ପ୍ରାଥମିକ ଶିକ୍ଷକଙ୍କ ତାଲିମ କେନ୍ଦ୍ରରେ ସିସିଟିଭି ବ୍ୟବସ୍ଥାରେ ଅନିୟମିତତା ଘଟଣା୧୫ଜଣ ବିଇଓଙ୍କୁ ୧୨.୭୮ଲକ୍ଷ ଟଙ୍କା ଫେରାଇବାକୁ ଆଦେଶ

ବଡ଼ସାହି: ମୟୂରଭଞ୍ଜ ଜିଲାରେ ପ୍ରାଥମିକ ଶିକ୍ଷକଙ୍କ ତାଲିମକେନ୍ଦ୍ରରେ ସିସିଟିଭି ବ୍ୟବସ୍ଥାରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ସେପ୍ଟେମ୍ବର ୨୮ ତାରିଖରେ ପ୍ରଥମେ ‘ସମାଜ’ରେ ଏକ ଅନୁସନ୍ଧାନ ମୂଳକ ସ୍ୱତନ୍ତ୍ର ଖବର ପ୍ରକାଶ ପାଇଥିଲା। ଓପେପାର ରାଜ୍ୟ ପ୍ରକଳ୍ପ ନିର୍ଦେଶଙ୍କ ନିର୍ଦେଶ କ୍ରମେ ଫେବୃଆରୀ ମାସ ୨ତାରିଖରୁ ୨୮ତାରିଖ ମଧ୍ୟରେ ଜିଲାର ୨୬ଟି ବିଇଓଙ୍କ କାର୍ୟ୍ୟାଳୟ ଅଧୀନରେ ସର୍ବଶିକ୍ଷା/ସମଗ୍ର ଶିକ୍ଷା ଅଭିଯାନ ଆନୁକୁଲ୍ୟରେ ଶିକ୍ଷା ସର୍କଲ ଅନୁଯାୟୀ ୪ଦିନ କରି ୨୭୯ଟି ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା। ‘ଉଜ୍ଜ୍ୱଳା ଓ ଉତ୍ଥାନ’ ତାଲିମ କୁହାଯାଉଥିବା କାର୍ୟ୍ୟକ୍ରମରେ ୨ୟଶ୍ରେଣୀରୁ ୮ମ ଶ୍ରେଣୀ ପର୍ୟ୍ୟନ୍ତ ପାଠ ପଢ଼ୁଥିବା ଛାତ୍ରଛାତ୍ରୀ ଶ୍ରେଣୀ ଅନୁସାରେ ଦକ୍ଷତା ନଥିଲେ ସେମାନଙ୍କୁ ବିଷୟ ଭିତ୍ତିକ ପ୍ରତିକାର ମୂଳକ କିପରି ଶିକ୍ଷାଦାନ କରାଯିବ ସେ ନେଇ ଶିକ୍ଷକ/ଶିକ୍ଷୟତ୍ରୀଙ୍କୁ ତାଲିମ ଦିଆଯାଇଥିଲା। ତେବେ ତାଲିମ ନେବାକୁ ଥିବା ଶିକ୍ଷକ/ଶିକ୍ଷୟତ୍ରୀଙ୍କ ଯଥା ସମୟରେ ଉପସ୍ଥାନ, ତାଲିମ ଗ୍ରହଣ ଓ ପ୍ରସ୍ଥାନର ସମସ୍ତ ରେକର୍ଡ଼ ରଖିବା ପାଇଁ ସିସିଟିଭି ବ୍ୟବସ୍ଥା କରିବା ପାଇଁ ନିର୍ଦେଶ ଥିଲା। ତାହା କିଣା ଯାଇ ଅବା ଭଡ଼ା ସୁତ୍ରରେ କେନ୍ଦ୍ରରେ ଲଗାଯାଇଥିଲା। ଜିଲାର ୨୬ଜଣ ବିଇଓଙ୍କୁ ଏନେଇ ଡ଼ିପିସିଙ୍କ କାର୍ୟ୍ୟାଳୟରୁ ଅଗ୍ରୀମ ୫୦ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା। ୧୧ଜଣ ବିଇଓ ସିସିଟିଭି ଓ ପ୍ରୋଜେକ୍ଟର ଆଦି ସାମଗ୍ରୀ ମିଳିଥିବା ଅଗ୍ରିମ ଟଙ୍କାରେ କିଣି ସଠିକ ବ୍ୟବହାର କରିଥିବା ବେଳେ ସେ ସବୁ ବର୍ତ୍ତମାନ ବିଭାଗ ଅଧୀନରେ ସମ୍ବଳ ଭାବରେ ରହିଛି। ଯାହାକି, ପରବର୍ତ୍ତୀ ସମୟରେ ବ୍ୟବହାର ହୋଇପାରିବ। ପରନ୍ତୁ କେତେକ ବିଇଓ ଭଡ଼ାସୁତ୍ରରେ ବ୍ୟବହାର କରିଛନ୍ତି। ଯାହାକି ସାମଗ୍ରୀ କ୍ରୟ ମୂଲ୍ୟର ୨/୩ଗୁଣ ଅଧିକ ମୂଲ୍ୟ। ଏହି ଖର୍ଚ୍ଚ ବାବଦକୁ ୧୫ଜଣ ବିଇଓଙ୍କ କାର୍ୟ୍ୟାଳୟରୁ ଜିଲା ଡ଼ିପିସିଙ୍କ କାର୍ୟ୍ୟାଳୟକୁ ପଠାଯାଇଥିବା ବିବିରଣୀ (ବିଲ୍)ସନ୍ଦେହ ଘେରକୁ ଆସିଥିଲା। ଖବର ପ୍ରକାଶ ପରେ ମୟୂରଭଞ୍ଜ ଜିଲାର ଭାରପ୍ରାପ୍ତ ଡ଼ିପିସି ଧୃବଚରଣ ବେହେରା ସେହି ୧୫ଜଣ ବିଇଓଙ୍କୁ ୧୨ଲକ୍ଷ ୭୮ହଜାର ୧୬୪ଟଙ୍କା ଫେରାଇବାକୁ ଆଦେଶ ଦେଇଛନ୍ତି। ଜିଲାର ଠାକୁରମୁଣ୍ଡା ବିଇଓ ସର୍ବାଧିକ ୨ଲକ୍ଷ ୧୮ହଜାର ଟଙ୍କା ଭଡ଼ା ବାବଦକୁ ଖର୍ଚ୍ଚ ହୋଇଥିବା ଦର୍ଶାଇଥିବା ବେଳେ ତାଙ୍କୁ ୧ଲକ୍ଷ ୭୩ହଜାର ୪୦୦ଟଙ୍କା ଫେରାଇବାକୁ ଆଦେଶ ଥିବା ବେଳେ ଯଶୀପୁର ବିଇଓ ୨ଲକ୍ଷ ୬ହଜାର ୪୦୦ଟଙ୍କା ଖର୍ଚ୍ଚ ଦର୍ଶାଇଥିବା ବେଳେ ଫେରାଇବେ ୧ଲକ୍ଷ ୩୮ହଜାର ୮୮୮ଟଙ୍କା। ସେହିପରି କପ୍ତିପଦା ବିଇଓ ୨ଲକ୍ଷ ୧୬ହଜାର ଖର୍ଚ୍ଚ ଦର୍ଶାଇଥିବା ଟଙ୍କାରୁ ୧ଲକ୍ଷ ୨୨ହଜାର ୪୦୦ଟଙ୍କା ଫେରାଇବେ। ଖୁଣ୍ଟା ବିଇଓ ୧ଲକ୍ଷ ୪୫ହଜାର ୮୦୦ଟଙ୍କାରୁ ୯୯ହଜାର ଟଙ୍କା, କରଞ୍ଜିଆ ବିଇଓ ୧ଲକ୍ଷ ୪୨ହଜାର