ମାଟ୍ରିକ ପରୀକ୍ଷାରେ ଦୁର୍ବଳ ଫଳାଫଳ ପାଇଁ ତିନି ପ୍ରଧାନ ଶିକ୍ଷକଙ୍କୁ ନୋଟିସ

ତୁଷୁରା : ଚଳିତ ବର୍ଷ ପ୍ରକାଶ ପାଇଥିବା ବାର୍ଷିକ ହାଇସ୍କୁଲ  ପରୀକ୍ଷାରେ ସରକାରୀ ହାଇସ୍କୁଲରେ ଫଳାଫଳ ଅତି ଦୁର୍ବଳ ହୋଇଥିବାରୁ ଗୁଡ଼ଭେଲା ବ୍ଳକର ତିନି ଗୋଟି ହାଇସ୍କୁଲ ପ୍ରଧାନଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ହୋଇଥିବା ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଳଟିଛି । ରାଜ୍ୟରେ ଥିବା ସରକାରୀ ହାଇସ୍କୁଲ ମାନଙ୍କର ପାସ ହାର କାହିଁକି ପ୍ରଭାବିତ ହୋଇଛି ସେ ନେଇ ଶିକ୍ଷା ବିଭାଗ ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇଛି। ବଲାଙ୍ଗିର ଜିଳ୍ଳାରେ ପାସ ହାର ୭୩.୦୮ ପ୍ରତିଶତ ହୋଇଥିବାବେଳେ ଜିଳ୍ଳାର ୫୦ ପ୍ରତିଶତ ତଳେ ପାସ ହାର ଥିବା ୩୫ଉଚ୍ଚ ବିଦ୍ୟାଳୟକୁ କୈଫତ ତଲବ କରାଯାଇଛି। ବଲାଙ୍ଗିର ଶିକ୍ଷା ଅଧିକାରୀ ବଲାଙ୍ଗିରଙ୍କ ପତ୍ର ସଂଖ୍ୟା ୭୧୪୮/୧୧.୦୬.୧୯ରେ ଉପରୋକ୍ତ ସ୍କୁଲ ଗୁଡ଼ିକୁ କାହିଁକି ତାଙ୍କ ବିରୁଦ୍ଦରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଯିବ ସେ ନେଇ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ସେଥିମଧ୍ୟରୁ ଗୁଡ଼ଭେଲା ବ୍ଳକରେ ଥିବା ୧୪ ଗୋଟି ହାଇସ୍କୁଲ ମଧ୍ୟରୁ ତିନି ଗୋଟି ହାଇସ୍କୁଲ ରହିଛି । ଗୁଡ଼ଭେଲା ଉଚ୍ଚ ବିଦ୍ୟାଳୟ ଯେଉଁଥିରେ ୮୭ ଜଣ ଛାତ୍ର ପରୀକ୍ଷା ଦେଇଥିବାବେଳେ ୩୦ ଜଣ ପାସ୍‍ ହୋଇଛନ୍ତି ଯାହାକି ମୋଟ ପାସ୍‍ ହାର ୩୪.୪୮ ପ୍ରତିଶତ । ଏହି ସ୍କୁଲର ନବମ ଓ ଦଶମ ଶ୍ରେଣୀରେ ୧୬୧ ଜଣ ଛାତ୍ର ଥିବାବେଳେ ଆଠରୁ ଛଅ ଜଣ ଶିକ୍ଷକ ଅଛନ୍ତି । ଦୁଇ ଗୋଟି ଶିକ୍ଷକ ପଦ ଖାଲି ରହିଛି ।

