ଗଣଶିକ୍ଷା ଓ ଗଣମାଧ୍ୟମ

ସମ୍ପ୍ରତି ସରକାର ଶିକ୍ଷାନୀତିରେ ଅନେକ ପରିବର୍ତ୍ତନ ଆଣିଛନ୍ତି। ଉଦ୍ଦେଶ୍ୟ ହେଉଛି, ଦେଶର ବିଦ୍ୟାର୍ଥୀଙ୍କୁ ଯୁଗୋପଯୋଗୀ, ବିଜ୍ଞାନଭିତ୍ତିକ, ଅନ୍ତର୍ଜାତୀୟସ୍ତରର ଆଧୁନିକ ଶିକ୍ଷା ପ୍ରଣାଳୀ ମାଧ୍ୟମରେ ଉପଯୁକ୍ତ ନାଗରିକ ଭାବରେ ଗଢ଼ି ତୋଳିବା। ଏପରି ବିଚାର ନିଶ୍ଚିତ ଭାବରେ ସ୍ବାଗତଯୋଗ୍ୟ; କିନ୍ତୁ ଏହି ମହତ୍‌ଲକ୍ଷ୍ୟ ଓ ପଦକ୍ଷେପ କେତେଦୂର ଫଳପ୍ରଦ ହେବ, ତାହା ଅବଶ୍ୟ ସମୟ କହିବ।

ବିଦ୍ୟା ହେଉଛି ଜାତିର ପ୍ରାଣଶକ୍ତି ଓ ମେରୁଦଣ୍ଡ। ଦେଶଜାତିର ପ୍ରଗତି ଶିକ୍ଷା ଉପରେ ହିଁ ଆଧାରିତ। ବ୍ୟକ୍ତି, ପରିବାର, ଜାତି ଓ ରାଷ୍ଟ୍ର ଯଦି ଉପଯୁକ୍ତ ଭାବରେ ଶିକ୍ଷିତ ନ ହୁଅନ୍ତି, ତେବେ ରାଷ୍ଟ୍ରର ପ୍ରଗତି ଓ ବିକାଶ ଅସମ୍ଭବ। ଆରଣ୍ୟକ ମନୁଷ୍ୟ ଏଇ ବିଦ୍ୟା ବା ଜ୍ଞାନର ବିକାଶ ମାଧ୍ୟମରେ ସଭ୍ୟ ଶିକ୍ଷିତ ହୋଇପାରିଛି। ସଭ୍ୟତା, ସଂସ୍କୃତି, କଳା, ବିଜ୍ଞାନ, ଦର୍ଶନ, ସ୍ଥାପତ୍ୟ, ସାହିତ୍ୟ ପ୍ରଭୃତି ଯାବତୀୟ ସୃଜନଶୀଳ ପ୍ରେରଣା ଅନ୍ତରାଳରେ ରହିଛି ଏହି ବିଦ୍ୟା। ସେଥିପାଇଁ କୁହାଯାଇଛି-‘ସା ବିଦା ଯା ବିମୁକ୍ତୟେ।’ ବିଦ୍ୟା ଅନ୍ତଃଚେତନାରୁ ତମସା ଦୂର କରି ଆଲୋକିତ କରିଥାଏ। ପ୍ରଜ୍ଞାଦ୍ୟୁତିରେ ଉଦ୍ଭାସିତ ବ୍ୟକ୍ତି ସମାଜକୁ ଓ ରାଷ୍ଟ୍ରକୁ ଦିଗ୍‌ଦର୍ଶନ ଦେଇଥାନ୍ତି। ରାଷ୍ଟ୍ରକୁ ବିକାଶ ପଥରେ ବାହିତ କରିନିଅନ୍ତି।

