ମାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ ଘଟଣାକୁ ବୋର୍ଡର ଅସ୍ବୀକାର

କଟକ : ଆଜିଠାରୁ ଆରମ୍ଭ ହୋଇଛି ଚଳିତବର୍ଷର ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷା । ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା ଦେଇଛନ୍ତି ଛାତ୍ରଛାତ୍ରୀ । ଏହି ପ୍ରଥମ ଭାଷା ସାହିତ୍ୟ ପରୀକ୍ଷା ସମୟରେ ପ୍ରଶ୍ନ ପତ୍ର ଭାଇରାଲ ହୋଇଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା। କଳାହାଣ୍ଡି ଜିଲା ଧର୍ମଗଡ଼ ଅଞ୍ଚଳରେ ଏହି ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିବା ଜଣାପଡିବା ପରେ ଏହା ମୋବାଇଲରୁ ମୋବାଇଲକୁ ଘୂରି ବୁଲିଥିଲା। ବିଭିନ୍ନ ଗଣମାଧ୍ୟମରେ ମଧ୍ୟ ଏନେଇ ଚର୍ଚ୍ଚା ଜୋର ଧରିଥିଲା। ଗଣଣିକ୍ଷା ବିଭାଗ ଏବଂ ଉଚ୍ଚ ମାଧ୍ୟମିକ ବୋର୍ଡର ଏ​‌ତେ ବ୍ୟବସ୍ଥା ପରେ ମଧ୍ୟ କିପରି ପ୍ରଶ୍ନପତ୍ର ଭାଇରାଲ ହେଲା ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା।

ଏହି ପ୍ରଶ୍ନପତ୍ର ଭାଇରାଲ୍ ଖବରକୁ ବୋର୍ଡ଼ ପକ୍ଷରୁ ଅସ୍ବୀକାର କରାଯାଇଛି। ବୋର୍ଡର ସଭାପତି ରାମାଶିସ ହାଜରା  ଗଣମାଧ୍ୟମକୁ ପତିକ୍ରିୟା ଦେଇ କହିଛନ୍ତି ପ୍ରଶ୍ନପତ୍ର ଭାଇରାଲ ହୋଇନାହିଁ। ଯେଉଁ ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଘୁରି ବୁଲୁଛି ତାହା ଆଜିର ପ୍ରଶ୍ନ ପତ୍ର ସହ ମେଳ ଖାଉନାହିଁ। ଏହା କେବଳ କୌଣସି ଖଳ ପ୍ରକୃତିର ଲୋକଙ୍କ କାମ ବୋଲି କହିଛନ୍ତି ବୋର୍ଡର ସଭାପତି ରାମାଶିସ ହାଜରା । ସେ ଏହି ଭାଇରାଲ ଖବରକୁ ଖଣ୍ଡନ କରିଛନ୍ତି । ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଖବର ସମ୍ପୂର୍ଣ୍ଣ ମିଛ ବୋଲି ରାମାଶିସ କହିଛନ୍ତି । ଏହାସହ ରାଜ୍ୟରେ ଶୃଙ୍ଖଳିତ ଭାବେ ମାତୃଭାଷା ପରୀକ୍ଷା ଶେଷ ହୋଇଛି ବୋଲି ସେ କହିଛନ୍ତି ।

ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷାରେ ୫ଲକ୍ଷ ୬୦ହଜାର ୯୦୫ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ୨୮୮୮ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହୋଇଛି । ଆଜି ଦିନ ୧୦ଟାରୁ ୧୨ଟା ୩୦ ଯାଏଁ ପରୀକ୍ଷା ହୋଇଥିଲା । ଏହାସହ ମାଟ୍ରିକ ପରୀକ୍ଷା ପାଇଁ ବୋର୍ଡ଼ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଥିଲା । କିନ୍ତୁ ଆଜି ପ୍ରଥମ ଦିନରେ ପୁଣିଥରେ ଗତବର୍ଷ ପରି ପ୍ରଶ୍ନପତ୍ର ମୋବାଇଲରୁ ମୋବାଇଲକୁ ଘୁରିବୁଲି ଭାଇରାଲ ହୋଇଥିବା ନେଇ ଚର୍ଚ୍ଚା ଜୋର ଧରିିଥିଲା।

Comments are closed.