ବିଶ୍ବକୁ ଭୁଆଁ ବୁଲାଉଛି ପାକିସ୍ତାନ

0

 

ଇସଲାମାବାଦ : ଆତଙ୍କବାଦୀ ସଂଗଠନ ଜୈସ୍‌-ଇ-ମହମ୍ମଦ(ଜେଇଏମ୍‌) ଓ ଫଲା-ଇ-ଇନ୍‌ସାନି୍ରାତ୍‌ (ଏଫ୍‌ଆଇଏଫ୍‌)କୁ ନିଷିଦ୍ଧ କରାଯାଇଥିବା ସଂକ୍ରାନ୍ତ ପାକିସ୍ତାନର ମିଛ ଏବେ ସାମ୍ନାକୁ ଆସିଛି। ପାକିସ୍ତାନ ସରକାର ଏହି ଦୁଇ ସଂଗଠନକୁ କେବଳ ‘ନଜର’ରେ ରଖିଥିବା ଜଣାପଡ଼ିଛି। ପୁଲୱାମା ଆକ୍ରମଣ ପରେ ପାକିସ୍ତାନ ସରକାର ମାସୁଦ ଆଝାରର ଜେଇଏମ୍‌କୁ ନିଷିଦ୍ଧ କରାଯିବା ସଂକ୍ରାନ୍ତରେ ଫେବୃଆରୀ ୨୧ରେ ବିଜ୍ଞପ୍ତି ପ୍ରକାଶ କରିଥିଲେ; କିନ୍ତୁ ସଦ୍ୟ ପ୍ରକାଶିତ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ତାଲିକାରେ ଜେଇଏମ୍‌ କିମ୍ବା ହାଫିଜ ସଇଦ୍‌ର ଜମା-ଉଦ୍‌-ଦୱା(ଜେୟୁଡି) ଓ ଏଫ୍‌ଆଇଏଫ୍‌ର ନାଁ ନଥିବା ଜଣାପଡ଼ିଛି। ପାକିସ୍ତାନ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଅଧୀନସ୍ଥ ଜାତୀୟ ଆତଙ୍କବାବଦ ନିରୋଧୀ ପ୍ରାଧୀକରଣ ପକ୍ଷରୁ ସୋମବାର ଏହି ତାଲିକା ପ୍ରକାଶ ପାଇଛି; ଯେଉଁଥିରେ ୬୯ଟି ସଂଗଠନର ନାମ ରହିଛି। ନିଷିଦ୍ଧ ଆଳରେ ପାକ୍‌ ସରକାର ବିଶ୍ବକୁ ଭୂଆଁ ବୁଲାଉଥିବା ଏଥିରୁ ସ୍ପଷ୍ଟ ହୋଇଛି।
ପାକିସ୍ତାନ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ମୁଖପାତ୍ରଙ୍କ ସୂଚନାନୁଯାୟୀ, ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଅଧ୍ୟକ୍ଷତାରେ ଗଠିତ ଜାତୀୟ ସୁରକ୍ଷା କମିଟି କେଉଁ ସଂଗଠନକୁ ନିଷିଦ୍ଧ କରାଯିବ ସେ ସଂକ୍ରାନ୍ତ ନିଷ୍ପତ୍ତି ନେଇଥାଆନ୍ତି। ନିକଟରେ ଅନୁଷ୍ଠିତ କମିଟି ବୈଠକରେ ଉପରୋକ୍ତ ସଂଗଠନ ବିରୋଧରେ କାର୍ଯ୍ୟାନୁଷ୍ଠାନ ତ୍ବରାନ୍ବିତ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ପୁଲୱାମା ଘଟଣାଜନିତ ଆନ୍ତର୍ଜାତିକ ଚାପ ଯୋଗୁଁ ଫେବୃଆରୀ ୨୨ରେ ପ୍ୟାରିସ୍‌ରେ ଅନୁଷ୍ଠିତ ସପ୍ତଦଶ ‘ଫାଇନାନ୍‌ସିଆଲ ଆକ୍ସନ୍‌ ଟାସ୍କ ଫୋର୍ସ’ ବା ଟାଫ୍‌ ବୈଠକରେ ଜେଇଏମ୍‌ ଓ ଏଫ୍‌ଆଇଏଫ୍‌କୁ ନିଶିଦ୍ଧ ସମ୍ପର୍କରେ ଆଲୋଚନା କରାଯାଇଥିଲା। ସପ୍ତାହ ବ୍ୟାପୀ ବୈଠକରେ ପାକିସ୍ତାନ ଅଲ୍‌କାଏଦା, ଜେଇଏମ୍‌,ଜେୟୁଡି, ଏଫ୍‌ଆଇଏଫ୍‌, ଲସ୍କର-ଇ-ତଏବା, ହାକାନୀ ନେଟୱର୍କ, ଡାଏସ୍‌ ଓ ତାଲିବାନ୍‌ ଭଳି ସଂଗଠନ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବା ନେଇ ପାକିସ୍ତାନକୁ ନିନ୍ଦା କରାଯାଇଥିଲା। ୨୦୧୮ରେ ପାକିସ୍ତାନକୁ ଏ ନେଇ ‘ଗ୍ରେ’ ତାଲିକାଭୁକ୍ତ କରାଯାଇଥିବା ଚେତାଇ ଦିଆଯିବା ସହ ଆତଙ୍କବାଦୀ ସଂଗଠନଗୁଡ଼ିକୁ ଆର୍ଥିକ ସହଯୋଗ ବନ୍ଦ କରିବା ପାଇଁ ତାଗିଦା କରାଯାଇଥିଲା। ଟାଫ୍‌ ମୁଖ୍ୟ ମାର୍ଶାଲ ବିଲିଂସ୍ଲିଆ କହିଥି​‌େ​‌ଲ ଯେ ଏ ନେଇ ଖସଡ଼ା ପ୍ରସ୍ତୁତ କରାଯିବା ଲାଗି ସ୍ବତନ୍ତ୍ର ବୈଠକ ଆହ୍ବାନ କରାଯିବ। ଏଥିରୁ ସ୍ପଷ୍ଟ ହୋଇଥିଲା ଯେ ପାକିସ୍ତାନ ସରକାର ଉପରୋକ୍ତ ସଂଗଠନଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନ ନେଇ ଆଦୌ ବ୍ୟଗ୍ର ନୁହନ୍ତି; ବରଂ ସେଗୁଡ଼ିକର ସୁରକ୍ଷା ପାଇଁ ଯଥାସମ୍ଭବ ଚେଷ୍ଟିତ। ଆନ୍ତର୍ଜାତିକ ଚାପରେ କେବଳ ଦୃଢ଼ କାର୍ଯ୍ୟାନୁଷ୍ଠାନ ବିଷୟ ଚିନ୍ତା କରାଯାଉଥିବା ବାହାରକୁ ଦର୍ଶାଯାଉଛି; କିନ୍ତୁ ବାସ୍ତବ କ୍ଷେତ୍ରରେ ସେଭଳି କରାଯାଉ ନାହିଁ।