ଦିନ ଥିଲା ଗୁରୁକୁଳୁ ଯାଇ ଛାତ୍ରମାନେ ଶିକ୍ଷାଲାଭ କରୁଥିଲେ। ପୂର୍ଣ୍ଣାଙ୍ଗ ଶିକ୍ଷା ଲାଭ ପାଇଁ ଶାରୀରିକ, ମାନସିକ, ନୈତିକ ଶିକ୍ଷାକୁ ପ୍ରାଧାନ୍ୟ ଦିଆଯାଉଥିଲା। ପ୍ରାଚୀନକାଳରୁ ବିଦ୍ୟା ଆହରଣ କରିବା ଥିଲା ଜୀବନର ମହାନ ଲକ୍ଷ୍ୟ। ଆଦର୍ଶ ଜୀବନ ପାଇଁ ଶ୍ରେଷ୍ଠ ସାଧନ। ବିଦ୍ୟାର୍ଥୀମାନେ ଶିକ୍ଷା ସମାପ୍ତ ପରେ ଗୁରୁକୁଳରୁ ସମାଜକୁ ଫେରୁଥିଲେ। ରାଜ୍ୟକୁ ସୁଶାସନ ଦେଇ ପାରୁଥିଲେ। ସମାଜକୁ ଉପଯୁକ୍ତ ଦିଗ୍‌ଦର୍ଶନ ଦେଇ ପାରୁଥିଲେ। ଉଚ୍ଚ ଚିନ୍ତାଧାରା, ମାନବିକତା, ମୂଲ୍ୟବୋଧ ପ୍ରଗତି ଓ ବିକାଶ ସମ୍ଭବ ହେଉଥିଲା। ଯେଉଁଠି ଏହାର ବ୍ୟତିକ୍ରମ ଘଟୁଥିଲା, ସେଠାରେ ଅନ୍ୟାୟ, ଅନୀତି, ଅରାଜକତା ରାଜୁତି କରୁଥିଲା। ପଞ୍ଚତନ୍ତ୍ର, ହିତୋପଦେଶ, ଜାତକକଥା, ମିତ୍ରଲାଭ ପ୍ରଭୃତି ଲୋକଶିକ୍ଷାମୂଳକ କାହାଣୀ ଓ ମହାଭାରତ, ରାମାୟଣ, ଶ୍ରୀମଦଭଗବତ୍‌ଗୀତା, ବେଦ, ବେଦାନ୍ତ ପ୍ରଭୃତି ମାଧ୍ୟମରେ ନୈତିକ ଶିକ୍ଷା ଦିଆଯାଇ ସମାଜକୁ ଶୃଙ୍ଖଳିତ ଓ ଉନ୍ନତ କରାଯାଉଥିଲା।

ଏହା ସତ୍ତ୍ବେ ସାମ୍ପ୍ରତିକ ସମାଜ ବ୍ୟବସ୍ଥାରେ ଶିକ୍ଷା ନୈତିକ ଓ ମାନସିକ ବିକାଶଠାରୁ ଦୂରେଇଗଲା ପରି ମନେ ହେଉଛି। ଏପରି ଏକ ବିବଦମାନ କଥା କହିବାରେ ଦ୍ବିଧା ନାହିଁ ଯେ ଆଜିର ଶିକ୍ଷା ବହୁଭାବରେ ଅର୍ଥକରୀ ବିଦ୍ୟା ହୋଇଛି। ଜୀବନ ପାଇଁ ଅର୍ଥର ଆବଶ୍ୟକତା ଅନିବାର୍ଯ୍ୟ; କିନ୍ତୁ ଅର୍ଥ ଜୀବନର ସର୍ବଶେଷ ଲକ୍ଷ୍ୟ ନୁହେଁ।

