୨୦ ଦିନରେ ସରିବ ମାଟ୍ରିକ ଖାତା ଦେଖା, ମୂଲ୍ୟାୟନ ପାଇଁ ନିୟୋଜିତ ହେବେ ଅଧିକ ୬ ହଜାର ଶିକ୍ଷକ

ଭୁବନେଶ୍ଵର : ମେ’ ୨୦ରୁ ମାଟ୍ରିକ ପରୀକ୍ଷା ଖାତା ଦେବ ଆରମ୍ଭ ହେବ। ୨୦ ଦିନ ଭିତରେ ଖାତାଦେଖା ଶେଷ କରିବାକୁ ମାଧ୍ୟମିକ ଶିକ୍ଷା ପରିଷଦ ଯୋଜନା କରିଛି। ଏଥିପାଇଁ ଆଉ ୬ ହଜାର ଅଧିକ ଶିକ୍ଷକଙ୍କୁ ନିଯୁକ୍ତ କରାଯିବ। ପୂର୍ବରୁ ୧୭ ହଜାର ଶିକ୍ଷକ ଖାତା ଦେଖୁଥିଲେ। ଏଥର ୨୩ ହଜାର ଶିକ୍ଷକ ଖାତା ଦେଖିବେ ବୋଲି ବୋର୍ଡ ସମ୍ପାଦକ ନିହାର ମହାନ୍ତି ସୂଚନା ଦେଇଛନ୍ତି । ଯେଉଁ ଶିକ୍ଷକ ଯେଉଁ କେନ୍ଦ୍ରରେ ରିପୋର୍ଟ କରିଥିଲେ, ସେଇଠି ଖାତା ଦେଖିବେ। ଖାତାଦେଖା କେନ୍ଦ୍ରରେ ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ସେହିପରି ସାମାଜିକ ଦୂରତ୍ୱ ଓ ସାନିଟାଇଜର ବ୍ୟବହାର ବାଧ୍ୟତାମୂଳକ କରାଯାଇଛି ।

ସାମାଜିକ ଦୂରତ୍ୱ ବଜାୟ ପାଇଁ ୩ଟି ଫେଜ୍‌ରେ ହେବ ଖାତାଦେଖା। ବିଭିନ୍ନ ବିଷୟକୁ ନେଇ ୩ଟି ଫେଜ୍, ୩ଟି ସମୟ କରାଯାଇଛି। ସଂପୃକ୍ତ ଶିକ୍ଷକ ଧାର୍ୟ୍ୟ ବିଷୟ ପାଇଁ ଉଦ୍ଦିଷ୍ଟ ସମୟରେ ଖାତା ଦେଖିବେ। ଓଡ଼ିଆ ଓ ସାମାଜିକ ବିଜ୍ଞାନ ଖାତା ଯେଉଁ ଶିକ୍ଷକମାନେ ଦେଖିବେ ସେମାନେ ସକାଳ ୮ଟାରୁ ରିପୋର୍ଟ କରିବେ। ଦିନ ୨ଟା ସୁଦ୍ଧା ଖାତା ଦେଖା ଶେଷ କରିବେ। ଇଂରାଜୀ ଓ ସାଧାରଣ ବିଜ୍ଞାନ ଖାତାଦେଖା ସକାଳ ୯ଟାରୁ ଆରମ୍ଭ ହେବ ଏବଂ ୩ଟା ସୁଦ୍ଧା ଶେଷ ହେବ। ହିନ୍ଦୀ, ସଂସ୍କୃତ ଏବଂ ଗଣିତ ଶିକ୍ଷକମାନେ ସାକଳ ସାଢ଼େ ୯ଟାରୁ ୪ଟା ଯାଏଁ ଖାତା ଦେଖିବେ ବୋଲି କହିଛନ୍ତି ବୋର୍ଡ ସମ୍ପାଦକ ନିହାର ମହାନ୍ତି।

ଏଥି ସହିତ ରାଜ୍ୟରେ ୨୦ ଦିନ ଭିତରେ ମାଟ୍ରିକ୍ ପରୀକ୍ଷା ଖାତା ମୂଲ୍ୟାୟନ ସରିବାକୁ ଯୋଜନା ରହିଛି । ତେବେ ଧାର୍ୟ୍ୟ ସମୟରୁ ୨ରୁ ୪ ଦିନ ଖାତାଦେଖା ବଢ଼ିପାରେ ବୋଲି ସୂଚନା ମିଳିଛି। ଅଧିକ ଶିକ୍ଷକ ନିୟୋଜିତ ହେଉଥିବାରୁ ଖାତା ଦେଖା ଶୀଘ୍ର ମଧ୍ୟ ସରିପାରେ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି। । ତେବେ ରାଜ୍ୟର କୌଣସି କଣ୍ଟେନମେଣ୍ଟ ଜୋନ୍‌ରେ ଖାତାଦେଖା କେନ୍ଦ୍ର ନଥିବା ମଧ୍ୟ ବୋର୍ଡ ସମ୍ପାଦକ କହିଛନ୍ତି ।

Comments are closed.