ସୂଚନାନୁଯାୟୀ, ପାକିସ୍ତାନରେ ସକ୍ରିୟ ଆତଙ୍କବାଦୀ ସଂଗଠନଗୁଡ଼ିକ ଆନ୍ତର୍ଜାତିକ ଚାପରୁ ବର୍ତ୍ତିବା ପାଇଁ କେବଳ ନାମ ବଦଳାଇ ଦେଇଥାଆନ୍ତି। ଏହି ପ୍ରକ୍ରିୟାରେ ଜେୟୁଡି ଓ ଏଫ୍‌ଆଇଏଫ୍‌ ନିଜର ନାମ ପରିବର୍ତ୍ତନ କରାଯାଇ ଯଥାକ୍ରମେ ‘ଅଲ୍‌ ମଦିନା’ ଓ ‘ଆଇସାର ଫାଉଣ୍ଡେସନ୍‌’ ନାମ ରଖାଯାଇଛି। ଏଭଳି ଅନେକ ସଂଗଠନର ନାମ ପରିବର୍ତ୍ତନ କରାଯାଇଥିଲାବେଳେ ପାକ୍‌ ସରକାର ଏହା ଜାଣି ମଧ୍ୟ ଅଜଣା ରହିଛନ୍ତି। ଅପରପକ୍ଷରେ ଭାରତ ପକ୍ଷରୁ ୪୧ଟି ଆତଙ୍କବାଦୀ ସଂଗଠନକୁ ନିଷିଦ୍ଧ କରାଯାଇଛି। ଏଥିମଧ୍ୟରୁ ଅର୍ଦ୍ଧେକ ପାକିସ୍ତାନରୁ ପରିଚାଳିତ। ଏଗୁଡ଼ିକ ଅନେକ ସମୟରେ ନାମ ବଦଳାଇ ଆତଙ୍କବାଦରେ ସକ୍ରିୟ ଥିବା ପ୍ରମାଣିତ ହୋଇଛି। ଥରେ ନାମ ବଦଳାଇବା ପରେ ପାକ୍‌ ସରକାର ସେଗୁଡ଼ିକ ଉପରୁ ନିଷେଧାଦେଶ ପ୍ରତ୍ୟାହାର କରିନିଅନ୍ତି। ହାଫିଜ ସଇଦ ଦ୍ବାରା ପ୍ରଥମେ ଲସ୍କର ସଗଠନ ଗଠିତ ହୋଇଥିଲା। ପରେ ଜେୟୁଡି ଓ ଏବେ ଏଫ୍‌ଆଇଏଫ ନାମରେ ସେ ସକ୍ରିୟ ରହିଛି। ପାକିସ୍ତାନର ତତ୍କାଳୀନ ରାଷ୍ଟ୍ରପତି ୨୦୧୮ରେ ଲସ୍କର-ଇ-ତଏବା, ପାସବାନ୍‌-ଇ-ଆହଲେ-ହାଦିତ୍‌ ଏବଂ ପାସ୍‌ବାନ-ଇ-କାଶ୍ମୀର ଭଳି ସଂଗଠନକୁ ଏକ ଅଧ୍ୟାଦେଶ ବଳରେ ନିଷିଦ୍ଧ କରିଥିଲେ; କିନ୍ତୁ ହାଫିଜ ସଇଦ ଏହା ବିରୋଧରେ ଅଦାଲତରେ ଆବେଦନ କରିଥିଲା। ଅଗଷ୍ଟରେ ନୂଆ ସରକାର ଆସିବା ପରେ ସଂସଦରେ ଏ ନେଇ କୌଣସି ପଦକ୍ଷେପ ନ ନେବାରୁ ସ୍ବତଃ ନିଷେଧାଦେଶ ଅକାମୀ ହୋଇଗଲା। ପରେ ଅକ୍ଟୋବର ମାସରେ ସରକାର ଜେୟୁଡି ଓ ଏଫ୍‌ଆଇଏଫ୍‌ ଉପରୁ ନିଷେଧାଦେଶ ହଟାଇ ନେଲେ ଏବଂ ନଭେମ୍ବରରେ ସଇଦ ଜେଲ୍‌ରୁ ମୁକୁଳିଥିଲା। ୨୦୧୭ରେ ସରକାର ଜେୟୁଡି ଉପରେ ଚଢ଼ଉ ଜାରି ରଖବି ଫଳରେ ଏହି ସଂସ୍ଥାର ନାମ ପରିବର୍ତ୍ତନ କରାଯାଇ ‘ତେରିକ୍‌-ଇ-ଆଜାଦି ଜାମ୍ମୁ ଏଣ୍ଡ କାଶ୍ମୀର ରଖାଯାଇଥିଲା। ପରେ ଏହି ସଂଗଠନ ନିଷିଦ୍ଧ ହୋଇଥିଲା।

Leave A Reply