ଅନେକ ବୁଦ୍ଧିଜୀବୀଙ୍କ ମତରେ, ଆଜିର ଯୁବପିଢ଼ିଙ୍କ ଉପରେ ବାପା ମାଆ, ଅଭିଭାବକ, ଗୁରୁ ଗୁରୁଜନ, ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଅପେକ୍ଷା ସେଲିବ୍ରେଟି ଅଭିନେତା, ଅଭିନେତ୍ରୀ, କ୍ରୀଡ଼ାବିତ୍‌, ରାଜନେତାଙ୍କର ପ୍ରଭାବ ଅଧିକ। ତା ସହିତ ସୋସିଆଲ ମିଡିଆ ମଧ୍ୟ ଚପଳମତି ଛୋଟଛୁଆ, କିଶୋର କିଶୋରୀ, ଯୁବକ ଯୁବତୀଙ୍କୁ ନାନା ଭାବରେ ବିଭ୍ରାନ୍ତ କରୁଛି। ଏ ସବୁ ସତ୍ୟକୁ ଆମକୁ ସ୍ବୀକାର କରିବାକୁ ହେବ। ଏମାନେ ହିଁ ଯୁବପିଢ଼ିର ଆଦର୍ଶ। ଶିକ୍ଷା ଆଉ ବିଦ୍ୟା,  ଜ୍ଞାନ ପ୍ରଜ୍ଞା ସ୍ତରକୁ ଉନ୍ନୀତ ହେବାର ସମ୍ଭାବନା କ୍ଷୀଣ। ଫଳରେ ମାନସିକ ଓ ନୈତିକ ଶିକ୍ଷା ବ୍ୟାହତ ହେଉଛି। ଯେଉଁ ସେଲିବ୍ରେଟିମାନଙ୍କୁ ଛାତ୍ର, ଯୁବସମାଜ ଓ ଆଜିର ସମାଜ ଅନୁସରଣ ଓ  ଅନୁକରଣ କରୁଛନ୍ତି, ସେମାନଙ୍କ ନୈତିକତା, ଜୀବନଚର୍ଯ୍ୟା ଓ ବ୍ୟକ୍ତିଗତ ଜୀବନର ନାନାବିଧ ସ୍ଖଳନ ଆଜି ହାଟରେ ପଡ଼ି ଦାଣ୍ଡରେ ଗଡ଼ ଗଡ଼ଉଛି। ଏପରି ବ୍ୟକ୍ତିଙ୍କର ପ୍ରଭାବ ପରବର୍ତ୍ତୀ ଯୁବମାନସକୁ କେଉଁ ଆଦର୍ଶ ଶିକ୍ଷା ଦେବ ? ତହିଁରୁ କି ପ୍ରକାର ନାଗରିକ ଗଢ଼ା ହେବେ ? ତାହା ଅବଶ୍ୟ ପ୍ରଶ୍ନବାଚୀ।

ସେମାନଙ୍କୁ ଅନୁକରଣ କରି, ଅତ୍ୟାଧୁନିକତା ନାମରେ ଆଜିର ଝିଅମାନେ ଯେପରି ସଂକ୍ଷିପ୍ତରୁ ସଂକ୍ଷିପ୍ତତମ ବେଶ ପୋଷାକ ପରିଧାନ କରୁଛନ୍ତି, ତାହା କାହାକୁ ଅଜଣା ନାହିଁ। ଯୌନ ଉଦ୍ଦୀପକ, ଉନ୍ମୁକ୍ତ ନୃତ୍ୟଗୀତ, ସଂକ୍ଷିପ୍ତବେଶ ପୋଷାକ, ଆଚରଣରେ ଉଗ୍ର ଅତ୍ୟାଧୁନିକ ଉଚ୍ଛୃଙ୍ଖଳତା ଓ ସ୍ବେଚ୍ଛାଚାରୀ ମନୋଭାବ-ନାରୀ ସମାଜର ବିପତ୍ତିର କାରଣ ହୋଇଛି। ଏଥିପାଇଁ କେତେ ଅଘଟଣ ଘଟୁଛି ତାହା କାହାକୁ ଅଜଣା ନାହିଁ। ନିଶାଦ୍ରବ୍ୟ ସେବନ, ଭୋଗ ବାସନା, ନୈତିକତା ବିହୀନ ଜୀବନଧାରା, ଆଜି ସାମାଜିକ ଶୃଙ୍ଖଳା ଓ ସ୍ଥିତାବସ୍ଥାକୁ ଦୋହଲାଇ ଦେଉଛି। ଫଳରେ ବିନା ଦୋଷରେ ବହୁ ନିରୀହ ଝିଅ ଜହ୍ଲାଦମାନଙ୍କ ରାକ୍ଷସୀୟ ପ୍ରବୃତ୍ତିର ଶିକାର ହେଉଛନ୍ତି। ପ୍ରତ୍ୟହ ଏପରି ହିଂସା ଓ ଅମାନବୀୟ ଘଟଣାର ଖବର ସମ୍ବାଦପତ୍ରରେ ଦେଖିବାକୁ ମିଳୁଛି। ସମାଜ ଆଜି ଝିଅମାନଙ୍କୁ ସୁରକ୍ଷା ଦେଇ ପାରୁ ନାହିଁ। ପୁଲିସ, ଆଇନକାନୁନ ମଧ୍ୟ ଯଥାର୍ଥ ସୁରକ୍ଷା ଦେବାକୁ ଅସମର୍ଥ।

