ପିପିଲି ବ୍ଲକରେ ୧୧୦ ପରୀକ୍ଷାର୍ଥୀ ଅନୁପସ୍ଥିତ

ପିପିଲି: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ସମେଟିଭ୍‍ ଆସେସମେଣ୍ଟ-୨ ପରୀକ୍ଷା ପିପିଲି ବ୍ଲକର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଶୁକ୍ରବାର କଡ଼ା ସୁରକ୍ଷା ମଧ୍ୟରେ ସୁରୁଖୁରୁରେ ଆରମ୍ଭ ହୋଇଛି। ପ୍ରଥମ ଦିନରେ ଦ୍ୱିତୀୟ ଭାଷା ଇଂରାଜୀ ପରୀକ୍ଷାରେ ଏହି ବ୍ଲକର ମୋଟ୍‍ ୨୪୮୬ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୨୩୭୬ଜଣ ପରୀକ୍ଷା ଦେଇଥିବା ବେଳେ ୧୧୦ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିବା ସୂଚନା ମିଳିଛି। ପ୍ରଶ୍ନପତ୍ର ରଖିବା ପାଇଁ ପିପିଲି ନୋଡାଲ ହାଇସ୍କୁଲକୁ ଏହି ବ୍ଲକର ନୋଡାଲ ସେଣ୍ଟର କରାଯାଇଥିବା ବେଳେ ଏହା ଅଧିନରେ ୧୩ଟି ପରୀକ୍ଷାକେନ୍ଦ୍ର କରାଯାଇଛି। ସମସ୍ତ ପରୀକ୍ଷା କେନ୍ଦ୍ରମାନଙ୍କରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପ୍ରଶ୍ନପତ୍ର ପହଞ୍ଚାଇବା ଓ ସେଠାରୁ ପରୀକ୍ଷା ଖାତାଗୁଡିକୁ ନୋଡାଲ ସେଣ୍ଟରକୁ ଆଣିବା ପାଇଁ ୨ଟି ଟିମ୍‍ ଗଠନ କରାଯାଇଛି। ପ୍ରତ୍ୟେକ ଟିମରେ ୨ଜଣ ଲେଖାଏଁ ଶିକ୍ଷକ ଓ କର୍ମଚାରୀଙ୍କ ସମେତ ପୁଲିସ ରହିଥିବା ସଂପର୍କରେ ପିପିଲି ନୋଡାଲ କେନ୍ଦ୍ରର ଅଧିକାରୀ ନିବେଦିତା ମହାନ୍ତି ସୂଚନା ଦେଇଛନ୍ତି। ପ୍ରତ୍ୟେକ ପରୀକ୍ଷା କେନ୍ଦ୍ରରେ କୋଭିଡ଼ କଟକଣାକୁ କଡ଼ାକଡ଼ି ଭାବେ ପାଳନ କରାଯାଉଥିବା ବେଳେ ଖରା ଓ ଗରମକୁ ଦୃଷ୍ଟିରେ ରଖି ପରୀକ୍ଷାର୍ଥୀଙ୍କ ପାଇଁ ପାନୀୟ ଜଳର ବ୍ୟବସ୍ଥା ସହ ଓଆର୍‍ଏସ୍‍ ଗଚ୍ଛିତ ରଖାଯାଇଥିବା ସଂପର୍କରେ ନିବେଦିତା ମହାନ୍ତି ସୂଚନା ଦେଇଛନ୍ତି।

Comments are closed.