ଗଣଶିକ୍ଷା ବିଭାଗର ବିଚିତ୍ର ନୀତି, ଗୋଟିଏ ବିଭାଗରେ ହୋଇପାରୁନି ତଥ୍ୟ ଆଦାନ ପ୍ରଦାନ

ଗଣଶିକ୍ଷା ବିଭାଗ ଅଧୀନରେ ରାଜ୍ୟର ସମସ୍ତ ଯୁକ୍ତ ଦୁଇ ମହାବିଦ୍ୟାଳୟ କାର୍ଯ୍ୟ କରୁଥିଲେ ମଧ୍ୟ ସେହି ବିଭାଗ ଅଧିନସ୍ଥ ସାମସରୁ ତଥ୍ୟ ପ୍ରଦାନ ନେଇ ବ୍ୟବସ୍ଥା ନ ହେବା ଫଳରେ ରାଜ୍ୟରେ ଥିବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ପୂର୍ବର +୨ ମହାବିଦ୍ୟାଳୟ) ଗୁଡିକରେ ଏକ ପ୍ରକାର ଅଚଳାବସ୍ଥା ଦେଖାଦେଇଛି। ମିଳିଥିବା ସୂଚନାରୁ ଜଣାପଡିଛି ଯେ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ଓଡିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ପକ୍ଷରୁ ପ୍ରତ୍ୟେକ ଶିକ୍ଷା ବର୍ଷ ଆରମ୍ଭ ହେବା ପରେ ସମସ୍ତ ବିଦ୍ୟାଳୟ ପକ୍ଷରୁ ବିଭିନ୍ନ ଶ୍ରେଣୀରେ ଆଡ଼ମିସନ ନେଇଥିବା ଛାତ୍ରଛାତ୍ରୀଙ୍କ ବିବରଣୀ ଦିଆଯାଇଥାଏ। ଏଥିରେ ଥିବା ୟୁ-ଡାଇସ (ୟୂନିଫାଏଡ଼ ଡିଷ୍ଟ୍ରିକ୍ଟ ଇନଫର୍ମେଶନ ସିଷ୍ଟମ ଫର ଏଜୁକେସନ) ଅଧୀନରେ ଥିବା ‘ଏକ୍ସଟେଣ୍ଡେଡ ଏମଆଇଏସ’ରେ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ପାଇଁ ୩୦ ପ୍ରକାର ତଥ୍ୟ ଦେବାକୁ ପଡିଥାଏ।

ତେବେ ଚଳିତ ବର୍ଷ +୨ ଶ୍ରେଣୀରେ ଆଡ଼ମିସନ ପାଇଁ ତାରିଖ ଘୋଷଣା ହେବାର ଅଳ୍ପ କିଛି ଦିନ ପୂର୍ବରୁ ‘ଏକ୍ସଟେଣ୍ଡେଡ ଏମଆଇଏସ’ରେ ରାଜ୍ୟରେ ଥିବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡିକୁ ୨୦୧୯-୨୦ ଶିକ୍ଷା ବର୍ଷରେ ଆଡ଼ମିସନ ନେଇଥିବା ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ସମସ୍ତ ବିବରଣୀ ଦେବାକୁ କୁହାଯାଇଛି। ସାମସ ଅଧୀନରେ ୨୦୧୯-୨୦ ଶିକ୍ଷା ବର୍ଷରେ ଆଡ଼ମିସନ ନେଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ତଥ୍ୟ ଉପଲବ୍ଧ ଥିବା ବେଳେ ସେହି ତଥ୍ୟକୁ ନ ନେଇ ପୁଣି ଥରେ ବିଭାଗ ପକ୍ଷରୁ ସମାନ ତଥ୍ୟ ଆଉ ଥରେ ପୂରଣ କରିବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡିକ ପାଇଁ ଚିନ୍ତାର କାରଣ ହୋଇଛି। କରୋନା କଟକଣା ସମୟରେ କମ ସଂଖ୍ୟକ କର୍ମଚାରୀ ଆସୁଥିବା ବେଳେ ସମସ୍ତ ତଥ୍ୟ ସୀମିତ ସମୟ ମଧ୍ୟରେ ଅପଲୋଡ଼ କରିବା ସମୟସାପେକ୍ଷ ବୋଲି କହିବା ସହ ଅନେକଗୁଡ଼ିଏ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସେମାନଙ୍କ ଅସମର୍ଥତା ପ୍ରକାଶ କରିଛନ୍ତି। ଅନ୍ୟ ପକ୍ଷରେ ‘ଏକ୍ସଟେଣ୍ଡେଡ ଏମଆଇଏସ’ରେ ସ୍ୱତଃ ଏକ୍ସଲ ଫାଇଲ ଅପଲୋଡ଼ ବ୍ୟବସ୍ତା ନ ଥିବାରୁ ଓ କପି ପେଷ୍ଟ ହେଉନଥିବାରୁ ସମସ୍ତ ତଥ୍ୟ ଟାଇପ କରିବା ଫଳରେ ଏହା ନିର୍ଭୁଲ ହେବା ନେଇ ସନ୍ଦେହ ପ୍ରକାଶ ପାଇଛି।

Comments are closed.