୫ଟି ଓ ମୋ ସରକାର ଭେଳିକି: ମୟୂରଭଞ୍ଜରେ ଖାଲି ପଡ଼ିଛି ୧୯୩ଟି ଡ଼ାକ୍ତର ପଦବୀ

ସ୍ୱାସ୍ଥ୍ୟ ସେବା ବିପର୍ୟ୍ୟସ୍ତ: ୪୦୭ ସ୍ଥାନରେ କାର୍ୟ୍ୟ କରୁଛନ୍ତି ୨୧୪

ବଡ଼ସାହି (ମନୋଜ ପଣ୍ଡା): ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲାରେ ସ୍ୱାସ୍ଥ୍ୟସେବା ବିପର୍ୟ୍ୟସ୍ତ ହୋଇପଡ଼ିଛି। ସରକାର ସ୍ୱାସ୍ଥ୍ୟ ବିଭାଗକୁ ୫-ଟି ବା ମୋ ସରକାରରେ ସାମିଲ କରିଥିଲେ ହେଁ ଡ଼ାକ୍ତର ଅଭାବ ସମ୍ପ୍ରତି ସରକାରଙ୍କ ପ୍ରଣିତ ଯୋଜନାକୁ ସଫଳ କରିବାରେ ବାଧକ ସାଜିଛି। ୫ଟି ସଚିବ ଭିକେ ପଣ୍ଡିଆନ ଇତି ମଧ୍ୟରେ ବାରିପଦା ଗସ୍ତରେ ଆସି ଫେରିଛନ୍ତି। ତତ୍କାଳୀନ ସିଡ଼ିଏମଓ ମଧ୍ୟ ସମସ୍ୟା ସମ୍ପର୍କରେ ଅବଗତ କରିଥିଲେ। ମାତ୍ର ସ୍ଥିତି ବଦଳିନି।

ଜିଲାରେ ମେଡ଼ିକାଲ କଲେଜ ଖୋଲିଥିଲେ ହେଁ ଗ୍ରାମାଞ୍ଚଳରେ ଥିବା ଡ଼ାକ୍ତରଖାନାରେ ଡ଼ାକ୍ତରଙ୍କ ଅଭାବ ପାଇଁ ସ୍ୱଳ୍ପ ଖର୍ଚ୍ଚ ଓ ଘର ନିକଟରେ ସର୍ବନିମ୍ନ ସ୍ୱାସ୍ଥ୍ୟ ସେବା ପୂର୍ବ ଭଳି ଜନସାଧାରଣ ପାଇ ପାରୁ ନାହାନ୍ତି। ଜିଲା ମୁଖ୍ୟ ଡ଼ାକ୍ତରଖାନା ସାଙ୍ଗକୁ ରାଇରଙ୍ଗପୁର, କରଞ୍ଜିଆ ଓ ଉଦଳାରେ ୩ଟି ଉପଖଣ୍ଡ ଡ଼ାକ୍ତରଖାନା ସାଙ୍ଗକୁ ୨୬ଟି ବ୍ଲକରେ ୨୬ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରହିଛି। ସେମାନଙ୍କ ଅଧୀନରେ ଏରିଆ ହସ୍ପିଟାଲ, ନିଉ ପିଏଚ୍ସି ଓ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଆଦି କାର୍ୟ୍ୟ କରୁଛି। ତେବେ ସମସ୍ତ ସ୍ଥାନରେ ଡ଼ାକ୍ତର ପଦବୀ ଖାଲି ବର୍ତ୍ତମାନ ପ୍ରମୁଖ ସମସ୍ୟା ପାଟଲିଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ ପ୍ରଶାସନିକ ଅଧିକାରୀ ପଦବୀ ଗୋଟିଏ ଖାଲି ଥିବା ବେଳେ ୪୬ଜଣ ଡ଼ାକ୍ତରଙ୍କ ପଦ ଖାଲି ପଡ଼ିଛି। ୮୨ ଜଣଙ୍କ ସ୍ଥାନରେ ଏଠାରେ ୩୬ଜଣ କାର୍ୟ୍ୟ ତୁଲାଉଛନ୍ତି। ସେହିପରି ରାଇରଙ୍ଗପୁର ଉପଖଣ୍ଡ ଡ଼ାକ୍ତରଖାନାରେ ୨୨ଜଣଙ୍କ ମଧ୍ୟରୁ ମାତ୍ର ୮ଜଣ କାର୍ୟ୍ୟ କରୁଥିବା ବେଳେ ୧୪ଟି ପଦ ଖାଲି ପଡ଼ିଛି। କରଞ୍ଜିଆରେ ୨୨ରୁ ୯ଜଣ ଥିବା ବେଳେ ଖାଲି ପଡ଼ିଛି ୧୩ ପଦ। ଉଦଳାରେ ମାତ୍ର ୬ଜଣ ଡ଼ାକ୍ତର ସମ୍ଭାଳିଛନ୍ତି ଉପଖଣ୍ଡ ଡ଼ାକ୍ତରଖାନା। ଏଠାରେ ୧୮ ସ୍ଥାନରେ ୧୨ଟି ପଦବୀ ଖାଲି ପଡ଼ିଛି।

