ଦିବ୍ୟାଙ୍ଗ ସୃଷ୍ଟିଙ୍କ ପାଠ ପଢାରେ ଅର୍ଥ ସାଜିଛି ବାଧକ ତଥାପି ପଢିବା ପାଇଁ ଗୁରୁଣ୍ଡି ଗୁରୁଣ୍ଡି ଅତିକ୍ରାନ୍ତ କରୁଛନ୍ତି ୨ କିମି ପଥ

ମୋହନା : ଗଜପତି ଜିଲ୍ଲା ମୋହନା ବ୍ଳକ ଅନ୍ତର୍ଗତ ଲୁହାଗୁଡି ପଞ୍ଚାୟତ ନିକଟସ୍ଥ କେଚାପଙ୍କା ଗ୍ରାମର ଲାବନ୍ୟ ଶବରଙ୍କ ଝିଅ ସୃଷ୍ଟି ଶବର (୧୪) ଜଣେ ଭିନ୍ନକ୍ଷମ ଛାତ୍ରୀ। ସେ ୯ମ ଶ୍ରେଣୀରେ ଲୁହାଗୁଡି ନିକଟ ଆଦିବାସୀ ହାଇସ୍କୁଲରେ ପାଠ ପଢନ୍ତି। ଜନ୍ମରୁ ସେ ଜଣେ ଭିନ୍ନକ୍ଷମ ୨ଟି ଗୋଡ ତାଙ୍କର ଅଚଳ ଥିବା ଯୋଗୁଁ ସେ ୨ ହାତରେ ଗୁରୁଣ୍ଡି ଗୁରୁଣ୍ଡି ୨ କି.ମି ଦୂର ନିକଟସ୍ଥ ବିଦ୍ୟାଳୟକୁ ପାଠ ପଢିବା ପାଇଁ ଆସନ୍ତି। ତାଙ୍କର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନୁହଁ। ବାପା ଲାବନ୍ୟ ଶବର ଜଣେ କୁଲି ମଜୁରିଆ ଗରୀବ ଶ୍ରେଣୀର ଲୋକ ହୋଇଥିବା ବେଳେ ମା ସାରା ଶବର ଜଙ୍ଗଲରେ ବଗଡ କାମ କରି ଯାହା ରୋଜଗାର କରନ୍ତି ସେଥିରେ ଘର ଚଳେ।

୧ମ ରୁ ୮ମ ପର୍ୟ୍ୟନ୍ତ ସୃଷ୍ଟି ନିଜ ଗ୍ରାମରେ ରହିଥିବା ବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ। ସେ ପିଲାଟି ଦିନରୁ ପାଠ ପଢିବା ପ୍ରତି ଆଗ୍ରହ ମନଭାବ ରହିଆସୁଛି। ବିଦ୍ୟାଳୟରେ ଯେ କୌଣସି ବିଷୟ ପାଠ ପଢାଯାଏ ତାକୁ ସେ ମନଧ୍ୟାନ ଦେଇ ଶୁଣିବା ସହିତ ମନେ ରଖିପାରନ୍ତି ଓ ସଙ୍ଗେ ସଙ୍ଗେ ଖାତାରେ ଲେଖି ରଖନ୍ତି। ସେ ଗ୍ରାମ୍ୟ ସ୍କୁଲରେ ପଢୁଥିବା ସମୟରେ ତାଙ୍କୁ ସରକାରଙ୍କ ତରଫରୁ ଏକ ୪ ଚକିଆ ଠେଲା ସାଇକେଲ ଗମନା ଗମନର ସୁବିଧା ପାଇଁ ପ୍ରଶାସନ ତରଫରୁ ଦିଆଯାଇଥିଲା ତାହା ସହ ମାସକୁ ୭ ଶହ ଟଙ୍କା ଭିନ୍ନକ୍ଷମ ଭତା ମଧ୍ୟ ମିଳି ଆସୁଛି। କିନ୍ତୁ ଗ୍ରାମ ରାସ୍ତା ମରଣଯନ୍ତା ପାଲଟିଥିବା ଯୋଗୁଁ ସେ ସାଇକେଲର ସାହାଯ୍ୟ ନେଇ ଆସିବା କଷ୍ଟସାଧ୍ୟ ଅଟେ। ଏଣୁ ସେ ବହୁ ଦୁଃଖ କଷ୍ଟରେ ଖରା,ବର୍ଷା ଓ ଶୀତରେ ମଧ୍ୟ ବିଦ୍ୟାଳୟକୁ ନିୟମିତ ପାଠ ପଢିବା ପାଇଁ ଆସନ୍ତି। କିନ୍ତୁ ଦୁର୍ଭାଗ୍ୟର କଥା ସେ ଭଲଭାବେ କହିପାରନ୍ତି ନାହିଁ। ଏଣୁ ଲୋକେ ତାଙ୍କ କଥାକୁ ଭଲଭାବେ ବୁଝି ପାରନ୍ତି ନାହିଁ। ସୃଷ୍ଟି ସକାଳେ ଘରେ ଯାହା କିଛି ଖାଇ ବିଦ୍ୟାଳୟକୁ ଆସିଥାନ୍ତି ଖରାବେଳେ ବିଦ୍ୟାଳୟରେ ପାଣି ପିଇ ବା କେବେ କେମିତି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀମାନେ ଆଣିଥିବା ଖାଦ୍ୟରୁ କିଛି ଖାଇବାକୁ ଦିଅନ୍ତି। ସେତିକି ଖାଇ ସେ ସନ୍ତୁଷ୍ଟ ହୋଇ ପାଠ ପଢିବାରେ ଧ୍ୟାନ ଦିଅନ୍ତି। ପରିବାର ଓ ସ୍କୁଲ କର୍ତୁପକ୍ଷଙ୍କ ତରଫରୁ ସରକାରଙ୍କ ନିକଟରେ ଅନୁରୋଧ କରିଛନ୍ତି ଯେ ସୃଷ୍ଟିଙ୍କୁ ଛାତ୍ରୀନିବାସରେ ରଖିବା ସହିତ ପାଠ ପଢିବାରେ ସାହାଯ୍ୟ କଲେ ସେମାନେ ପ୍ରଶାସନ ନିକଟରେ ଚିର ରଣି ହୋଇ ରହିବେ। ଏ ବିଷୟରେ ଜିଲ୍ଲା ମଙ୍ଗଳ ଅଧିକାରୀ ସନ୍ତୋଷ ରଥଙ୍କୁ ପଚାରିବାରୁ ସେ କହିଛନ୍ତି ଏଭଳି ଖବର ମୋ ନଜରକୁ ଆସିନଥିଲା। ତୁରନ୍ତ ଛାତ୍ରୀଜଣଙ୍କୁ ସମସ୍ତ ସୁବିଧା ଥିବା ଛାତ୍ରୀନିବାସରେ ରଖାଯିବା ସହ ପାଠ ପଢିବାର ସୁବନ୍ଦୋବସ୍ତ କରାଯିବ ବୋଲି କହିଛନ୍ତି ।

Comments are closed.