କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ‘ମତ୍ସ୍ୟସେତୁ’ ମୋବାଇଲ ଆପ୍‍ର ଶୁଭାରମ୍ଭ

ସିଫା ପକ୍ଷରୁ ପ୍ରସ୍ତୁତ ମୋବାଇଲ୍‍ ଆପ୍‍ ‘ମତ୍ସ୍ୟସେତୁ’

ପିପିଲି : ଜାତୀୟ ମତ୍ସ୍ୟ ଉନ୍ନୟନ ପରିଷଦର ଆର୍ଥିକ ସହାୟତାରେ କୌଶଲ୍ୟାଗଙ୍ଗ ସ୍ଥିତ କେନ୍ଦ୍ରୀୟ ମଧୁରଜଳ ଜୀବପାଳନ ଅନୁସନ୍ଧାନ ସଂସ୍ଥା (ସିଫା) ପକ୍ଷରୁ ମତ୍ସ୍ୟଚାଷୀଙ୍କ ନିମନ୍ତେ ପ୍ରସ୍ତୁତ ହୋଇଥିବା ମୋବାଇଲ୍‍ ଆପ୍‍ ‘ମତ୍ସ୍ୟସେତୁ’କୁ କେନ୍ଦ୍ର ମତ୍ସ୍ୟ, ପଶୁସଂପଦ ଓ ଗୋପାଳନ ମନ୍ତ୍ରୀ ଗିରିରାଜ ସିଂହ ବୁଧବାର ଲୋକାର୍ପିତ କରିଛନ୍ତି। ସମଗ୍ର ଦେଶର ମତ୍ସ୍ୟଚାଷୀମାନଙ୍କୁ ଅନ୍‍ଲାଇନ ପାଠ୍ୟକ୍ରମ ମାଧ୍ୟମରେ ଅଧୁନାତମ ବୈଷୟିକ ଜ୍ଞାନକୌଶଳକୁ ଯୋଗାଇଦେବା ଉଦ୍ଦେଶ୍ୟରେ ଏହି ମୋବାଇଲ୍‍ ଆପ୍‍ର ଉନ୍ମୋଚନ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ଭାରତ ସରକାରଙ୍କ ମତ୍ସ୍ୟବିଭାଗ ସଚିବ ଜେ.ଏନ୍‍. ସ୍ୱାଇଁ ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
କେନ୍ଦ୍ରମନ୍ତ୍ରୀ ଶ୍ରୀସିଂହ ନିଜ ବକ୍ତବ୍ୟରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ମତ୍ସ୍ୟ ସଂପଦ ଯୋଜନା (ପିଏମ୍‍ଏମ୍‍ଏସ୍‍ୱାଇ) ସଂପର୍କରେ ଆଲୋକପାତ କରିଥିଲେ। ଦେଶରେ ଟେକ୍ନୋଲୋଜି ଭିତ୍ତିକ ଜଳକୃଷିର ଉନ୍ନତି ପାଇଁ ମାଛଚାଷୀମାନଙ୍କ ସାମର୍ଥ୍ୟ ବୃଦ୍ଧିକରିବା ଏକ ପ୍ରମୁଖ କାର୍ଯ୍ୟ ହୋଇଥିବା ବେଳେ କୋଭିଡ୍‍-୧୯ ଭଳି ଦୁସ୍ଥିତି ସମୟରେ ମତ୍ସ୍ୟଚାଷୀଙ୍କ ସୁବିଧା ଅନୁଯାଇ ବୈଷୟିକ ଜ୍ଞାନକୌଶଳର ଅଭିବୃଦ୍ଧି ଓ ଉତ୍ତମ ପରିଚାଳନା କାର୍ଯ୍ୟର ଶିକ୍ଷା ନିମନ୍ତେ ଏହି ଆପ୍‍ଟି ବେଶ୍‍ ଫଳପ୍ରଦ ହେବ ବୋଲି ସେ ଆଶା ପ୍ରକାଶ କରିଥିଲେ। ନୂତନ ତଥା ଉନ୍ନତ ବୈଷୟିକ ଜ୍ଞାନାର୍ଜନ ଫଳରେ ମତ୍ସ୍ୟ କୃଷିକ୍ଷେତ୍ରରେ ବୈଜ୍ଞାନିକ ପଦ୍ଧତି ପ୍ରୟୋଗର ପ୍ରଭାବ ରହିବ ଓ ଉତ୍ପାଦନ ବୃଦ୍ଧି ପାଇବା ସହିତ ରୋଜଗାର ମଧ୍ୟ ବଢ଼଼ିବ ବୋଲି ସେ ପ୍ରକାଶ କରିବା ସହ ଏହି ଆପ୍‍ଟି ଅଂଶିଦାର ବିଶେଷ କରି ମତ୍ସ୍ୟଜୀବି, ମତ୍ସ୍ୟଚାଷୀ, ଯୁବକ ଓ ମତ୍ସ୍ୟ ଉଦ୍ୟୋଗୀମାନଙ୍କୁ ଅଧୁନାତମ ସୂଚନା ପ୍ରଦାନ କରିବା ନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ର ଭାବରେ କାର୍ଯ୍ୟ କରିବ ଓ ସେମାନଙ୍କୁ ବ୍ୟବସାୟ କରିବା ପାଇଁ ସୁଯୋଗ ସୃଷ୍ଟି କରିବ ବୋଲି ଦୃଢକ୍ତି ପ୍ରକାଶ କରିଥିଲେ। ଏହି ଆପ୍‍କୁ ପ୍ରସ୍ତୁତ କରିଥିବା ସିଫାକୁ ସେ ଭୂୟସି ପ୍ରଶଂସା କରିବା ସହ ଏହାର ପ୍ରଚାର ଓ ପ୍ରସାର ଉପରେ ଗୁରୁତ୍ୱାରୋପ କରିଥିଲେ।
ଏହି ‘ମତ୍ସ୍ୟସେତୁ’ ଆପ୍‍ ମାଧ୍ୟମରେ ଜଳକୃଷି ଚାଷୀମାନଙ୍କୁ ଅନ୍‍ଲାଇନ ପାଠ୍ୟକ୍ରମ ମାଧ୍ୟମରେ ପ୍ରତିଷ୍ଠିତ ଜଳକୃଷି ବିଶେଷଜ୍ଞମାନେ ବିଭିନ୍ନ ପ୍ରଜାତି ଓ ବିଷୟବସ୍ତୁ ଅନୁଯାୟୀ ପ୍ରଜନନ, ଜାଆଁଳ ଉତ୍ପାଦନ ଏବଂ ବାଣିଜ୍ୟ ଭିତ୍ତିକ ଗୁରୁତ୍ୱପୂର୍ଣ୍ଣ କାର୍ପମାଛ, ମାଗୁର, ଚିଙ୍ଗୁଡ଼ି, ଶେଉଳ, ରଙ୍ଗୀନମାଛ ଓ ମୁକ୍ତା ଉତ୍ପାଦନ ଆଦି ସଂପର୍କିତ ମୌଳିକ ବିଷୟବସ୍ତୁକୁ ସରଳ ଭାବରେ ବୁଝାଇଦେବେ ଓ ପ୍ରଦର୍ଶନ କରିବେ। ଜଳକୃଷିରେ ପୋଖରୀର ମାଟି ଓ ପାଣିର ଗୁଣବତ୍ତା, ଖାଦ୍ୟ ଓ ସ୍ୱାସ୍ଥ୍ୟର ଉତ୍ତମ ପରିଚାଳନା କରିବାର କୌଶଳ ମଧ୍ୟ ଏହି ଆପ୍‍ ମାଧ୍ୟମରେ ପ୍ରଦାନ କରାଯିବ। ଅନ୍ୟାନ୍ୟ ଅତିରିକ୍ତ ଶିକ୍ଷଣ ଉପାଦାନ ସହିତ ଶିକ୍ଷାର୍ଥୀଙ୍କ ସୁବିଧା ପାଇଁ ପାଠ୍ୟକ୍ରମକୁ ଛୋଟଛୋଟ ଭିଡିଓ ଅଧ୍ୟାୟରେ ପ୍ରସ୍ତୁତ କରାଯାଇଛି। ଶିକ୍ଷାର୍ଥୀମାନଙ୍କୁ ଉତ୍ସାହିତ କରିବା ପାଇଁ ଏକ ଜୀବନ୍ତ ଶ୍ରେଣୀକକ୍ଷର ଅନୁଭୂତି ପ୍ରଦାନ ପାଇଁ କୁଇଜ୍‍, ପରୀକ୍ଷା ଓ ସ୍ୱ-ମୂଲ୍ୟାୟନର ବ୍ୟବସା୍ଥ ମଧ୍ୟ ରହିଛି। ପ୍ରତିଟି ପାଠ୍ୟକ୍ରମ ଶେଷ ହେବାପରେ ଶିକ୍ଷାର୍ଥୀମାନଙ୍କୁ ଏକ ସ୍ୱୟଂକ୍ରିୟ ଇ-ସାର୍ଟିଫିକେଟ୍‍ ପ୍ରଦାନ କରାଯିବ।

Comments are closed.