ମାଟ୍ରିକ୍ ଖାତା ମୂଲ୍ୟାୟନ ପ୍ରକ୍ରିୟା ଆରମ୍ଭ: କରୋନା ପାଇଁ ବ୍ୟାପକ ବନ୍ଦୋବସ୍ତ

ଭୁବନେଶ୍ବର: ଆରମ୍ଭ ହୋଇଛି ମାଟ୍ରିକ୍‌ ଖାତା ମୂଲ୍ୟାୟନ ପ୍ରକ୍ରିୟା। ଆସନ୍ତାକାଲି ଅର୍ଥାତ୍‌ ଗୁରୁବାରଠାରୁ ଖାତା ଦେଖା ଆରମ୍ଭ ହେବାକୁ ଥିବା ବେଳେ ବୁଧବାର ଶିକ୍ଷକ-ଶିକ୍ଷୟିତ୍ରୀମାନେ କାର୍ଯ୍ୟରେ ଯୋଗ ଦେଇଛନ୍ତି। ଚଳିତ ବର୍ଷ ମୋଟ୍ ୬୧ ମୂଲ୍ୟାୟନ କେନ୍ଦ୍ରରେ ୧୫ ହଜାରରୁ ଅଧିକ ଶିକ୍ଷକ-ଶିକ୍ଷୟିତ୍ରୀ ମୂଲ୍ୟାୟନ କରିବେ। ଅନ୍ୟପକ୍ଷରେ କରୋନାକୁ ନେଇ ମୂଲ୍ୟାୟନ କେନ୍ଦ୍ରରେ ବ୍ୟାପକ ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ମୂଲ୍ୟାୟନ କେନ୍ଦ୍ରକୁ ପ୍ରବେଶ କରିବା ପୂର୍ବରୁ ମୂଲ୍ୟାୟନକାରୀମାନଙ୍କୁ ହ୍ୟାଣ୍ଡ୍‌ୱାଶ୍‌, ସାନିଟାଇଜର୍‌ ଆଦି ପ୍ରଦାନ କରାଯାଉଛି ଓ ସେମାନେ ହାତ ପରିଷ୍କାର କରି ଭିତରକୁ ପ୍ରବେଶ କରୁଥିବା ଦେଖିବାକୁ ମିଳିଛି। ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ଗାଇଡଲାଇନ ଅନୁସାରେ ମୂଲ୍ୟାୟନକାରୀ ଦୂରତା ରକ୍ଷା କରିବେ। ଏହା ସହିତ ସମସ୍ତ ଗାଇଡ଼୍‌ଲାଇନ୍‌କୁ ଶତ ପ୍ରତିଶତ କାର୍ଯ୍ୟକାରୀ କରିବା ପାଇଁ ଡିଇଓ, ବିଇଓ ଏବଂ ଚିଫ୍ ଏକ୍‌ଜାମିନରଙ୍କୁ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି। ଆସନ୍ତାକାଲିଠାରୁ ଏପ୍ରିଲ୍‌ ୧୦ ତାରିଖ ଯାଏ ଖାତା ଦେଖା ଚାଲିବ।

ସୂଚନାଯୋଗ୍ୟ, ୩ଟି ପର୍ୟ୍ୟାୟରେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ମୂଲ୍ୟାୟନ କେନ୍ଦ୍ରକୁ ଯିବେ। ଗହଳି ରୋକିବାକୁ ସବ୍‌ଜେକ୍ଟ ୱାଇଜ୍ ଖାତା ଦେଖା ହେବ। ସକାଳ ୮ଟା ୩୦, ୯ଟା ୩୦ ଓ ୧୦ଟା ୩୦ରୁ ଭିନ୍ନ ଭିନ୍ନ ସିଫ୍ଟ। ଏଥର ମୋଟ୍ ୨ ହଜାର ୮ ଶହ ୮୮ଟି କେନ୍ଦ୍ରରେ ୫ ଲକ୍ଷ ୬୦ ହଜାର ୯୦୫ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ।

Comments are closed.