କର୍ଣ୍ଣାଟକ, ମହାରାଷ୍ଟ୍ର, ଗୁଜରାଟରେ ତଉକତେର ତାଣ୍ଡବ ଲୀଳା; ସୋମବାର ରାତି ପ୍ରାୟ ୮.୩୦ରେ ସ୍ଥଳଭାଗ ଛୁଇଁଲା

ମୁମ୍ବଇ/ଅହମଦାବାଦ: ଆରବ ସାଗରରେ ସୃଷ୍ଟି ହୋଇଥିବା ଅତି ଭୟଙ୍କର ସାମୁଦ୍ରକି ଝଡ କେରଳ, ଗୋଆ ସମେତ ମହାରାଷ୍ଟ୍ର, କର୍ଣ୍ଟାଟକ ଓ ଗୁଜରାଟରେ ବ୍ୟାପକ ଧନ ଜୀବନ ହାନି ଘଟାଇଛି। ଶେଷରେ ସୋମବାର ରାତି ପ୍ରାୟ ୮.୩୦ରେ ଏହା ଗୁଜରାଟରେ ସ୍ଥଳଭାଗ ଛୁଇଁଛି। ଏହାର ପ୍ରଭାବରେ ଏହିସବୁ ରାଜ୍ୟରେ ନାହିଁନଥିବା କ୍ଷୟକ୍ଷତି ଘଟିଛି। ମିଳିଥିବା ଖବର ଅନୁଯାୟୀ ତଉକତେ ପ୍ରଭାବରେ କର୍ଣ୍ଣାଟକର ୧୨୧ଟି ଗ୍ରାମ ଗୁରୁତର କ୍ଷତିଗ୍ରସ୍ତ ହୋଇଥିବାବେଳେ ରାଜ୍ୟରେ ୮ଜଣଙ୍କର ପ୍ରାଣହାନି ଘଟିଛି। ସେହିଭଳି ମହାରାଷ୍ଟ୍ରରେ ଏହାର ପ୍ରଭାବରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ରିପୋର୍ଟ ମିଳିଛି। ତଉକତେ କାରଣରୁ ମୁମ୍ବଇ ମହାନଗରୀରେ ବିପୁଳ କ୍ଷୟକ୍ଷତି ଘଟିଛି। ଏଥିସହିତ ସମୁଦାୟ ସହର ଜଳାର୍ଣ୍ଣବ ହୋଇଯାଇଛି। ଗୁଜରାଟରେ ପ୍ରାୟ ୨ ଲକ୍ଷ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବାବେଳେ ଏହା ସୋମବାର ରାତିରେ ରାଜ୍ୟରେ ସ୍ଥଳଭାଗ ଛୁଇଁବା ବେଳକୁ ଏହାର ବେଗ ଘଣ୍ଟାପ୍ରତି ୧୫୫ରୁ ୧୬୦ କିଲୋମିଟର ପର୍ଯ୍ୟନ୍ତ ରହିଥିଲା। ସମୟେ ସମୟେ ତାହା ୧୯୦ କିଲୋମିଟର ପର୍ଯ୍ୟନ୍ତ ମଧ୍ୟ ବୃଦ୍ଧିପାଇଥିଲା। ଶେଷରେ ମଧ୍ୟରାତି ସୁଦ୍ଧା ଏହାର ସ୍ଥଳଭାଗ ପ୍ରବେଶ ପ୍ରାୟତଃ ଶେଷ ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ପରେ ଏହା କ୍ରମଶଃ ଦୁର୍ବଳ ହେବାରେ ଲାଗିଛି। ତଉକତେ ପ୍ରଭାବରେ କେରଳରେ ମଧ୍ୟ ୭ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ରାଜ୍ୟରେ ୧୫୦୦ରୁ ଅଧିକ ବାସଗୃହ ପ୍ରଭାବିତ ହୋଇଛି। ବାତ୍ୟା ପ୍ରଭାବିତ ସମସ୍ତ ରାଜ୍ୟରେ ଅନେକ ସ୍ଥାନରେ ବଡ ବଡ ଗଛ, ବିଦ୍ୟୁତ ଖୁଣ୍ଟ, ଟେଲିଫୋନ ଟାୱାର ଆଦି ଉପୁଡିଥିବା ଦେଖିବାକୁ ମିଳିଛି। ସମସ୍ତ ରାଜ୍ୟରେ ଏନଡିଆରଏଫ, ଅଗ୍ନିଶମ ବିଭାଗ କର୍ମଚାରୀ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଏଥିରେ ଭାରତୀୟ ସେନା ମଧ୍ୟ ସାମିଲ ହୋଇଛି। ବାତ୍ୟା ଆସିବା ପୂର୍ବରୁ ଅସ୍ଥାୟୀ କୋଭିଡ ଚିକିତ୍ସା କେନ୍ଦ୍ରରୁ ରୋଗୀମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା। ବାତ୍ୟା ପ୍ରଭାବିତ ସମସ୍ତ ରାଜ୍ୟରେ ବିଦ୍ୟୁତ ଯୋଗାଣ ପୁନଃ ବାହାଲ କରିବା ସହିତ ସଡକ ଯୋଗାଯୋଗ ବ୍ୟବସ୍ଥା ଖୋଲିବା ଉପରେ ଅଗ୍ରାଧିକାର ଦିଆଯାଉଛି। ଏଥିସହିତ ଡାକ୍ତରଖାନାଗୁଡିକୁ ନିରବଚ୍ଛିନ୍ନ ଅମ୍ଳଜାନ ଯୋଗାଣ ଉପରେ କର୍ତ୍ତୃପକ୍ଷ ବରାବର ନଜର ରଖିଛନ୍ତି। ପ୍ରଭାବିତ ରାଜ୍ୟଗୁଡିକରେ ଉଦ୍ଧାରକାରୀ ଓ ରିଲିଫ ଦଳ ସହିତ ଚିକିତ୍ସା ଦଳ ମଧ୍ୟ ପହଞ୍ଚି ଲୋକଙ୍କୁ ସେବା ଯୋଗାଇବା ଆରମ୍ଭ କରିଛନ୍ତି। ଗତକାଲି ବାତ୍ୟା କାରଣରୁ ଗୁଜରାଟ ଅହମଦାବାଦ, ସୁରଟ, ବଡୋଦରା ସମେତ ମହାରାଷ୍ଟ୍ରର ମୁମ୍ବଇ ଆଦି ସ୍ଥାନରେ ବିମାନବନ୍ଦରଗୁଡିକୁ ଦୀର୍ଘ ସମୟ ପାଇଁ ବନ୍ଦ କରିଦିଆଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବାତ୍ୟା ପ୍ରଭାବିତ ରାଜ୍ୟଗୁଡିକର ମୁଖ୍ୟମନ୍ତ୍ରୀମାନଙ୍କ ସହିତ କଥାହେବେ ବୋଲି ଜଣାଯାଇଛି।

Comments are closed.