ମାଟ୍ରିକ ଫଳ ଦୁର୍ବଳ ନେଇ ପ୍ରଧାନ ଶିକ୍ଷକ ଓମ୍ ପ୍ରକାଶ ସାହୁ କହନ୍ତି ଯେ ନଅ ଶ୍ରେଶୀରେ ଯେଉଁ ଛାତ୍ରମାନେ ଆସୁଛନ୍ତି ସେମାନେ ପ୍ରଥମ ଶ୍ରେଣୀରୁ ଦୁର୍ବଳ ରହୁଛନ୍ତି ଏବଂ ୫୦ ପ୍ରତିଶତ ପିଲା ପ୍ରତିଦିନ ପଢ଼ିବାକୁ ଆସୁ ନାହାନ୍ତି । ସେମାନଙ୍କ ପ୍ରତି ବାପା ମାଆଙ୍କ ଦାୟିତ୍ବ ମଧ୍ୟ ରହୁ ନାହିଁ କି ସ୍କୁଲରେ ଶିକ୍ଷକଙ୍କ ଭୟ ରହୁ ନାହିଁ । ଫଳରେ ଛାତ୍ରମାନଙ୍କୁ ଭୟ ଦେଖାଯାଇ ପାରୁ ନାହାନ୍ତି।  ତେଣୁ ଫଳ ଦୁର୍ବଳ ହେଉଛି । ସେହିପରି ତେନ୍ତୁଳିଖୁଣ୍ଟି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ରେ ମୋଟ ୬୪ ଜଣ ଛାତ୍ର ପରୀକ୍ଷା ଦେଇଥିବାବେଳେ ୩୦ ଜଣ ପାସ କରିଛନ୍ତି ଯାହାକି ୪୬.୮୮ ପ୍ରତିଶତ । ଏହି ହାଇସ୍କୁଲର ପ୍ରଧାନ ଶିକ୍ଷକ ଦାୟୀତ୍ୱରେ ଥିବା ଯଦୁମଣୀ ମେହେର କହନ୍ତି ଯେ ଆମ ସ୍କୁଲରେ ମୋଟ ୨୫୪ ଜଣ ଛାତ୍ର ପାଠ ପଢ଼ୁଥିବାବେଳେ ଆଠ ଶିକ୍ଷକଙ୍କ ବଦଳରେ ଛଅ ଜଣ ଶିକ୍ଷକ ରହିଛନ୍ତି । ଦୁଇ ବିଷୟର ଶିକ୍ଷକ ପଦବୀ ଖାଲି ରହିଛି। ଯେଉଁଥି ପାଇଁ ସେ ବିଷୟ ଗୁଡ଼ିକରେ ଫଳାଫଳ ଦୁର୍ବଳ ରହିଛି। ଆହୁରି ପ୍ରଧାନ ଶିକ୍ଷକ ଓ କିରାଣୀ ପଦ ମଧ୍ୟ ଖାଲି ରହିଛି ବୋଲି କହିବା ସହ ପିଲା ସଂଖ୍ୟା ଅଧିକ କିରାଣୀ ପଦ ନଥିବାରୁ ସ୍କୁଲ କାମରେ ବିଭିନ୍ନ ଶିକ୍ଷକ ବ୍ୟସ୍ତ ରହୁଛନ୍ତି । ପିଲାମାନେ ଦୁର୍ବଳ ରହୁଛନ୍ତି ନଅ ଶ୍ରେଣୀର କେତେକ ପିଲା ଏ’ ରୁ ଜେଡ଼’ ପର୍ଯ୍ୟନ୍ତ ଜାଣି ନାହାନ୍ତି। ଏପରିଭାବେ ଦୁର୍ବଳ ଅଛନ୍ତି ଯେ, ଗୋଟିଏ ପିଲା ନିଜର ବାପାର ନାମ ମଧ୍ୟ କହି ପାରୁ ନାହାନ୍ତି । ମୁଖ୍ୟତଃ କହିବାକୁ ଗଲେ ପ୍ରଥମ ଶ୍ରେଣୀରୁ ଦୁର୍ବଳ ଛାତ୍ରଛାତ୍ରୀ ଆସୁଥିବାବେଳେ ଭଳ ଛାତ୍ରଛାତ୍ରୀ ଆସୁ ନାହାନ୍ତି । ଅନ୍ୟପକ୍ଷରେ ରୁଷୁଡ଼ା ଉଚ୍ଚ ବିଦ୍ୟାଳୟରେ ୮୧ ଜଣ ଛାତ୍ର ପରୀକ୍ଷା ଦେଇଥିବାବେଳେ ୩୪ ଜଣ ପାସ୍ କରିଛନ୍ତି ଏବଂ ପାସ୍‍ ହାର ହେଉଛି ୪୧.