ଏସ୍‍ସିବିରେ ସର୍ବାଧିକ କୋଭିଡ ପରୀକ୍ଷା – ଦିନକରେ ୧୦୪୦

କଟକ: ରାଜ୍ୟରେ କରୋନା ଭୂତାଣୁ ସଂକ୍ରମିତ ସଂଖ୍ୟା ବଢିଚାଲିଛି। ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଅଧିକରୁ ଅଧିକ ସ୍ୱାବ ପରୀକ୍ଷା କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ ରାଜ୍ୟରେ ଦୈନିକ ୩ହଜାରରୁ ଊର୍ଦ୍ଧ୍ବ ସ୍ୱାବ ପରୀକ୍ଷା ହେଉଛି। ଏହି ପରୀକ୍ଷାର ସିଂହଭାଗ କଟକ ବଡ଼ ଡାକ୍ତରଖାନାରେ କରାଯାଉଛି। ପୂର୍ବରୁ ଏସସିବିରେ ଦୈନିକ ୫୦୦ରୁ ଊର୍ଦ୍ଧ୍ବ ସ୍ୱାବ ପରୀକ୍ଷା ହେଉଥିବାବେଳେ ବର୍ତ୍ତମାନ ତାହା ୧୦୦୦ରୁ ଅଧିକ ହେଲାଣି। ଗତକାଲି ଗୋଟିଏ ଦିନରେ ଏସ୍‍ସିବିରେ ସର୍ବାଧିକ ୧୦୪୦ ସ୍ୱାବ ପରୀକ୍ଷା ହୋଇଥିବା ଜଣାପଡିଛି। ଯାହା ରାଜ୍ୟର ସମସ୍ତ କୋଭିଡ ପରୀକ୍ଷା କେନ୍ଦ୍ରଗୁଡିକଠାରୁ ସର୍ବାଧିକ।

କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ରାଜ୍ୟରେ ସ୍ୱାବ ପରୀକ୍ଷା ଭିତ୍ତିଭୂମି ଦୃଢ କରିବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଥିଲେ। ପ୍ରାଥମିକ ପର୍ୟ୍ୟାୟରେ ଏମସରେ କରୋନା ସନ୍ଦିଗ୍ଧଙ୍କ ସ୍ୱାବ ପରୀକ୍ଷା ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ କଟକ ବଡ଼ ଡାକ୍ତରଖାନା ମାଇକ୍ରୋବାଇଓଲୋଜି ବିଭାଗରେ ସ୍ୱାବ ପରୀକ୍ଷା କରିବାକୁ କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିଥିଲେ। ପ୍ରାଥମିକ ପର୍ୟ୍ୟାୟରେ ଏସସିବିରେ ୨୦ଟି ସ୍ୱାବ ପରୀକ୍ଷା କରାଯାଉଥିଲା। ଏଥିପାଇଁ ମାଇକ୍ରୋବାଇଓଲୋଜି ବିଭାଗରେ ମାତ୍ର ଗୋଟିଏ ମେସିନ ରହିଥିଲା। ପରବର୍ତ୍ତୀ ସମୟରେ ଏସସିବିରେ ସ୍ୱାବ ପରୀକ୍ଷା ପାଇଁ ୪ଟି ମେସିନ ସରକାର ଯୋଗାଇ ଦେଇଛନ୍ତି। ଏଥିପାଇଁ ଏକ ସ୍ୱତନ୍ତ୍ର ଭିଡିଆରଏଲ ପରୀକ୍ଷାଗାରରେ ସ୍ୱାବ ପରୀକ୍ଷା କରାଯାଉଛି।

ଏସସିବିରେ ଗତକାଲି ସର୍ବାଧିକ ୧୦୪୦ଟି ସ୍ୱାବ ପରୀକ୍ଷା ହୋଇଥିବାବେଳେ ଏମ୍‍ସରେ ୧୧୩ଟି, ଆରଏମଆରସିରେ ୯୪୩ଟି, ଏମକେସିଜିରେ ୧୦୭ଟି, ଭିମ୍‍ସାରରେ ୩ଟି, ଆଇଏଲଏସରେ ୯୪୬ଟି, ଆଇଜିଏଚରେ ୧୬୪ଟି ଏବଂ ଆପୋଲୋ ହସ୍ପିଟାଲରେ ୩୨ଟି ସ୍ୱାବ ପରୀକ୍ଷା ହୋଇଥିବା ଜଣାପଡିଛି।

Comments are closed.