ଉତ୍ତରାଖଣ୍ଡରେ ପ୍ରକୃତିର କରାଳ ତାଣ୍ଡବ, ହିମସ୍ଖଳନ ଯୋଗୁ ଅଳକାନନ୍ଦା ଓ ଧଉଳିଗଙ୍ଗାରେ ଭୟଙ୍କର ବନ୍ୟା

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ, ସମସ୍ତ ପ୍ରକାର ସହାୟତା ପ୍ରଦାନ ପାଇଁ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ପ୍ରତିଶ୍ରୁତି

  • ଉଦ୍ଧାର କାର୍ଯ୍ୟରେ ସେନାବାହିନୀ ନିୟୋଜିତ
  • ହେଲପ ଲାଇନ ନମ୍ବର ୯୫୫୭୪୪୪୪୮୬ ଏବଂ ୧୦୭୦ ଜାରି
  • ୩ ମୃତ, ୧୬ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର

ଉତ୍ତରାଖଣ୍ଡ: ଆଜି ଉତ୍ତରାଖଣ୍ଡରେ ପ୍ରକୃତିର କରାଳ ତାଣ୍ଡବ ଦେଖିବାକୁ ମିଳିଛି। ହଠାତ୍‌ ବରଫ ଅତଡା ଖସି ପଡ଼ିବାରୁ ଧଉଳିଗଙ୍ଗା ନଦୀରେ ଭୟଙ୍କର ବନ୍ୟା ପରିସ୍ଥିତି ଉପଜୁଛି। ଫଳରେ ଉତ୍ତରାଖଣ୍ଡ ଚମୋଲିରେ ଭାସିଯାଇ ୧୫୦ ନିଖୋଜ ହୋଇଥିବା ଜଣାପଡ଼ିଛି। ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ ହୋଇଥିଲେ ସୁଦ୍ଧା ବର୍ତ୍ତମାନ ସୁଦ୍ଧା ନିଖୋଜ ଥିବା ୩ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାବେଳେ ୧୬ଜଣଙ୍କୁ ଉଦ୍ଧାର କରାଯାଇଛି। ତେବେ ଚମୋଲିରେ ଭାସିଯାଇ ନିଖୋଜ ଥିବା ବ୍ୟକ୍ତିଙ୍କ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବ ଆଶଙ୍କା କରାଯାଉଛି।
ଉତ୍ତରାଖଣ୍ଡ ଆକସ୍ମିକ ବନ୍ୟାରେ ୩ ମୃତଦେହ ଉଦ୍ଧାର କରାଯାଇଛି। ଚାମୋଲି ତପୋବନ ଏନ୍‌ଟିପିସି ସାଇଟ୍‌ରୁ ମିଳିଛି ୩ ମୃତଦେହ। ତପୋବନ ଡ୍ୟାମ୍‌ରେ ଫସି ରହିଥିବା ୧୬ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।
ଉତ୍ତରାଖଣ୍ଡରେ ହିମସ୍ଖଳନରୁ ବଡ଼ ଧରଣର ବନ୍ୟା ଯୋଗୁ ଅଘଟଣ ଘଟିଛି। ଯୋଶୀମଠରେ ହିମସ୍ଖଳନ ହେବାରୁ ବଡ଼ ଧରଣର ବନ୍ୟା ପରିସ୍ଥିତି ଉପୁଜିଛି। ଅଳକାନନ୍ଦା ଓ ଧଉଳିଗଙ୍ଗାରେ ଭୟଙ୍କର ବନ୍ୟା ଦେଖାଦେଇଛି। ଫଳରେ ଋଷିଗଙ୍ଗା ପାୱାର ପ୍ରକଳ୍ପ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ତେବେ ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ଘଟଣାସ୍ଥଳକୁ ଏନ୍‌ଡିଆର୍‌ଏଫ୍‌ ଟିମ୍ ପଠାଯାଇଛି। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ। ସମସ୍ତ ପ୍ରକାର ସହାୟତା ପ୍ରଦାନ ପାଇଁ ସ୍ବରାଷ୍ଟ୍ର ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ଉତ୍ତରାଖଣ୍ଡରେ ହିମସ୍ଖଳନ ଯୋଗୁ ସୃଷ୍ଟି ହୋଇଥିବା ପ୍ରାକୃତିକ ବିପର୍ଯ୍ୟୟ ନେଇ ସବୁ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି।