୯୭ ପ୍ରତିଶତ । ଏହି ସ୍କୁଲର ପ୍ରଧାନ ଶିକ୍ଷକ ରାମକର ରଣା କହନ୍ତି ଯେ ୧୮୧ ଜଣ ଛାତ୍ର ପାଠ ପଢ଼ୁଥିବାବେଳେ ଆଠ ଶିକ୍ଷକଙ୍କ ମଧ୍ୟରୁ ଛଅ ଜଣ ଶିକ୍ଷକ ରହିଛନ୍ତି। ନଅ ଶ୍ରେଣୀରେ ଦୁର୍ବଳ ଛାତ୍ର ଆସୁଥିବାବଳେ ଶିକ୍ଷକଙ୍କ କଥା ମାନୁ ନାହାନ୍ତି କି ଘରକୁ ପାଠ କରିବାକୁ ଦେଲେ କରୁ ନାହାନ୍ତି । ସ୍କୁଲ ଦଣ୍ଡ ମୁକ୍ତ ହୋଇଥିବାରୁ ଶିକ୍ଷକଙ୍କୁ ଛାତ୍ରମାନେ ଭୟ କରୁ ନାହାନ୍ତି ଫଳରେ ଭୟ ଦେଖାଇ କିଛି କୁହା ଯାଇ ପାରୁ ନାହିଁ ।  ଯେଉଁ ବିଷୟର ଶିକ୍ଷକ ନାହାନ୍ତି ସେ ବିଷୟ ଗୁଡ଼ିକରେ ଦୁର୍ବଲ ଥିବା ମଧ୍ୟ ଅନ୍ୟ କାରଣ ବୋଳି କହିଥିଲେ। ତୁଷୁରା ଶିଶୁ ମନ୍ଦିରରେ ଶତ ପ୍ରତିଶତ ମାଟ୍ରିକ ଫଳ କେମିତି ହେଲା ବୋଲି ପଚାରିବାରୁ ଶିକ୍ଷକମାନେ କହନ୍ତି ଯେ ଶିଶୁ ମନ୍ଦିରର ବାପା ମାଆ ମାନେ ସବୁବେଳେ ଯତ୍ନବାନ ରହୁଛନ୍ତି । ଆମ ସାଧରଣ ସ୍କୁଳରେ ସେପରି ରହୁ ନାହାନ୍ତି । ଶିଶୁ ମନ୍ଦିରର ଛାତ୍ରମାନେ ଘରକୁ ଦିଆଯାଉଥିବା ପାଠ କରୁଛନ୍ତି କିମ୍ବା ତାର ବାପା  ମାନେ ପାଠ କରାଉଛନ୍ତି କିନ୍ତୁ ଆମ ସରକାରୀ ସ୍କୁଳରେ ସେପରି ହେଉ ନାହିଁ। ବାପା ମାଆ କିମ୍ବା ଛାତ୍ରଛାତ୍ରୀମାନେ କେହି ପାଠପଢ଼ା ଉପରେ ଯୋର ଦେଉ ନାହାନ୍ତି ।  କିଏ ଛେଳି ଚରାଇ ଯାଉଛି ତ କିଏ ଗାଇ ଚରାଉଛି । ଖାତା ଗୁଡ଼ିକ କିଣି ଆଣିବା ପାଇଁ କହିଲେ ମଧ୍ୟ ସେମାନେ ବିଭିନ୍ନ ଆଳ ଦେଖାଇ ଆଣୁ ନାହାନ୍ତି । ଅବିଭାବକ ବୈଠକ ଡ଼ାକିଲେ ମଧ୍ୟ କେହି ଆସୁ ନାହାନ୍ତି । ସବୁ ବିଷୟରେ ଶିକ୍ଷକ ନଥିବା ମୁଖ୍ୟ କାରଣ ପାଲଟିଛି। ଫଳରେ ଏପରି ପରିଣାମ ଆସୁଥିବା ଶିକ୍ଷକମାନେ କୁହନ୍ତି । ଯଦି ସମସ୍ତ ଶିକ୍ଷକ ଦିଆ ଯାଆନ୍ତା ଏବଂ ପ୍ରତ୍ୟେକ ବାପା ମାଆ ଯତ୍ନବାନ ହୋଇ ଛାତ୍ରଛାତ୍ରୀମାନଙ୍କ ପ୍ରତି ସମ୍ବେଦନଶୀଳ ହେଲେ ସରକାରୀ ସ୍କୁଲ ଗୁଡ଼ିକରେ ମଧ୍ୟ ଭଲ ଫଳ ଆସିବ ବୋଲି କୁହନ୍ତି।

Comments are closed.