ଦେଶର ମତ୍ସ୍ୟଚାଷୀଙ୍କ ପାଇଁ ମତ୍ସ୍ୟ ସେତୁ ଆପ୍‍ ଉନ୍ମୋଚିତ

ନୂଆଦିଲ୍ଲୀ: ଦେଶର ମତ୍ସ୍ୟଚାଷୀଙ୍କ ପାଇଁ ଏକ ନୂତନ ମତ୍ସ୍ୟ ସେତୁ ଆପ୍‍ ଉନ୍ମୋଚିତ ହୋଇଛି । ଏହା ସେମାନଙ୍କ ପାଇଁ ନିଜେ ବିଷୟ ଭିତ୍ତିକ ଅଥବା ମାଛ ପ୍ରଜାତି ସମ୍ପର୍କରେ ଜ୍ଞାନ ଆହରଣ କରିବାକୁ ସୁଯୋଗ ଯୋଗାଇଦେବ । କେନ୍ଦ୍ର ମତ୍ସ୍ୟ ଓ ପ୍ରାଣୀସଂପଦ ବିଭାଗ ମନ୍ତ୍ରୀ ଗିରିରାଜ ସିଂହ ଏହି ଅନ୍‍ଲାଇନ ଶିକ୍ଷା ପ୍ରଦାନକାରୀ ମୋବାଇଲ ଆପ୍‍ ‘ମତ୍ସ୍ୟ ସେତୁ” ଉନ୍ମୋଚନ କରିଛନ୍ତି ।
ଏହି ଆପ୍‍କୁ ଭୁବନେଶ୍ୱରସ୍ଥିତ ଆଇସିଏଆର-କେନ୍ଦ୍ରୀୟ ମଧୁର ଜଳ ମତ୍ସ୍ୟଚାଷ ପ୍ରତିଷ୍ଠାନ ପକ୍ଷରୁ ବିକଶିତ କରାଯାଇଛି ଏବଂ ଏଥିପାଇଁ ହାଇଦରାବାଦସ୍ଥିତ ଜାତୀୟ ମତ୍ସ୍ୟ ବିକାଶ ବୋର୍ଡ (ଏନଏଫଡିବି) ପାଣ୍ଠି ଯୋଗାଇ ଦେଇଛି । ଭୁବନେଶ୍ୱରସ୍ଥିତ ୱେଇଣ୍ଡିଆ ସଫ୍ଟଓୟାର ସଲ୍ୟୁସନ୍ସ ପ୍ରାଇଭେଟ ଲିମିଟେଡ ଏହି ଆପ୍ଲିକେସନ ପ୍ରସ୍ତୁତ କରିଛନ୍ତି ।
ଅନ୍‍ଲାଇନରେ ଉପଲବ୍ଧ ଏହି ପାଠ୍ୟକ୍ରମ ଆପ୍‍ ଦେଶର ମତ୍ସ୍ୟଚାଷୀଙ୍କୁ ସର୍ବାଧୁନିକ ମଧୁର ଜଳ ମତ୍ସ୍ୟଚାଷ ସମ୍ପର୍କିତ ପ୍ରଯୁକ୍ତି ସମ୍ପର୍କରେ ଶିକ୍ଷା ଦେବ । ଏହି ଅବସରରେ ଉଦ୍‍ବୋଧନ ଦେଇ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ କହିଥିଲେ, ଦେଶରେ ପ୍ରଯୁକ୍ତି ପରିଚାଳିତ ମଧୁର ଜଳ ମତ୍ସ୍ୟଚାଷକୁ ଆଗେଇନେବା ପ୍ରୟାସରେ ମତ୍ସ୍ୟଚାଷୀଙ୍କର ସାମର୍ଥ୍ୟ ବୃଦ୍ଧି ଏକ ମୁଖ୍ୟ ଅଂଶ ହୋଇଛି । ରଙ୍ଗୀନ ମାଛ, ମାଛଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତି ପଦ୍ଧତି, ଅମଳ ପରବର୍ତ୍ତୀ ସମୟରେ ସେଗୁଡିକୁ ମୂଲ୍ୟଯୁକ୍ତ କରିବା ଏବଂ ସାମୁଦ୍ରିକ ଶୈବାଳ ପରିଚାଳନା ଆଦି ସମ୍ପର୍କରେ ମତ୍ସ୍ୟଚାଷୀଙ୍କୁ ତାଲିମ ଦିଆଯିବା ଉପରେ ସେ ଗୁରୁତ୍ୱ ଦେଇଥିଲେ ।