୨୬ଟି ବ୍ଲକରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡ଼ିକର ବର୍ତ୍ତମାନ ସ୍ଥିତି ଅନୁଯାୟୀ ଉଦଳା ଓ ଗୋପବନ୍ଧୁନଗର(ଖୁଣ୍ଟା)ରେ ମାତ୍ର ୨-୨ଜଣ ଡ଼ାକ୍ତର ଥିବା ବେଳେ ସେଠାରେ ୭ ଓ ୧୦ଟି ପଦ ଖାଲି ପଡ଼ିଛି। ସେହିପରି ବେତନଟୀ, ତିରିଂ, ବିଶୋଇ(ମଣଦା) ଓ ଶୁକୃଳିରେ ୩-୩ଜଣ ଡ଼ାକ୍ତର କାର୍ୟ୍ୟ କରୁଥିବା ବେଳେ ଯଥାକ୍ରମେ ୮, ୪, ୫ ଓ ୪ଟି ପଦ ଖାଲି ପଡ଼ିଛି। ସଦର(କେସିପୁର), ବିଜାତଳା, ଜାମଦା, ଖୁଣ୍ଟା(ଡୁକୁରା) ଓ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଯଥାକ୍ରମେ ୭, ୯, ୮, ୭ ଓ ୧୦ଜଣ ଡ଼ାକ୍ତରଙ୍କ ସ୍ଥାନରେ ୪ଜଣ ଲେଖାଏଁ କାର୍ୟ୍ୟ କରୁଛନ୍ତି। ରାସଗୋବିନ୍ଦପୁର, ରାଇରଙ୍ଗପୁର(ଗୋରୁମହିଷାଣୀ) ଓ କରଞ୍ଜିଆ(ତାଟୋ) ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଯଥାକ୍ରମେ ୧୦, ୮ ଓ ୯ଜଣଙ୍କ ସ୍ଥାନରେ ୫ଜଣ ଲେଖାଏଁ ଅଛନ୍ତି। ଶାମାଖୁଣ୍ଟା(ରଙ୍ଗାମାଟିଆ), ରରୁଆଁ, କପ୍ତିପଦା ଓ କୁସୁମୀ(ବାଦାମପାହାଡ଼)ରେ ଯଥାକ୍ରମେ ୯, ୧୨, ୯ ଓ ୧୧ଜଣଙ୍କ ସ୍ଥାନରେ ୬ଜଣ ଲେଖାଏଁ ଡ଼ାକ୍ତର ରହିଛନ୍ତି। ସେହିପରି ବାଙ୍ଗିରିପୋଷି, ସାରଷକଣା(ଶିରଷା) ଓ ବହଳଦାରେ ଯଥାକ୍ରମେ ୧୧, ୯ ଓ ୧୨ଜଣଙ୍କ ସ୍ଥାନରେ ୭ଜଣ ଲେଖାଏଁ ଡ଼ାକ୍ତର କାର୍ୟ୍ୟ କରୁଛନ୍ତି। ଶୁଳିଆପଦା(କୋଷ୍ଠା), କୁଳିଅଣା ଓ ବଡ଼ସାହିରେ ମଞ୍ଜୁର ପଦ ୧୧, ୧୦ ଓ ୧୨ଜଣ ଥିବା ବେଳେ ୮ଜଣ ଲେଖାଏଁ ଅଛନ୍ତି। ମୋରଡ଼ା(କିଷାନତାଣ୍ଡି)ରେ ୧୩ଜଣଙ୍କ ସ୍ଥାନରେ ୯ଜଣ କାର୍ୟ୍ୟ କରୁଥିବା ବେଳେ ଓ ଯଶୀପୁରରେ ୧୪ଜଣଙ୍କ ସ୍ଥାନରେ ୧୩ଜଣ ଡ଼ାକ୍ତର କାର୍ୟ୍ୟ କରୁଛନ୍ତି। ଜିଲାରେ ମୋଟ ୪୦୭ଜଣ ଡ଼ାକ୍ତରଙ୍କ ସ୍ଥାନରେ ୨୧୪ଜଣ କାର୍ୟ୍ୟ କରୁଥିବା ବେଳେ ୧୯୩ଟି ଡ଼ାକ୍ତର ପଦ ଖାଲି ପଡ଼ିଛି। ଏନେଇ ନବ ନିଯୁକ୍ତ ସିଡ଼ିଏମଓ ରୂପଭାନୁ ମିଶ୍ରଙ୍କୁ ପଚାରିବାରୁ ‘ପଦବୀ ଖାଲି ଥିବାରୁ ସମସ୍ୟା ଦେଖା ଦେଉଛି, ତେବେ ଅଧିକ ରୋଗୀ ଆସୁଥିବା ଡ଼ାକ୍ତରଖାନା ତାଲିକା ଅନୁଯାୟୀ ଡ଼ାକ୍ତରଙ୍କ ନିଯୁକ୍ତିକୁ ଅଗ୍ରାଧିକାର ଦିଆଯାଇଛି। ଖାଲି ଥିବା ପଦ ସମ୍ପର୍କିତ ସୂଚନା ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି। ଖୁବ ଶୀଘ୍ର ସେହି ପଦବୀ ପୂରଣ ହେବ ବୋଲି ଆଶା ରଖିଛୁ’ ବୋଲି କହିଛନ୍ତି। ଅନ୍ୟପଟେ ଜିଲାବାସୀ ସ୍ବାସ୍ଥ୍ୟ ସେବାକ୍ଷେତ୍ରରେ ଉନ୍ନତି ପାଇଁ ଯଥାଶିଘ୍ର ଖାଲିଥିବା ଡାକ୍ତର ପଦବୀ ପୂରଣ ପାଇଁ ଦାବି କରିଛନ୍ତି।

Comments are closed.