ମୟୂରଭଞ୍ଜର ବିକାଶ ପାଇଁ ୨୫୪ କୋଟି ଟଙ୍କାର ୪୨ଟି ବିଭିନ୍ନ ପ୍ରକଳ୍ପର ଉଦ୍‍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ବାରିପଦା ବଡଜଗନ୍ନାଥ ମନ୍ଦିରର ବିକାଶ ପାଇଁ ୫ କୋଟି ଟଙ୍କା ଘୋଷଣା

ବାରିପଦା:ବାରିପଦାଠାରୁ ଦଶ କିଲୋମିଟର ଦୂର ବାଙ୍କିଶୋଳଠାରେ ମୟୂରଭଞ୍ଜ ଜିଲାର ୧୫ ଶହ ଜନଜାତି ପିଲାଙ୍କର ପ୍ରଥମ ପର୍ଯ୍ୟାୟରେ ପାଠପଢିବା ସକାଶେ ପ୍ରତିଷ୍ଠିତ ଆଦାନୀ-କିସ୍‍ ଆବାସିକ ଜନଜାତି ବିଦ୍ୟାଳୟ ଏବଂ ପରିସରରେ ପ୍ରତିଷ୍ଠିତ ୫୦ ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟକୁ ଆଜି ପୂର୍ବାହ୍ନ ସାଢେ ୧୧ଟା ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇ କହିଥିଲେ ସମାଜର ସଶକ୍ତିକରଣ ତଥା ପରିବର୍ତ୍ତନ ଆଣିବା ଦିଗରେ ଶିକ୍ଷା ହିଁ ହେଉଛି ମୂଳମନ୍ତ୍ର। ମୟୂରଭଞ୍ଜର ବିକାଶ କ୍ଷେତ୍ରରେ ଏହି ଜନଜାତି ବିଦ୍ୟାଳୟ ଉଲ୍ଲେଖନୀୟ ପଦକ୍ଷେପ ଏବଂ ରାଜ୍ୟରେ ଏସଟିଏସସିଙ୍କର ସାମଗ୍ରୀକ ବିକାଶ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଦର୍ଶାଇଥିଲେ। ତତ୍‍ସହିତ ବାରିପଦାର ଶ୍ରୀଶ୍ରୀହରିବଳଦେବ ଜୀଉ ବଡଜଗନ୍ନାଥ ମନ୍ଦିରର ବିକାଶ ପାଇଁ ୫ କୋଟି ଟଙ୍କା ଦେବାର ଘୋଷଣା କରିବା ସହିତ ଖିଞ୍ଚି ଓ ଦେବକୁଣ୍ଡ ପର୍ଯ୍ୟଟନ ପାଇଁ ମଧ୍ୟ ସ୍ୱତନ୍ତ୍ର ଅନୁଦାନ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହା ଛଡା ୧୮ଟି ପାଇପ ଯୋଗାଣ ପ୍ରକଳ୍ପ, ୫ଟି ହାଇଲେଭଲ ସେତୁ, ମୋରଡା ବ୍ଲକରେ ନିର୍ମିତ ଭାଲିଆସୋଲ ଆଦର୍ଶ ବିଦ୍ୟାଳୟ ଭଳି ୫୩ କୋଟି ୬୦ ଲକ୍ଷ ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭ ଉଦ୍‍ଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥି ସହିତ  ମୁଖ୍ୟମନ୍ତ୍ରୀ ୨ ଶହ କୋଟି ୩୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ମୋଟ ୪୨ଟି ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏଥି ମଧ୍ୟରେ ରହିଛି ବାରିପଦା ମ୍ୟୁନିସିପାଲଟି ଅଞ୍ଚଳବାସୀଙ୍କ ପାଇଁ ଜଳଯୋଗାଣ ବ୍ୟବସ୍ଥା ସହ ୨ଟି ମେଗା ଜଳଯୋଗାଣ ପ୍ରକଳ୍ପ ଓ ୩ଟି ଜଳଯୋଗାଣ ପ୍ରକଳ୍ପ।

ଏହି ଉଦ୍‍ଘାଟନୀ ଉତ୍ସବରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁଦାମ ମାର୍ଣ୍ଡି, ମୟୂରଭଞ୍ଜ ଲୋକସଭା ସାଂସଦ ବିଶ୍ୱେଶ୍ୱର ଟୁଡୁ, ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ, ବାରିପଦା ବିଧାୟକ ପ୍ରକାଶ ସୋରନ, କିଟ୍‍-କିସ୍‍ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ, ଆଦାନୀ ଫାଉଣ୍ଡେସନ ଚେୟାରପର୍ସନ ଡ. ପ୍ରୀତି ଆଦାନୀ, ଜିଲାପାଳ ବିନୀତ ଭରଦ୍ୱାଜ ପ୍ରମୁଖ ବକ୍ତବ୍ୟ ରଖିଥିବା ବେଳେ ଏସଇଜେଡ୍‍ ଲିମିଟେଡ୍‍ର ମୁଖ୍ୟ ପରିଚାଳନା ଅଧିକାରୀ କରଣ ଗୌତମ ଆଦାନୀ ଧନ୍ୟବାଦ ଦେଇଥିଲେ।

Comments are closed.