ତାଲିବାନକୁ ମିଳୁଛି ପାକିସ୍ତାନ ନାଗରିକଙ୍କ ବିପୁଳ ସମର୍ଥନ

ଆଫଗାନିସ୍ତାନରେ ଚାଲିଥିବା ଆକ୍ରମଣ, ବିସ୍ଫୋରଣ ପାଇଁ ତାଲିବାନ ଦାୟୀ ନୁହେଁ: ପାକ୍‍ ବୈଦେଶିକ ମନ୍ତ୍ରୀ

ଇସଲାମାବାଦ: ପାକିସ୍ତାନ ଜନସାଧାରଣଙ୍କ ପକ୍ଷରୁ ତାଲିବାନ ଆତଙ୍କବାଦୀଙ୍କୁ ସଂପ୍ରତି ବିପୁଳ ସମର୍ଥନ ମିଳିବାରେ ଲାଗିଛି । ଆଫଗାନିସ୍ତାନରୁ ଆମେରିକା ନିଜ ସୈନ୍ୟ ପ୍ରତ୍ୟାହାର କରିବା ପରେ ଦେଶରେ ତାଲିବାନ ଆତଙ୍କିମାନେ ଗୋଟିଏ ପରେ ଗୋଟିଏ ଅଞ୍ଚଳ ନିଜ ଅକ୍ତିଆରକୁ ନେଇ ସେଠାରେ ଆକ୍ରମଣ, ବିସ୍ଫୋରଏ ହତ୍ୟାକାଣ୍ଡ ଘଟାଇ ଚାଲିଥିବାବେଳେ ଏଥିପାଇଁ କିନ୍ତୁ ସେମାନଙ୍କୁ ଦାୟୀ କରିବାକୁ ପ୍ରସ୍ତୁତ ନାହାନ୍ତି ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମାହମୁଦ କ୍ୟୁରେସି । ସେ କହିଛନ୍ତି, ଆଫଗାନିସ୍ତାନରେ ଘଟୁଥିବା ହିଂସା ଘଟଣା ପାଇଁ ତାଲିବାନକୁ ଦାୟୀ କରାଯାଇପାରିବ ନାହିଁ, ବରଂ ଏଥିପାଇଁ ଆଫଗାନିସ୍ତାନ ଦାୟୀ । ଇତିମଧ୍ୟରେ ଟ୍ୱିଟରରେ ‘ତାଲିବାନ ଆୱାର ଗାର୍ଡିଅନ୍‍ସ’ ଶୀର୍ଷକରେ ହଜାର ହଜାର ପାକିସ୍ତାନ ନାଗରିକ ନିଜର ସମର୍ଥ ଜଣାଇବାରେ ଲାଗିଛନ୍ତି । ଶୁକ୍ରବାର ଦିନ ପାକିସ୍ତାନ ନାଗରିକମାନେ ଦେଶରେ ଏହି ଶୀର୍ଷକରେ ଟ୍ୱିଟରରେ ଏକ ଟ୍ରେଣ୍ଡ୍‍ ଆରମ୍ଭ କରିଛନ୍ତି ଏବଂ ଏଥିରୁ ତାଲିବାନ ଇସଲାମୀୟ ମୌଳବାଦୀଙ୍କ ପ୍ରତି ଦେଶର ସାମରିକ, ରାଜନୈତିକ ଓ ସାଧାରଣ ଜନତାଙ୍କର ବିପୁଳ ସମର୍ଥନ ରହିଥିବା ପ୍ରତିପାଦିତ ହେଉଛି । ତେବେ ଏଭଳି ଧାରା ଅତ୍ୟନ୍ତ ବିପଜ୍ଜନକ ବୋଲି ମତ ଦେଇଛନ୍ତି ପାକିସ୍ତାନର ପୂର୍ବତନ କୁଟନୀତିଜ୍ଞ ହୁସେନ ହକାନି ।

Comments are closed.