ଟଙ୍କାରୁ ୯୦ହଜାର ଟଙ୍କା, ବହଳଦା ବିଇଓ ୧ଲକ୍ଷ ୨୭ହଜାର ୭୭୬ଟଙ୍କାରୁ ୮୬ହଜାର ୧୭୬ଟଙ୍କା, ରାଇରଙ୍ଗପୁର ବିଇଓ ୧ଲକ୍ଷ ୨୯ହଜାର ୬୦୦ଟଙ୍କାରୁ ୮୨ହଜାର ୮୦୦ଟଙ୍କା, ବଡ଼ସାହି ବିଇଓ ୯୮ହଜାର ଟଙ୍କାରୁ ୭୦ହଜାର ଟଙ୍କା, ଶୁଳିଆପଦା ୧ଲକ୍ଷ ୫ହଜାର ୭୦୦ଟଙ୍କାରୁ ୪୭ହଜାର ଟଙ୍କା, ଜାମଦା ବିଇଓ ୧ଲକ୍ଷ ୨୦ହଜାର ୧୦୦ଟଙ୍କାରୁ ୩୬ହଜାର ୧୦୦ଟଙ୍କା, ଶୁକୃଳି ବିଇଓ ୬୭ହଜାର ୨୦୦ଟଙ୍କାରୁ ୩୪ହଜାର ୮୦୦ଟଙ୍କା, ଉଦଳା ବିଇଓ ୬୪ହଜାର ଟଙ୍କାରୁ ଫେରାଇବେ ୧୨ହଜାର ଟଙ୍କା ଓ ଶାମାଖୁଣ୍ଟା ବିଇଓ ଫେରାଇବେ ୬୬ହଜାର ୨୦୦ଟଙ୍କା ଫେରାଇବାକୁ ଆଦେଶରେ ଉଲ୍ଲେଖ ଅଛି। ତେବେ ଗୋପବନ୍ଧୁନଗର ବିଇଓ ୧ଲକ୍ଷ ୪୯ହଜାର ଟଙ୍କାରୁ ୯୭ହଜାର ଟଙ୍କା ଫେରାଇବାକୁ ଆଦେଶ ପାଇ ସେ ଟଙ୍କା ଫେରାଇ ସାରିଥିବା ବେଳେ ଜାଲ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ଦେଇ ଚାକିରି ହରାଇଥିବା ବାରିପଦା ବିଇଓ ୧ଲକ୍ଷ ୩୨ହଜାର ଟଙ୍କାରୁ ୧ଲକ୍ଷ ୨୨ହଜାର ୪୦୦ଟଙ୍କା ଫେରାଇବାକୁ ଆଦେଶରେ ଉଲ୍ଲେଖ ରହିଛି। ଭାରପ୍ରାପ୍ତ ଡ଼ିପିସି ଶ୍ରୀ ବେହେରା ଅନିୟମିତତା ଥିଲେ କାର୍ୟ୍ୟାନୁଷ୍ଠାନ ନିଶ୍ଚିତ ନିଆଯିବ ବୋଲି ଖବର ପ୍ରକାଶ ପୂର୍ବରୁ ‘ସମାଜ’କୁ କହିଥିବା ବେଳେ ୧୫ଜଣଙ୍କୁ ୧୨ଲକ୍ଷ ୭୮ହଜାର ୧୬୪ଟଙ୍କା ଫେରାଇବାକୁ ଆଦେଶ ଦେଇଛନ୍ତି। ଯଦି ଏହି ୧୫ଜଣ ବିଇଓ ସଠିକ ସମୟରେ ଟଙ୍କା ନଫେରାନ୍ତି ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ଭାରପ୍ରାପ୍ତ ଡ଼ିପିସି ଶ୍ରୀ ବେହେରା କହିଛନ୍ତି ।

Comments are closed.