ବିଜେଡି ନିର୍ବାଚିତ ପ୍ରତିନିଧିଙ୍କ ଦାବିପତ୍ର

ଆଠଗଡ଼: ଆଠଗଡ଼ ଅଞ୍ଚଳର ୫୭ଟି ଗ୍ରାମକୁ ସିଡିଏରେ ମିଶ୍ରଣ ବିଜ୍ଞପ୍ତି ପ୍ରକାଶକୁ ବିଜେଡିର ନିର୍ବାଚିତ ପଞ୍ଚାୟତ ପ୍ରତିନିଧିମାନେ ବିରୋଧ କରି ଏକ ଦାବିପତ୍ର ଆଠଗଡ଼ ଉପଜିଲ୍ଲାପାଳଙ୍କୁ ଶନିବାର ପ୍ରଦାନ କରିଛନ୍ତି। ଯେଉଁସବୁ ଗ୍ରାମକୁ ସିଡିଏ ପରିସୀମାରେ ମିଶ୍ରଣ କରାଯାଇ ବିଜ୍ଞପ୍ତି ପ୍ରକାଶ ପାଇଛି ସେସବୁ ଗ୍ରାମର ବାସିନ୍ଦା ଏବଂ ପଞ୍ଚାୟତର ନିର୍ବାଚିତ ପ୍ରତିନିଧିଙ୍କ ମତାମତ ନିଆନଯିବା ଅଗଣତାନ୍ତ୍ରିକ ବୋଲି ସେମାନେ କହିବା ସହ ଉକ୍ତ ବିଜ୍ଞପ୍ତିକୁ ବାତିଲ କରିବା ଲାଗି ଦାବିି କରିଛନ୍ତି। ଗତ ଏପ୍ରିଲ ୨୦୨୨ରେ ପ୍ରଥମ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ମିଶ୍ରଣ ହେବାକୁ ଥିବା ଗ୍ରାମବାସୀ ଏବଂ ପଞ୍ଚାୟତ ପ୍ରତିନିଧି ନଗର ଉନ୍ନୟନ ସଚିବଙ୍କୁ ଖାରବେଳ ଭବନରେ ଭେଟି ଏକ ଦାବିପତ୍ର ଦେଇଥିଲେ ମଧ୍ୟ ତାକୁ କାହିଁକି ବିଚାରକୁ ନିଆଗଲା ନାହିଁ ଏବଂ ଏକ ତରଫା ଭାବେ ନିଷ୍ପତ୍ତି ନିଆଗଲା ତାହା ବୁଝାପଡୁନାହିଁ ବୋଲି ୩ନଂ ଜୋନ ଜିଲ୍ଲା ପରିଷଦ ସଦସ୍ୟ ବଳଭଦ୍ର ବାଘ ପ୍ରଶ୍ନ କରିଥିଲେ। ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ବାଘଙ୍କ ନେତୃତ୍ୱରେ ବ୍ଲକ ଉପାଧ୍ୟକ୍ଷ ସୁବାସ ଚନ୍ଦ୍ର ମଲ୍ଲିକ, ଧୁରୁଷିଆ ସରପଞ୍ଚ ସଂଯୁକ୍ତା ପାଣି, ଅନନ୍ତପୁର ସରପଞ୍ଚ ଶକ୍ତିକାନ୍ତ ସାହୁ ଓ ସମିତିସଭ୍ୟ ସୌମ୍ୟରଞ୍ଜନ ପଣ୍ଡା, ଘଣ୍ଟିଖାଲ ସମିତିସଭ୍ୟ ସଞ୍ଜୁବାଳା ପ୍ରଧାନ, ରାଜନଗରର ପୂର୍ବତନ ସରପଞ୍ଚ ମହେନ୍ଦ୍ର ପରିଡ଼ା, ସରପଞ୍ଚ ରଶ୍ମିତା ପରିଡ଼ା ଓ ସମିତିସଭ୍ୟ ସୁଚିତ୍ରା ସାମଲ, ମେଘା ସମିତିସଭ୍ୟ ରାଜେଶ ମଲ୍ଲିକ, ଘଣ୍ଟିଖାଲ ସରପଞ୍ଚ ସୁଜାତା ମଞ୍ଜରୀ ରାଉତରାୟ, ଧୁରୁଷିଆ ସମିତି ସଭ୍ୟ ବବିତା ଜେନା ଏବଂ ଧାଇପୁରର ଶଶଧର ସାହୁ ପ୍ରମୁଖ ଉପଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ଦେଇଥିଲେ।

Comments are closed.