ବିଜେପି ନେତାଙ୍କ ହତ୍ୟାକୁ ନେଇ କାଶ୍ମୀରରେ ବିକ୍ଷୋଭ

0

ଜାମ୍ମୁ : ରାଜ୍ୟ ବିଜେପି ନେତା ଅନିଲ ପରିହାର ଓ ତାଙ୍କ ଭାଇଙ୍କୁ ହତ୍ୟା ପ୍ରତିବାଦରେ ଶୁକ୍ରବାର ଜାମ୍ମୁ-କାଶ୍ମୀରର ଜାମ୍ମୁ ଡିଭିଜନରେ ବଡ ଧରଣର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଜାମ୍ମୁ, ଉଦ୍ଦାମପୁର, ରାମବାନ, କଠୁଆ, ସାମ୍ବା, ରୈସି ଓ ଭଦେରୱା ଅଞ୍ଚଳରେ ବିଜେପି ଓ ଭାରତୀୟ ଜନତା ଯୁବ ମୋର୍ଚ୍ଚାର କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। କର୍ମୀମାନେ ବିଭିନ୍ନ ସ୍ଥାନରେ ରାସ୍ତା ରୋକ କରି ଗାଡିମୋଟର ଅଟକାଇଥିଲେ। ସେମାନେ ପାକିସ୍ତାନ ବିରୋଧୀ ସ୍ଲୋଗାନ ଦେବା ସହ ହତ୍ୟାକାଣ୍ଡରେ ଜଡିତ ଆତଙ୍କବାଦୀଙ୍କୁ ନିପାତ କରିବାକୁ ଦାବି କରିଥିଲେ। ତେବେ ଏହି ବିକ୍ଷୋଭ ଶାନ୍ତିପୂର୍ଣ୍ଣ ଥିଲା। ବିକ୍ଷୋଭ ସମୟରେ କୌଣସି ପ୍ରକାର ଅପ୍ରୀତିକର ଘଟଣା ଘଟି ନଥିଲା। ବିକ୍ଷୋଭକୁ ଦୃଷ୍ଟିର ରଖି ବିଭିନ୍ନ ସ୍ଥାନରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। କିସ୍ତୱାର ଜିଲାପାଳ ଇଂରେଜ ସିଂହ ରାଣା କହିଛନ୍ତି ଯେ ବିଜେପି ନେତାଙ୍କ ହତ୍ୟାକୁ ନେଇ ଲାଗୁ କରାଯାଇଥିବା କର୍ଫ୍ୟୁକୁ ଡୋଡା ଜିଲାକୁ ସମ୍ପ୍ରସାରଣ କରାଯାଇଛି। ଗୁରୁବାର ରାତିରେ ରାଜ୍ୟ ବିଜେପିର ସମ୍ପାଦକ ଅନିଲ ପରିହାର (୫୨) ଓ ତାଙ୍କ ବଡ ଭାଇ ଅଜିତ୍‍ ପରିହାର (୫୫)ଙ୍କୁ ଆତଙ୍କବାଦୀମାନେ ଗୁଳିକରି ହତ୍ୟା କରିଥିଲେ। କିସ୍ତୱାର ସହରରେ ଥିବା ନିଜର ମନୋହରୀ ଦୋକାନ ବନ୍ଦ କରି ଦୁଇ ଭାଇ ଘରକୁ ଫେରୁଥିବାବେଳେ ସେମାନେ ହତ୍ୟାର ଶିକାର ହୋଇଥିଲେ।

Leave A Reply