ଚାଲିଗଲେ ମିହିର ; ରହିଗଲା ଅବସୋସ : ମୁକୁଳିବ କି ‘ମାଟିର ବନ୍ଧନ’ ?

ଭୁବନେଶ୍ବର : ଚାଲିଗଲେ ଓଡ଼ିଆ ଚଳଚ୍ଚିତ୍ର ଜଗତର ପ୍ରତିଭାବାନ ଅଭିନେତା ମିହିର ଦାସ। ହେଲେ ରହିଗଲା ଅବସୋସ। କଟକ ସହର ଓ ମୂର୍ତ୍ତି କାରିଗରଙ୍କ ଜୀବନକୁ ନେଇ ତାଙ୍କ ଶ୍ରେଷ୍ଠ କୃତୀ ‘ମାଟିର ବନ୍ଧନ’ ଏବେବି ବନ୍ଧନ ମୁକ୍ତ ହୋଇପାରିଲା ନାହିଁ। ମାଟି ଚକଟାରୁ ଆରମ୍ଭ କରି ନଡ଼ା ବାନ୍ଧିବା ପର୍ଯ୍ୟନ୍ତ, ଏହି ଚଳଚ୍ଚିତ୍ରରେ ସେ ଜଣେ ମୂର୍ତ୍ତି କାରିଗର ସାଜିଥିଲେ। ଶୀତ ଦିନେ ମହାନଦୀର ଥଣ୍ଡା ପାଣିରେ ଗାଧୋଇବା ସହିତ ଚଳଚ୍ଚିତ୍ର ନିର୍ମାଣରେ ନିଜକୁ ପୂର୍ଣ୍ଣ ସମର୍ପିତ କରିଥିଲେ। କିଭଳି ଭଲ ଚଳଚ୍ଚିତ୍ରଟିଏ ହୋଇପାରିବ ଏବଂ ଦର୍ଶକଙ୍କ ହୃଦୟକୁ ଛୁଇଁପାରିବ ସେ ନେଇ ନିଜକୁ ପ୍ରସ୍ତୁତ କରିଥିଲେ ବରିଷ୍ଠ ଅଭିନେତା ମିହିର। ଶ୍ରେଷ୍ଠ କୃତୀ ଭାବେ ଏହି ଚଳଚ୍ଚିତ୍ରର ଶୀର୍ଷକ ଥିଲା ‘ମାଟିର ବନ୍ଧନ’। ଯେଉଁଥିରେ ସେ ମୁଖ୍ୟ ଭୂମିକା ଅର୍ଥାତ ଜଣେ ମୂର୍ତ୍ତି କାରିଗର ଭାବେ ଅଭିନୟ କରିଥିଲେ। କଟକର କୁମ୍ଭାର ସାହିରୁ ନେଇ ଦେବୀଗଡ଼ା ଘାଟ ଏବଂ ଅନ୍ୟାନ୍ୟ ସ୍ଥାନରେ ଏହାର ସୁଟିଂ ହୋଇଥିଲା। ଯଦିଓ ଏହି ଚଳଚ୍ଚିତ୍ରର କାର୍ଯ୍ୟ ୨୦୧୨ରୁ ଶେଷ ହୋଇଛି କିନ୍ତୁ ତାହା ଏପର୍ଯ୍ୟନ୍ତ ମୁକ୍ତିଲାଭ କରିପାରି ନାହିଁ। ଏନେଇ ମିହିର ଅନେକ ଥର ମୁହଁ ଖୋଲିଥିଲେ ହେଁ ତାହା ଲୋକଲୋଚନକୁ ଆସି ପାରିନାହିଁ ଏବଂ ଆଗକୁ ଆସିବ କି ନାହିଁ ତାହା ଏବେ ବଡ଼ ପ୍ରଶ୍ନବାଚୀ।
ମିହିର ଥିଲେ କଳାର ପୂଜାରୀ। ଅଭିନୟ ଥିଲା ତାଙ୍କ ପାଇଁ ପୂଜା। ଯାହାର ନିଦର୍ଶନ ତାଙ୍କ ଅଭିନୟରେ ଦେଖିବାକୁ ମିଳିଛି। ତାଙ୍କ ମୃତ୍ୟୁ ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି । ଏତିକିବେଳେ କଟକର ପାଣି, ପବନକୁ ନେଇ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ‘ମାଟିର ବନ୍ଧନ’ର ମୁକ୍ତିଲାଭକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ଏହି ଚଳଚ୍ଚିତ୍ରର ସମ୍ପୂର୍ଣ୍ଣ ପ୍ରସ୍ତୁତି ସରିଥିବାବେଳେ ମୁମ୍ବଇ ମାମି ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଓ ବେଙ୍ଗାଲୁରୁ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହୋଇ ଅନେକ ସଫଳତା ସାଉଁଟିଛି। ଏହାର ସେନ୍‌ସର ହୋଇନାହିଁ କିମ୍ବା ଡିଜିଟାଲ ଫର୍ମାଟରେ ନାହିଁ। ଯାହା ରିଲ୍‌ ମାଧ୍ୟମରେ ପ୍ରସାଦ ଲାବ୍‌ରେ ପଡ଼ିରହିଛି। ଅନ୍ୟପକ୍ଷରେ ପ୍ରସାଦ ଲାବ୍‌ ବନ୍ଦ ହୋଇଯାଇଥିବାବେଳେ ଏହାର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ଉଠିଛି। ପ୍ରଥମେ ଏହାକୁ ସଂରକ୍ଷଣ କରାଯିବା ସହିତ ପରବର୍ତ୍ତୀ ପର୍ଯ୍ୟାୟରେ ରହିଥିବା ଅନ୍ୟାନ୍ୟ କାର୍ଯ୍ୟ କରାଯିବାକୁ ଅନେକ ମତ ଦେଇଛନ୍ତି। ଚଳଚ୍ଚିତ୍ରର ନିର୍ଦେଶକ ହିମାଂଶୁ ଖଟୁଆ ରହିଥିବାବେଳେ ପ୍ରଯୋଜକ ଥିଲେ ସି ସେ‌ାର ଗ୍ରୁପ୍‌ର ମୁଖ୍ୟ ପ୍ରଶାନ୍ତ ଦାସ। ତେବେ ଚିଟ୍‌ଫଣ୍ଡ ମାମଲାରେ ତାଙ୍କୁ ଗିରଫ କରାଯିବା ଦ୍ବାରା ଏହି ଚଳଚ୍ଚିତ୍ରର ଭାଗ୍ୟ ଅନ୍ଧକାର ମଧ୍ୟକୁ ଠେଲି ହୋଇଯାଇଥିଲା।
ଚଳଚ୍ଚିତ୍ରର ନିର୍ଦେଶକ ଶ୍ରୀ ଖଟୁଆ କହିଛନ୍ତି, କଟକ ସହରରେ ଏହି ଚଳଚ୍ଚିତ୍ରର ସମ୍ପୂର୍ଣ୍ଣ ସୁଟିଂ ହୋଇଥିଲା। ଯାହାକି ବିଶିଷ୍ଟ ସ୍ରଷ୍ଟା ଜୟନ୍ତ ମହାପାତ୍ରଙ୍କ ଗଳ୍ପ ‘ଦି ଟ୍ରଙ୍କ ଅଫ ଗଣେଶ’ ଉପରେ ଆଧାରିତ ଥିଲା । ଯେଉଁଥିରେ ସଗିର ଅହମ୍ମଦଙ୍କ ସହ ସିନେମାଟୋଗ୍ରାଫର ଚିରନ୍ତନ ଦାସ କାର୍ଯ୍ୟ କରିଥିଲେ। ଏଥିରେ ମିହିର ନିଚ୍ଛକ୍‌ ଓ ନିଖୁଣ ଅଭିନୟ କରିଥିଲେ। ଜଣେ ମୂର୍ତ୍ତିକାର ଭାବେ ନିଜକୁ ପ୍ରସ୍ତୁତ କରି ଅଭିନୟର ଛାପ ଛାଡ଼ି ଯାଇଥିଲେ। ତାଙ୍କ ସହ ଅପରାଜିତା, ଅନୁ ଚୌଧୁରୀ, ପୁଷ୍ପା ପଣ୍ଡା, ଗାର୍ଗି ମହାନ୍ତି, ଜୟ ପ୍ରକାଶ ଦାସ ପ୍ରମୁଖ ଏଥିରେ ଅଭିନୟ କରିଥିଲେ। ହେଲେ ଦୁଃଖର ବିଷୟ ତାହା ଏଯାବତ ମୁକ୍ତିଲାଭ କରିପାରିଲା ନାହିଁ। ସରକାର ଏ ଦିଗରେ ଏକ କମିଟି ଗଠନ କରି ଚଳଚ୍ଚିତ୍ରଟି ଯେପରି ମୁକ୍ତିଲାଭ କରିବ ଏବଂ ଲୋକଲୋଚନକୁ ଆସିପାରିବ ସେ ଦିଗରେ ପଦକ୍ଷେପ ନେଲେ ତାହା ମିହିରଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ଅନେକ ପ୍ରଯୋଜକ ଓ ନିର୍ଦେଶକ ମତ ରଖିଛନ୍ତି।

Comments are closed.