ମତ୍ସ୍ୟ ସେତୁ ଆପ୍‍ ମାଛ ପ୍ରଜାତି ଅଥବା ବିଷୟଭିତ୍ତିକ ଅନ୍‍ଲାଇନ ଶିକ୍ଷା ଆହରଣ ସୁବିଧା ଯୋଗାଇଦେବ । ଏଥିରେ ବିଶିଷ୍ଟ ମତ୍ସ୍ୟଚାଷ ବିଶାରଦମାନେ ମୌଳିକ ଧାରଣା ଦେବା ସହିତ ମାଛ ବିହନ ଉତ୍ପାଦନ, ଖାଦ୍ୟ ଉତ୍ପାଦନ ଏବଂ ବ୍ୟବସାୟିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ବିବେଚିତ ମାଛ ପ୍ରଜାତି ଚାଷ ପ୍ରଣାଳୀ ସମ୍ପର୍କରେ କ୍ଷେତ୍ରସ୍ତରରେ ପ୍ରଦର୍ଶନ ସୁବିଧା ଯୋଗାଇଦେବେ । ଏଥିସହିତ ମୃତ୍ତିକା ଓ ଜଳର ମାନ ପରିଚାଳନା ଏବଂ ମାଛମାନଙ୍କୁ ଖାଦ୍ୟ ଦେବା ତଥା ମଧୁର ଜଳ ମାଛଚାଷ କ୍ଷେତ୍ରରେ ମାଛମାନଙ୍କର ସ୍ୱାସ୍ଥ୍ୟଗତ ପରିଚାଳନା ଆଦି ବିଷୟରେ ମଧ୍ୟ ଏହି ଅନ୍‍ଲାଇନ ଶିକ୍ଷାରୁ ଅନେକ ସହାୟତା ମିଳିପାରିବ ।
ମାଛଚାଷୀଙ୍କ ସୁବିଧା ପାଇଁ ଏହି ସମୁଦାୟ ପାଠ୍ୟକ୍ରମକୁ ଛୋଟ ଛୋଟ ଭିଡିଓରେ ବିଭକ୍ତ କରାଯାଇଛି । ତାହାସହିତ ଏଥିରେ ଆଉ କେତେକ ଶିକ୍ଷଣୀୟ ବିଷୟବସ୍ତୁ ମଧ୍ୟ ରହିଛି । ଏହା ମାଛଚାଷୀଙ୍କୁ ସେମାନଙ୍କର ଶିକ୍ଷା ଆହରଣ ଅନୁଭୂତିରେ ବୃଦ୍ଧି ଘଟାଇବା ପାଇଁ ନିଜ ସାମର୍ଥ୍ୟ ସମ୍ପର୍କରେ ନିଜେ ଆକଳନ କରିବାକୁ କୁଇଜ ଏବଂ ପରୀକ୍ଷା ଭଳି ବ୍ୟବସ୍ଥା ରହିଛି । ପ୍ରତ୍ୟେକ ପାଠ୍ୟକ୍ରମ ଅଧ୍ୟାୟ ଶେଷ ହେବାପରେ ଏହି ଆପ୍‍ରୁ ଆପେ ଆପେ ଇ-ସାର୍ଟିଫିକେଟ ପ୍ରସ୍ତୁତ ହୋଇଯିବ । ଆପ୍‍ ଜରିଆରେ ମତ୍ସ୍ୟଚାଷୀମାନେ ବିଶେଷଜ୍ଞଙ୍କ ଠାରୁ ନିର୍ଦ୍ଦିଷ୍ଟ ପରାମର୍ଶ ଲୋଡିପାରିବେ ।

Comments are closed.