରୁ ଏହି ଦୁର୍ଘଟଣା ଘଟିଥିବା ପୁଲିସ ଅନୁମାନ କରୁଛି। ଘଟଣା ସମ୍ପର୍କରେ ଖୁଣ୍ଟା ଥାନାରେ ଏକ ମାମଲା ରୁଜୁ କରାଯାଇଛି। ସାଗର ପରିବାରରେ ମଧ୍ୟମ ପୁତ୍ର ହୋଇଥିବା ବେଳେ ତାଙ୍କର ଦୁଇ ଭଉଣୀ ଅଛନ୍ତି। ସେ ଉଦଳା କଲେଜରେ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ ବାଣିଜ୍ୟର ଛାତ୍ର। ଗୁରୁବାର ଉଦଳାରେ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହାସ୍ତାନ୍ତର କରାଯାଇଥିଲା। ସାଗରଙ୍କ ମୃତ୍ୟୁ ଘଟଣା ଜଣା ପଡିବା ପରେ ଗ୍ରାମରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ସାଗର ଛାତ୍ର ସଂଗଠନ ମାସା ଆର୍ମିର ସକ୍ରିୟ ସଦସ୍ୟ ଥିଲେ। ଗୁରୁବାର ମାସା ଆର୍ମିର ରାଜ୍ୟ ସଭାପତି ସୁକୁଲାଲ ମାରାଣ୍ଡି, ଜିଲା ସଭାପତି ମୁକେଶ ମାରାଣ୍ଡି ଓ ଅନ୍ୟ ସଦସ୍ୟ ମାନେ ଗ୍ରାମରେ ପହଞ୍ଚି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହିତ ଗଭୀର ଶୋକ ପ୍ରକାଶ କରିଥିଲେ। ଦୁର୍ଘଟଣା ଘଟାଇ ଫେରାର ହୋଇଯାଇଥିବା ଗାଡିକୁ ଶୀଘ୍ର ଠାବ କରାଯିବା ସହ ଚାଳକ ଓ ଗାଡି ମାଲିକଙ୍କୁ ଗିରଫ କରି ସେମାନଙ୍କ ବିରୋଧରେ ହତ୍ୟା ମାମାଲା ରୁଜୁ କରାଯିବାକୁ ମାସା ଆର୍ମୀ ଦାବି କରିଛି।

Leave A Reply