ତୁଳସୀ ଚୌରାରୁ ହଜିଯାଉଛି ମୁରୁଜ

ବଡ଼ସାହି: କାର୍ତ୍ତିକ ମାସର ପଞ୍ଚକରେ ତୁଳସୀଚୌରା ମୂଳରେ ମୁରୁଜ ପକାଇବା ପରମ୍ପରା ଦିନେ ଓଡିଶାର ଘରେ ଘରେ ପ୍ରଚଳିତ ଥିଲା। ଯାହା ବର୍ତ୍ତମାନ ହଜିବାକୁ ବସିଲାଣି। ଫେସନ ଯୁଗରେ ତୁଳସୀଚୌରା ବର୍ତ୍ତମାନ ସିମେଣ୍ଟ ଓ ମାର୍ବଲ ଫାର୍ମର ତିଆରି କୁଣ୍ଡି ଅବା ଭଙ୍ଗା ବାଲଟି ଏପରିକି ପ୍ଲାଷ୍ଟିକ ଡ଼ବାରେ ମାଟି ଟିକକ ଥୋଇଦେଇ ଗଛଟିଏ ଲଗାଇ ବିଧି ରକ୍ଷା କରାଯାଉଥିବା ବେଳେ ଓଡିଆ ଘରର ବୋହୂ ଭୋରରୁ ଉଠି ଜଳାଶୟକୁ ଯାଇ ଗାଧୋଇ ବାଲୁକା ପୂଜା କରିବା ଆଉ ଦେଖିବାକୁ ମିଳୁନାହିଁ। ପୂର୍ବରୁ ମୁରୁଜ ପକାଇ ତୁଳସୀ ଚୌରା ମୂଳରେ ରାଇ-ଦାମୋଦର ଗୀତ ଗାଇ ନାଚିବା ଦୃଶ୍ୟ ମଧ୍ୟ ବର୍ତ୍ତମାନ ବିରଳ। ଅତୀତରେ କୃଷ୍ଣଙ୍କୁ ପାଇବା ପାଇଁ ଗୋପୀମାନେ ରାହାସ ପୂର୍ଣ୍ଣିମା ପୂର୍ବରୁ ବୃନ୍ଦାବତୀ ଅବା ତୁଳସୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ଆରମ୍ଭ ହୋଇଥିଲା ଏହି ପରମ୍ପରା। ଯାହାକି ଅତୀତରେ ଓଡିଆ ଘରେ କାର୍ତ୍ତିକମାସର ବହୁ ପୂର୍ବରୁ ମୁରୁଜ ପ୍ରସ୍ତୁତି ଆରମ୍ଭ ହେଉଥିଲା। ଯେପରି କୃଷ୍ଣଚୂଡା ପତ୍ର ଶୁଖାଇ ତାହାର ଗୁଣ୍ଡରୁ ସବୁଜ ରଙ୍ଗ, ଇଟାକୁ ଚୁରି ନାରଙ୍ଗୀ ରଙ୍ଗ, ତାଳ ଖୁକୁଣ୍ଡି ପୋଡି କଳା ରଙ୍ଗ, ଏପରିକି ଧଳା ପଥର ଚୁରି ଧଳା ରଙ୍ଗ ଆଉ ଦେଖିବାକୁ ମିଳୁନାହିଁ। ବିଭିନ୍ନ ବଣିଆ ଦୋକାନରେ ଏବେ ମିଳୁଛି ପ୍ରସ୍ତୁତ ରସାୟନିକ ରଙ୍ଗ ତଥା ହୋଲିରେ ବ୍ୟବହୃତ ହେଉଥିବା ଅଭିର ରଙ୍ଗ। ପେକେଟ ବା ଓଜନରେ କିଣି ନେଇ ଅନେକ ଓଡିଆଙ୍କ ଘରେ ଏବେ ବିଧିରକ୍ଷା ମୁତାବକ ତୁଳସୀଚୌରାରେ ପଡୁଛି ମୁରୁଜ। ଆଉ ତାହା ବି ପୂଜା ସରୁ ନସରୁ ଫୋଟ ଉଠାଇ ବୋହୂ ମାନେ ସୋସିଆଲ ମିଡ଼ିଆରେ ପ୍ରଶଂସା ସାଉଁଟିବାରେ ବ୍ୟଗ୍ର। ଘରର ଝିଅମାନେ ମୁରୁଜ ପକାଇବା ପାଇଁ ମଧ୍ୟ ଆଗ୍ରହ ନଥିବା ଦେଖିବାକୁ ମିଳୁଛି।

Comments are closed.