ଉତ୍ତରାଖଣ୍ଡରେ ଆକସ୍ମିକ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାରୁ ସେନାବାହିନୀକୁ ଡକରା ହୋଇଛି। ବର୍ତ୍ତମାନସୁଦ୍ଧା ଘଟଣାସ୍ଥଳ ଅଭିମୁଖେ ସେନାବାହିନୀର ୬ଶହ ଯବାନଙ୍କ ଯାତ୍ରା କରିଛନ୍ତି। ଉଦ୍ଧାର କାର୍ଯ୍ୟରେ ଏକାଧିକ ହେଲିକପ୍ଟର ମୁତୟନ କରାଯାଇଛି। ସେଠାରେ ଆଇଟିବିପି, ଏସ୍‌ଡିଆର୍‌ଏଫ୍‌, ଏନ୍‌ଡିଆର୍‌ଏଫ୍‌ ଯବାନଙ୍କ ଦ୍ବାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଉତ୍ତରାଖଣ୍ଡ ମୁଖ୍ୟ ଶାସନ ସଚିବ ରେଡ୍‌ ଆଲର୍ଟ ଜାରି କରିଛନ୍ତି। ଏପରିକି ଯୋଶୀମଠ ଓ ଶ୍ରୀନଗର ପର୍ଯ୍ୟନ୍ତ ହାଇ ଆଲର୍ଟ ଜାରି କରାଯାଇ ଥିବା ସୂଚନା ଦିଆଯାଇଛି।
ସେପଟେ ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାରେ ବରଫ ଅତଡା ଖସିବା ଯୋଗୁଁ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉତ୍ତର ପ୍ରଦେଶ ସମ୍ବନ୍ଧିତ ବିଭାଗ ଓ ଅଧିକାରୀଙ୍କୁ ହାଇ ଆଲର୍ଟରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସରକାରୀ ପ୍ରବକ୍ତା କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ବିପର୍ଯ୍ୟୟ ପ୍ରଶମନ ବଳଙ୍କୁ ଆଲର୍ଟ ରହିବାକୁ ନିର୍ଦେଶ ଦେଇଛନ୍ତି।

ଗଙ୍ଗା ନଦୀ କୂଳରେ ପଡୁଥିବା ସମସ୍ତ ଜିଲାର ଜିଲା ଅଧିକାରୀ ଓ ପୁଲିସ ଅଧିକ୍ଷକଙ୍କୁ ସତର୍କ ରହିବାକୁ ନିର୍ଦେଶ ଦିଆଯାଇଛି। ଡେରାଡୁନରେ ଉଚ୍ଚ ସ୍ଥରୀୟ ବୈଠକ ଡକାଯାଇଛି। ମୁଖ୍ୟ ସଚିବ ଓମ ପ୍ରକାଶଙ୍କ ସମେତ ଅନେକ ବରିଷ୍ଠ ଅଧିକାରୀବୈଠକ ପାଇଁ ପହଞ୍ଚିଛନ୍ତି। ଗାଜିଆବାଦର ଏନଡିଆରଏଫର ୮ଟି ବାଟାଲିୟନ ଉତ୍ତରାଖଣ୍ଡ ଗସ୍ତରେ ଯାଇଛନ୍ତି। ଡଗ୍ ସ୍କ୍ୱାର୍ଡ ଟିମ ଅତ୍ୟାଧୁନିକ ଯନ୍ତ୍ରପାତି ସହ ୪୫ ଲୋକଙ୍କ ଟିମ ଉତ୍ତରାଖଣ୍ଡ ବାହାରିଛନ୍ତି। ଉତ୍ତରାଖଣ୍ଡ ସରକାର ଏହି ଦୁର୍ଘଟଣାକୁ ନେଇ ହେଲପ ଲାଇନ ନମ୍ବର ୯୫୫୭୪୪୪୪୮୬ ଏବଂ ୧୦୭୦ ଜାରି କରିଛନ୍ତି।
ସୂଚନା ଅନୁଯାୟୀ, ଚମୋଲୀ ଜିଲାର ରେଣୀ ଗ୍ରାମରେ ହିମସ୍ଖଳନ ଯୋଗୁ ଏଠାରେ ପାଓ୍ୱାର ପ୍ରକଳ୍ପ ଋଷି ଗଙ୍ଗାରେ ବ୍ୟାପକ କ୍ଷତି ହୋଇଛି । ପ୍ରଶାସନର ଏକ ଟିମ୍ ଘଟଣାସ୍ଥଳକୁ ଗସ୍ତ କରିଛି। ଖବର ଆସିବା ପରେ ପ୍ରଶାସନ ଆଲର୍ଟରେ ରହିଛି। ଏନଡିଆରଏଏଫ ଟିମକୁ ଉଦ୍ଧାର କାର୍ଯ୍ୟ ପାଇଁ ମୁତୟନ କରାଯାଇଛି।
ଏହା ମଧ୍ୟରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ୍‌ କହିଛନ୍ତି ଯେ ଚମୋଲୀ ଜିଲାରେ ବିପର୍ଯ୍ୟୟ ନେଇ ସୂଚନା ମିଳିଛି । ଜିଲା ପ୍ରଶାସନ, ପୋଲିସ ଓ ଉଦ୍ଧାରକାରୀ ଦଳକୁ ମୁକାବିଲା ପାଇଁ ନିର୍ଦେଶ ଦିଆଯାଇଛି। ଏହାସହ କୌଣସି ପ୍ରକାର ଗୁଜବରେ ବିଶ୍ୱାସ ନକରିବାକୁ ସେ କହିଛନ୍ତି। ସରକାର ଆବଶ୍ୟକୀୟ ପଦକ୍ଷେପ ନେଉଥିବା ସେ ଭରସା ଦେଇଛନ୍ତି।

Comments are closed.