ଏଥର ମାଟ୍ରିକ୍ ପରୀକ୍ଷା ଦେବେ ୬ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ, ୨୦ ପ୍ରତିଶତ ବଢ଼ିବ ପରୀକ୍ଷା କେନ୍ଦ୍ର

ଭୁବନେଶ୍ବର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ମେ ୩ରୁ୧୫ ପର୍ଯ୍ୟନ୍ତ ହେବାକୁ ଥିବା ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା( ଦଶମ ତଥା ମାଟ୍ରିକ୍‌)କୁ ଶୃଙ୍ଖଳିତ ଢଙ୍ଗରେ ପରିଚାଳନା କରିବାକୁ ପ୍ରୟାସ ଆରମ୍ଭ କରିଛି। ଏଥିପାଇଁ ବୋର୍ଡ ପକ୍ଷରୁ ପ୍ରସ୍ତୁତି ଚାଲିଛି। ମାଟ୍ରିକ୍‌ ପରୀକ୍ଷା ଦେବା ପାଇଁ ଚଳିତ ବର୍ଷ ୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି। ପୂର୍ବବର୍ଷ ତୁଳନାରେ ଚଳିତ ବର୍ଷ ୨୦ ପ୍ରତିଶତ ପରୀକ୍ଷା କେନ୍ଦ୍ର ବଢ଼ିବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି।


ପରୀକ୍ଷା କେନ୍ଦ୍ର ଓ ପ୍ରଶ୍ନପତ୍ର ଗଚ୍ଛିତ ରଖିବାକୁ ନୋଡାଲ କେନ୍ଦ୍ର ମନୋନୟନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ପରୀକ୍ଷା କେନ୍ଦ୍ର ମନୋନୟନ ନିୟମାବଳୀ ଓ ପରୀକ୍ଷାର୍ଥୀଙ୍କ ସଂଖ୍ୟା ସମ୍ପର୍କିତ ତଥ୍ୟ ରାଜ୍ୟର ସମସ୍ତ ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ବୋର୍ଡ ପକ୍ଷରୁ ପ୍ରେରଣ କରାଯାଇଥିବା ଜଣାଯାଇଛି।
ସୂଚନାନୁସାରେ, ମେ ୩ରୁ ଏକସଙ୍ଗେ ମାଟ୍ରିକ, ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଅନୁଷ୍ଠିତ ହେବ। ୬ଲକ୍ଷରୁ ଊର୍ଦ୍ଧ୍ବ ପରୀକ୍ଷାର୍ଥୀଙ୍କ ନିମନ୍ତେ ପ୍ରାୟ ୩,୩୦୦ରୁ ଊର୍ଦ୍ଧ୍ବ ପରୀକ୍ଷା କେନ୍ଦ୍ର କରିବାକୁ ବୋର୍ଡ ପକ୍ଷରୁ ନିଷ୍ପତ୍ତି ହୋଇଛି। ଗତବର୍ଷଠାରୁ ଚଳିତବର୍ଷ ୨୦ପ୍ରତିଶତ ଅଧିକ କେନ୍ଦ୍ର କରାଯିବାକୁ ବୋର୍ଡ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି। ପ୍ରତି ପରୀକ୍ଷା କେନ୍ଦ୍ର ଚିହ୍ନଟ ପାଇଁ ବୋର୍ଡ କର୍ତ୍ତୃପକ୍ଷ ଏକ ଜିଲାସ୍ତରୀୟ କମିଟି ଗଠନ କରିବେ। ଏହି କମିଟି ହିଁ ପରୀକ୍ଷା କେନ୍ଦ୍ର ମନୋନୟନ କରିବ। ମଧ୍ୟମା ପରୀକ୍ଷା କେବଳ ନୋଡାଲ କେନ୍ଦ୍ରରେ କରାଯିବ। ନୋଡାଲ କେନ୍ଦ୍ରଗୁଡ଼ିକରେ ପ୍ରଶ୍ନପତ୍ର ଗଚ୍ଛିତ ରଖାଯିବ। ନୋଡାଲ କେନ୍ଦ୍ରରେ ସର୍ବନିମ୍ନ ୧୫୦ ଓ ସର୍ବାଧିକ ଯେତେ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବାର ବ୍ୟବସ୍ଥା କରାଯିବାକୁ ନିର୍ଦେଶ ରହିଛି।

