ମାଥନପଲା ଡ୍ୟାମକୁ ଅବହେଳା,ସମୀକ୍ଷା ବୈଠକରେ ମନ୍ତ୍ରୀଙ୍କ ନିରବତା ନେଇ ପ୍ରଶ୍ନ

ଟିଟିଲାଗଡ଼ : ପ୍ରାୟ ବର୍ଷକ ପରେ ଟିଟିଲାଗଡ ବିଧାୟିକା ତଥା ରାଜ୍ୟ ମହିଳା ଓ ଶିଶୁ ବିକାଶ ତଥା ମିଶନ ଶକ୍ତି ମନ୍ତ୍ରୀ ଟୁକୁନୀ ସାହୁ ସୋମବାର ଜିଲାସ୍ତରୀୟ ଅଧିକାରୀଙ୍କ ସହ ତାଙ୍କ ଟିଟିଲାଗଡ ବିଧାନସଭା ନିର୍ବାଚନ ମଣ୍ଡଳୀରେ  ଉନ୍ନୟନ କାର୍ଯ୍ୟ ନେଇ ସମୀକ୍ଷା କରିଥିଲେ। ଟିଟିଲାଗଡ ବ୍ଲକ ଅଞ୍ଚଳରେ ଚାଷ ଜମିକୁ ଜଳସେଚନର ନିତାନ୍ତ ଆବଶ୍ୟକତା ଥିବା ବେଳେ ମନ୍ତ୍ରୀ ଏନେଇ ନୀରବ ରହିବା ଚାଷୀ ମହଲକୁ ନିରାଶ କରିଛି।ମହାମାରୀ ଭୟରେ ବିଭିନ୍ନ ରାଜ୍ୟରେ ପେଟପାଟଣା ପାଇଁ ପ୍ରବାସ କରୁଥିବା ହଜାର ହଜାର ଶ୍ରମିକ ନିଜ ଗାଁକୁ ଫେରିଥିଲେ। କୃଷି କ୍ଷେତ୍ରର ବିକାଶ ସହ ନିଯୁକ୍ତ ସୁଯୋଗ ସୃଷ୍ଟି ହୋଇ ଗ୍ରାମ୍ୟ ଅର୍ଥନୀତି ସୁଦୃଢ କରିବା ଉପରେ ଜୋର ଦେବାକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ଟିଟିଲାଗଡ ଉପଖଣ୍ଡରେ ଏହା ପ୍ରହସନରେ ପରିଣତ ହୋଇଛି। ୧୯୭୧ରେ ଟିଟିଲାଗଡ ବ୍ଲକର ମାଥନପଲା ଠାରେ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ବର୍ଣ୍ଣେଇ ପାହାଡ ତଳେ ୧୬୩ ହେକ୍ଟର ପରିମିତ ଅଞ୍ଚଳରେ ଡ୍ୟାମ ନିର୍ମାଣ ହୋଇଛି। ଏନେଇ ୫.୫ କିଲୋମିଟର ମୁଖ୍ୟ କେନାଲ ସମେତ ୨୩ କିଲୋମିଟର କେନାଲ ଚାଷୀଙ୍କ ଜମିକୁ ସଂଯୋଗ ସହ ଜଳସେଚନ ବ୍ୟବସ୍ଥା ହୋଇଛି। ନିର୍ମାଣ ସମୟରେ ଡ୍ୟାମରୁ ବାଞ୍ଜିପଦର ଓ ବିଜେପୁର ଗ୍ରାମପଞ୍ଚାୟତ ଅଞ୍ଚଳର ଖରିଫରେ ୧୩୧୧ ହେକ୍ଟର ତଥା ରବିରେ ୬୦୭ ହେକ୍ଟର ଚାଷ ଜମିକୁ ଜଳସେଚନ ଲକ୍ଷ୍ୟ ଧାର୍ଯ୍ୟ ରହିଥିଲା। ହେଲେ ଦୀର୍ଘ ୫୦ ବର୍ଷ ପରେ ମଧ୍ୟ ଡ୍ୟାମ ତଥା କେନାଲର ଉନ୍ନତ୍ତି କରଣ ନେଇ ଧ୍ୟାନ ଦିଆଯାଉ ନଥିବା ଯୋଗୁଁ ଜଳସେଚନ କ୍ଷମତା ଢେର ହ୍ରାସ ପାଇଛି। ବର୍ଷ ବର୍ଷ ଧରି ଅବହେଳା ଜାରି ରହିଛି। ଡ୍ୟାମରୁ ପଙ୍କ ଉଦ୍ଧାର କାର୍ଯ୍ୟ ହୋଇପାରିନି। ଏପରିକି କେନାଲରେ ପାଣି ଯିବା ସୁଗମ କରିବା ପାଇଁ ଘାସ ଚଞ୍ଚା କାର୍ଯ୍ୟ ମଧ୍ୟ ସଠିକ ଭାବରେ ହେଉ ନଥିବା ଚାଷୀ ଅନେକ ସମୟରେ ଅଭିଯୋଗ କରି ଆସୁଛନ୍ତି। ସ୍ଥାନେ ସ୍ଥାନେ କେନାଲ ପୋତି ହେବାକୁ ବସିବାରୁ ମରୁଡି ହେଲେ କେନାଲ ତଳ ଜମିର ଫସଲ ନଷ୍ଟ ହେବା ସାର ହୋଇଛି। ଦୀର୍ଘ ୫୦ ବର୍ଷ ହେଲା ଡ୍ୟାମଟି କାଳକ୍ରମେ ପୋତି ହେବାକୁ ବସିଛି। ଡ୍ୟାମର ପଙ୍କ ଉଦ୍ଧାର ଓ ୨୩ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ମେନ କେନାଲ ଓ ଶାଖା କେନାଲର ଲାଇନିଂ କାର୍ଯ୍ୟ, କଂକ୍ରିଟ ଆଦି ନେଇ ଚାଷୀ ବାରମ୍ବାର ରାଜନେତା ତଥା ପ୍ରଶାସନ ଠାରେ ଦାବି କରିଆସୁଛନ୍ତି। କେନାଲ ଲାଇନିଂ ତଥା କଂକ୍ରିଟ ନହେବା ଯୋଗୁଁ ପୋତି ହୋଇ ନିଶ୍ଚିହ୍ନ ହେବାକୁ ବସିଲାଣି। ଏପରିକି କେନାଲ ମଧ୍ୟରେ ବିରାଟ ବୁଟା ବଢିଚାଲିଥିବା ଦେଖାଯାଇଛି। ଦୀର୍ଘ ୫ ବର୍ଷ ହେବ କେନାଲ ସଜାଡିବାକୁ ସରକାରଙ୍କ ପକ୍ଷରୁ କୌଣସି ଅର୍ଥ ଆସୁନାହିଁ। ଏନେଇ ସରକାରୀ ସ୍ତରରେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ମାଥନପଲା ମୁଖ୍ୟ କେନାଲ ପାଣି ପଞ୍ଚାୟତ ସଭାପତି ରଜନି ଗଡତିଆ, ସମ୍ପାଦକ ରବି ଭୋଇ, ବିଜେପୁର ଶାଖା କେନାଲ ପାଣିପଞ୍ଚାୟତ ସଭାପତି ବିକାଶ ପାଣିଗ୍ରାହୀ, ସମ୍ପାଦକ ଗତିକୃଷ୍ଣ ବଗର୍ତ୍ତି, ବାଞ୍ଜିପଦର ଶାଖା କେନାଲ ପାଣି ପଞ୍ଚାୟତ ସଭାପତି ଶତୃଘ୍ନ ସାଗର, ସମ୍ପାଦକ ନୃପରାଜ ବିଶି ପ୍ରମୁଖ ବାରମ୍ବାର ପ୍ରଶାସନକୁ ଜଣାଇଆସୁଥିବା କହିଛନ୍ତି। ଏପରିପ୍ରେକ୍ଷୀରେ ଡ୍ୟାମ ତଥା କେନାଲର ଉନ୍ନତ୍ତି ପାଇଁ କ୍ଷୁଦ୍ର ଜଳସେଚନ ବିଭାଗ ଦୃଷ୍ଟି ଦେବା ବଦଳରେ ପ୍ରାୟ ୩ କୋଟି ଟଙ୍କା ବ୍ୟୟରେ କେନାଲ କଡ ରାସ୍ତା ପୁର୍ନନିର୍ମାଣ ଆରମ୍ଭ ହେବା ଚାଷୀଙ୍କୁ ଚକିତ କରିଛି। ମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ବିଭାଗୀୟ ସହକାରୀ ନିର୍ବାହି ଯନ୍ତ୍ରୀ ପ୍ରଦୀପ୍ତ କିଶୋର ପାଢୀ ଉନ୍ନୟନ କାର୍ଯ୍ୟର ବିବରଣୀ ପ୍ରଦାନ ନେଇ ସ୍ୱତନ୍ତ୍ର ପାଣ୍ଠିରୁ ରାସ୍ତା କାମ ଜାରି ରହିଥିବା କହି ମନ୍ତ୍ରୀଙ୍କ ସାବାସୀ ନେଇଥିବା ଦେଖାଯାଇଥିଲା। ତେବେ ଡ୍ୟାମ ତଥା କେନାଲ ପ୍ରତି ଅବହେଳା ଜାରି ଓ ଚାଷୀଙ୍କ ଦାବି ନେଇ ମନ୍ତ୍ରୀ ବୈଠକରେ ନୀରବ ରହିବା ଚାଷୀ ମହଲକୁ ହତାଶ କରିଛି। ବଲାଙ୍ଗିରରେ ସୁକତେଲ ପ୍ରକଳ୍ପ, ବରଗଡ ଜିଲାର ବିଜେପୁରରେ ଗଙ୍ଗାଧର ସେଚ ଯୋଜନା ପ୍ରତି ସରକାରୀ ସ୍ତରରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ଏହି ପରିପ୍ରେକ୍ଷୀରେ ତତଲାଗଡ ଅଞ୍ଚଳର ଚାଷୀଙ୍କ ପ୍ରତି ଏଭଳି ବୈମାତୃକ ମନୋଭାବ କାହିଁକି ବୋଲି ଚାଷୀ ନେତା ଉଦବେଗ ପ୍ରକାଶ କରିଛନ୍ତି। ଏନେଇ ରାଜ୍ୟ ସରକାର ତୁରନ୍ତ ବିହିତ ଗ୍ରହଣ କରା ନଗଲେ ଚାଷୀ ନେତା ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

Comments are closed.