କମଳନାଥ ସରକାରକୁ ସମର୍ଥନ ଜାରି ରଖିବ ବିଏସ୍‌ପି: ମାୟାବତୀ

ନୂଆଦିଲ୍ଲୀ : ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ସରକାରକୁ ବିଏସ୍‌ପି ବାହ୍ୟ ସମର୍ଥନ ଜାରି ରଖିବ ବୋଲି ଏହାର ସୁପ୍ରିମୋ ମାୟାବତୀ ସ୍ପଷ୍ଟ କରିଛନ୍ତି। ସାମ୍ପ୍ରଦାୟିକ ତଥା ଜାତିବାଦ ଶକ୍ତିଗୁଡିକୁ ପରାଜିତ କରିବା ଲାଗି ଦଳ ଜାତୀୟ ସ୍ତରରେ ଏହି ନିଷ୍ପତ୍ତି ନେଇଛି ବୋଲି ବିଏସ୍‌ପି ଉପାଧ୍ୟକ୍ଷ ରାମଜୀ ଗୌତ୍ତମ କହିଛନ୍ତି। ଏପ୍ରିଲ ୩୦ରେ ଗୁନା ଲୋକସଭା ଆସନର ଜଣେ ପ୍ରାର୍ଥୀ କଂଗ୍ରେସରେ ସାମିଲ ହେବା ପରେ କମଳନାଥ ସରକାରରୁ ସମର୍ଥନ ପ୍ରତ୍ୟାହାର କରିବାକୁ ମାୟାବତୀ ଧମକ ଦେଇଥିଲେ। ମାତ୍ର ଏବେ ସମର୍ଥନ କାଏମ ରହିବ ବୋଲି ମାୟାବତୀ ଜଣାଇବା ପରେ କଂଗ୍ରେସକୁ ଆଶ୍ବସ୍ତି ମିଳିଛି। ଅନ୍ୟପଟେ କମଳନାଥ ତାଙ୍କ ମନ୍ତ୍ରୀମଣ୍ଡଳରେ ପରିବର୍ତ୍ତନ କରିବେ ବୋଲି ସୂଚନା ମିଳିଛି। କିନ୍ତୁ ଦଳର ବିଧାୟକମାନେ ମନ୍ତ୍ରୀମଣ୍ଡଳରେ ସାମିଲ ହେବାର କୌଣସି ଯୋଜନା ନାହିଁ ବୋଲି ଗୌତ୍ତମ ସ୍ପଷ୍ଟ କରିଛନ୍ତି। ବିଏସ୍‌ପିର ଦୁଇ ଜଣ ବିଧାୟକ ଯଥା ଭିଣ୍ଡର କୁଶୱାହା ଏବଂ ପଥରିଆର ରାମବାଇ ଠାକୁର, ଏସ୍‌ପିର ଜଣେ ବିଧାୟକ ଏବଂ ୪ ଜଣ ସ୍ବାଧୀନ ବିଧାୟକ ସମ୍ପ୍ରତି କମଳନାଥଙ୍କ ସରକାରକୁ ସମର୍ଥନ କରୁଛନ୍ତି। ମଧ୍ୟପ୍ରଦେଶର ୨୩୦ ବିଧାନସଭା ଆସନ ମଧ୍ୟରୁ ୧୧୪ଟିରେ କଂଗ୍ରେସ ଏବଂ ୧୦୯ଟିରେ ବିଜେପି ଜିତିଛି।

Comments are closed.