ଭୁବନେଶ୍ଵରର ଏକ ସ୍କୁଲରେ ଛାତ୍ରୀମାନଙ୍କୁ ଯାଞ୍ଚ କରି ପରୀକ୍ଷା ହଲ୍‌ ଭିତରକୁ ଛଡ଼ାଯାଉଛି।

ଏଥିସହିତ ନୋଡାଲ କେନ୍ଦ୍ରଗୁଡ଼ିକ ସନ୍ନିକଟରେ ଥିବା ଅନ୍ୟ ବିଦ୍ୟାଳୟକୁ ଏକ ଉପକେନ୍ଦ୍ର ଭାବେ କାର୍ଯ୍ୟ କରିବାର ବ୍ୟବସ୍ଥା କରିବେ ଏବଂ ଉକ୍ତ ଉପକେନ୍ଦ୍ରରେ ଜଣେ ଡେପୁଟି ସୁପରିନ୍‍ଟେଣ୍ଡେଣ୍ଟ ରହିବା ସହ ନୋଡାଲ କେନ୍ଦ୍ରର ସୁପରିଟେଣ୍ଡେଣ୍ଟଙ୍କ ଅଧୀନରେ ଉପକେନ୍ଦ୍ର ପରିଚାଳିତ ହେବ। କୌଣସି କେନ୍ଦ୍ର ୧୫୦ରୁ କମ୍‍ ପରୀକ୍ଷାର୍ଥୀଙ୍କୁ ନେଇ କରାଯାଇପାରିବ ନାହିଁ। ପରୀକ୍ଷା କେନ୍ଦ୍ରରେ ସେହି ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ଅନ୍ୟ ବିଦ୍ୟାଳୟର ଛାତ୍ରଛାତ୍ରୀ ପରୀକ୍ଷା ଦେବାର ବ୍ୟବସ୍ଥା ରହିବ। ୫୦ ପ୍ରତିଶତ ନିରୀକ୍ଷକ ବାହାର ବିଦ୍ୟାଳୟରୁ ଉକ୍ତ କେନ୍ଦ୍ରରେ ପରୀକ୍ଷା ପରିଚାଳନା କରିବେ। ଏଥିସହ ନୋଡାଲ କେନ୍ଦ୍ରରୁ ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ପହଞ୍ଚାଇବା ନିମନ୍ତେ ଡେସପାଚ୍‍ ଟିମ୍‍ ମଧ୍ୟ ମନୋନୟନ କରାଯିବ। ପରୀକ୍ଷାରେ କୋଭିଡ୍‍ କଟକଣାକୁ କଡ଼ାକଡ଼ି ପାଳନ ପାଇଁ ସରକାରଙ୍କ ନିର୍ଦେଶ ରହିଛି।
ମାଟ୍ରିକର ରେଗୁଲାର ଓ ଏକ୍ସରେଗୁଲାର ଏବଂ ମୁକ୍ତ ବିଦ୍ୟାଳୟ ପରୀକ୍ଷାର ଫ୍ରେସ୍‍ ଓ ବ୍ୟାକ୍‍ ପରୀକ୍ଷାର୍ଥୀ ସାଧାରଣ ବିଜ୍ଞାନ ଓ ସାମାଜିକ ବିଜ୍ଞାନ ବିଷୟରେ ଦୁଇଟି ଲେଖାଏଁ ଅଲଗା ପ୍ରଶ୍ନପତ୍ର ରହିବ। ମଧ୍ୟମା ପରୀକ୍ଷାରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ଏଥିସହ ପ୍ରଥମ ଭାଷା ଓଡ଼ିଆ, ଦ୍ୱିତୀୟ ଭାଷା ଇଂରାଜୀ, ତୃତୀୟ ଭାଷା ହିନ୍ଦୀ/ସଂସ୍କୃତ, ଗଣିତ, ସାଧାରଣ ବିଜ୍ଞାନ ଏବଂ ସାମାଜିକ ବିଜ୍ଞାନରେ ୪ଟି ସେଟ୍‍ ଲେଖାଏଁ ପ୍ରଶ୍ନପତ୍ର କରାଯିବ। ଅନୁରୂପ ବିଷୟଗୁଡ଼ିକରେ ମୁକ୍ତ ବିଦ୍ୟାଳୟ ପରୀକ୍ଷାର ପ୍ରଶ୍ନପତ୍ର ମଧ୍ୟ ପ୍ରସ୍ତୁତ କରାଯାଇଥିବା ବୋର୍ଡ ଉପସଭାପତି ତଥା ଇନ୍‍ଚାର୍ଜ ପରୀକ୍ଷା ନିୟନ୍ତ୍ରକ ଡ. ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି।

file photo

ମାଧ୍ୟମିକ ଶିକ୍ଷା ପରିଷଦ(ବିଏସ୍‌ଇ) ପକ୍ଷରୁ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍‌ ପରୀକ୍ଷା, ୨୦୨୧(ରେଗୁଲାର ଏବଂ ଏକ୍ସରେଗୁଲାର୍‌) ପରୀକ୍ଷା ପ୍ରଥମ ସିଟିଂରେ ମେ’ ୩ରୁ ଆରମ୍ଭ ହୋଇ ମେ’ ୧୫ ପର୍ଯ୍ୟନ୍ତ ଚାଲିବ। ଉଭୟ ରେଗୁଲାର ଏବଂ ଏକ୍ସରେଗୁଲାର୍‌ ପରୀକ୍ଷା ଗୋଟିଏ ସିଟିଂ ଏବଂ ଗୋଟିଏ ପ୍ରଶ୍ନପତ୍ରରେ ହେବ। ପରୀକ୍ଷା ପ୍ରତ୍ୟେକ ଦିନ ସକାଳ ୮ଟାରୁ ଆରମ୍ଭ ହୋଇ ପୂର୍ବାହ୍ନ ୧୦ଟାରେ ଶେଷ ହେବ। ତେବେ କେବଳ ଏମ୍‌ଟିଏଚ୍‌ ପରୀକ୍ଷା ପୂର୍ବାହ୍ନ ୧୦.୧୫ରେ ଶେଷ ହେବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି।

Comments
Loading...