ନିଜ ସ୍କୁଲରେ ମାଟ୍ରିକ୍‌ ପରୀକ୍ଷା, ଶୀଘ୍ର ପ୍ରକାଶ ପାଇବ ନିୟମାବଳୀ

- ୱେବ୍‌ସାଇଟ୍‌ରେ ଅପଲୋଡ୍‌ ହେଲା ପ୍ରଶ୍ନପତ୍ର ବିବରଣୀ

ଭୁବନେଶ୍ୱର: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ମାଟ୍ରିକ୍‌ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ସେମାନେ ନିଜ ସ୍କୁଲରେ ଦେବେ ପରୀକ୍ଷା। ରାଜ୍ୟର ପ୍ରାୟ ୮ ହଜାର ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ନିଜ ସ୍କୁଲରେ ପରୀକ୍ଷା ଦେବେ। କରୋନା ଯୋଗୁଁ ବିଦ୍ୟାର୍ଥୀଙ୍କ ସ୍ବାସ୍ଥ୍ୟସୁରକ୍ଷା ସହ ମାନସିକ ଚାପରୁ ମୁକ୍ତ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏନେଇ ଶୁକ୍ରବାର ଘୋଷଣା କରିଛନ୍ତି। ପରୀକ୍ଷାକୁ ଶୃଙ୍ଖଳିତ କରିବାକୁ ବିଭାଗ ପକ୍ଷରୁ ଗୁରୁତ୍ବ ଦିଆଯାଇଛି। ଏଥର ଯେଭଳି ଅଧିକ ପରୀକ୍ଷାକେନ୍ଦ୍ରରେ ସିସି କ୍ୟାମେରା ଲାଗିବ ସେ ଦିଗରେ ବିଭାଗ କାର୍ୟ୍ୟାରମ୍ଭ କରିଛି। କପି ରୋକିବାକୁ ତ୍ରିସ୍ତରୀୟ ସ୍କାଡ ମୁତୟନ କରାଯିବ। ନିଜ ସ୍କୁଲରେ ପିଲା ପରୀକ୍ଷା ଦେବାକୁ ଥିବାବେଳେ ଅନ୍ୟ ବିଦ୍ୟାଳୟର ଶିକ୍ଷକ ନିରୀକ୍ଷକ ଭାବେ ନିଯୁକ୍ତ ହେବେ। ପରୀକ୍ଷାର ଅଳ୍ପଦିନ ପୂର୍ବରୁ ସଂପୃକ୍ତ ଶିକ୍ଷକଙ୍କୁ କେଉଁ ପରୀକ୍ଷା କେନ୍ଦ୍ରରେ ନିରୀକ୍ଷକ ହେବେ ସେନେଇ ଅବଗତ କରାଯିବ।

ଏଥର ଶହେ ମାର୍କ ବଦଳରେ ୮୦ ମାର୍କର ପରୀକ୍ଷା କରାଯିବ। ତେବେ ଛାତ୍ରଛାତ୍ରୀଙ୍କ ସାର୍ଟିଫିକେଟ୍‌ରେ ଶହେ ମାର୍କ ଉଲ୍ଲେଖ ରହିବ। କେଉଁଭଳି ମୂଲ୍ୟାୟନ କରାଯିବ ଓ ପ୍ରଶ୍ନପତ୍ରର ଢାଞ୍ଚା ସମ୍ବନ୍ଧରେ ବୋର୍ଡ ୱେବ୍‌ସାଇଟ୍‌ରେ ସବିଶେଷ ତଥ୍ୟ ପ୍ରଦାନ କରାଯାଇଛି। ଏଥର ଅଢେଇ ଘଣ୍ଟା ବଦଳରେ ୨ ଘଣ୍ଟାର ପରୀକ୍ଷା କରାଯିବ। ଛାତ୍ରଛାତ୍ରୀ ଓ ଅଭିଭାବକ www.bseodisha.nic.inରେ ଲଗ୍‌ଇନ୍‌ କରି ପ୍ରଶ୍ନପତ୍ର ସମ୍ବନ୍ଧରେ ସବିଶେଷ ତଥ୍ୟ ପାଇପାରିବେ। ଅନ୍ୟପକ୍ଷରେ ପରୀକ୍ଷା କେନ୍ଦ୍ର ଓ ପରୀକ୍ଷା ସୁପରିଚାଳନା ପାଇଁ ବୋର୍ଡ ପକ୍ଷରୁ ସ୍ବତନ୍ତ୍ର ନିୟମାବଳୀ ପ୍ରସ୍ତୁତ କରାଯାଉଛି। ଏହି ନିୟମାବଳୀ ଆଧାରରେ ପରୀକ୍ଷା କରାଯିବ। ଖୁବ୍‌ଶୀଘ୍ର ସବୁ ସ୍କୁଲ କର୍ତ୍ତୃପକ୍ଷଙ୍କୁ ନିୟମାବଳୀ ପ୍ରଦାନ କରାଯିବ।

ଅନ୍ୟପକ୍ଷରେ ଶହେ ଦିନରେ ପାଠପଢା ସାରିବାକୁ ଥିବାରୁ ରବିବାର ମଧ୍ୟ ପାଠ ପଢାଯାଉଛି। ଆସନ୍ତା ରବିବାର ୩୦ ଜିଲାର ବିଭିନ୍ନ ବିଦ୍ୟାଳୟ ଯାଇ ସ୍ଥିିତି ପରଖିବେ ନୋଡାଲ ଅଫିସର। ନୋଡାଲ ଅଫିସର ଗସ୍ତ କରିବା ପରେ ବିଭାଗ ନିକଟରେ ରିପୋର୍ଟ ଦାଖଲ କରିବେ। ରବିବାର ଶିକ୍ଷକଶିକ୍ଷୟିତ୍ରୀ ପାଠପଢା କାର୍ୟ୍ୟ‌େ‌ର ନିୟୋଜିତ ହେଉଥବାରୁ ବିଭାଗର ସଚିବଙ୍କ ସମେତ ଅନ୍ୟ ପ୍ରଶାସକ ମଧ୍ୟ କାମ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏବେ ରାଜ୍ୟରେ ମାଟ୍ରିକ୍‌ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ହାର ପ୍ରାୟ ୭୫% ରହିଛି।

Comments are closed.