ଏଠାରେ ଆଉ ଏକ ଗୁରୁତର ସମସ୍ୟା ଉଲ୍ଲେଖ କରାଯାଇପାରେ। ସମାଜର ବୃହତ୍ତର ଓ ମହତ୍ତର କଲ୍ୟାଣ ଦୃଷ୍ଟିରୁ ଏ ଦିଗରେ ପାଠକମାନଙ୍କ ସଚେତନ ଦୃଷ୍ଟି ଆକର୍ଷଣ କରାଯାଉଛି। ଇଲେ​‌େ​କ୍ଟ୍ରାନିକ୍ସ ମିଡ଼ିଆଗୁଡ଼ିକରେ ପ୍ରଦର୍ଶିତ ହେଉଥିବା ବହୁ ସିରିଲରେ ଅନେକ ଅବାସ୍ତବ, ଉଦ୍ଭଟ, କିମ୍ଭୂତକିମାକାର, ନୈତିକତା ବିହୀନ ଦୃଶ୍ୟ ପରିବେଷିତ ହେଉଛି। ଦେଖାଯାଉଛି ମଣିଷ ସାପ ହୋଇଯାଉଛି। ସାପ ମଣିଷ ହେଉଛି। ରାକ୍ଷସ ମଣିଷ ରୂପ ଧରୁଛି। ମଣିଷର ରାକ୍ଷସ ପାଲଟି ଯାଉଛି। ଗୁଣି ଗାରେଡ଼ି, ତନ୍ତ୍ରମନ୍ତ୍ର, କାପାଳିକ, ଭଣ୍ଡ, ନରବଳି ଦେଉଥିବା ତାନ୍ତ୍ରିକ ପ୍ରଭୃତିଙ୍କ କାର୍ଯ୍ୟକଳାପକୁ ନାନା ଭାବରେ ଉପସ୍ଥାପନ କରାଯାଉଛି। ସବୁଠୁ ଲଜ୍ଜାର କଥା ଅଧିକାଂଶ ସିରିଅଲରେ ନାରୀମାନେ ହିଁ ମୁଖ୍ୟ ଖଳନାୟିକା। ସବୁ ପ୍ରକାର ଦୁଷ୍କର୍ମର ସୂତ୍ରଧର। ଘରର ସମ୍ପତ୍ତି, ପ୍ରତିପତ୍ତି, କ୍ଷମତା ହାସଲ ପାଇଁ ସେମାନେ ଯାବତୀୟ ଅପକର୍ମ, ହତ୍ୟା, କୂଟଚକ୍ରାନ୍ତ, ସୁପାରି, ଅପହରଣ, କପଟାଚାର ପରି ସୈତାନୀ, ନାରକୀୟ କାର୍ଯ୍ୟକଳାପରେ ଲିପ୍ତ। ସବୁ ଚକ୍ରାନ୍ତର ମୂଳ ଏହି ନାରୀମାନେ। ନାରୀକୁ ଏପରି ମର୍ଯ୍ୟାଦାହୀନ, ସୈତାନ ଭାବରେ ଚିତ୍ରଣ କରିବା ସାମାଜିକ ଅପରାଧ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହାଦ୍ବାରା ପ୍ରମାଣିତ ହେଉଛି, ଆଜି ବି ନାରୀ ସମାଜକୁ ହୀନ ଦୃଷ୍ଟିରେ ଦେଖିବାର ମନୋବୃତ୍ତି ଯାଇନି।

ସ୍ବାମୀ ଦୟାନନ୍ଦ ସରସ୍ବତୀ କହିଥିଲେ-‘ହଜାର ହଜାର ବର୍ଷର ବିଦେଶୀ ଶତ୍ରୁ ଆକ୍ରମଣ, ପରାଧୀନତା, ପରଦା, ଅଶିକ୍ଷା ସତ୍ତ୍ବେ ଭାରତୀୟ ବୈଦିକ ସଂସ୍କୃତିର ରକ୍ଷାକର୍ତ୍ତୀ ହେଉଛି ଭାରତୀୟ ନାରୀ ସମାଜ।’ ଆଜି ବି ପରିବାର ସୁଖ, ଶାନ୍ତି, ସମୃଦ୍ଧି ପାଇଁ ନାରୀର ଆତ୍ମୋତ୍ସର୍ଗର ପଟାନ୍ତର ନାହିଁ। ମା’, ଭଉଣୀ, ସ୍ତ୍ରୀ, କନ୍ୟା ଯେତେ ରୂପ ତା’ର ଅଛି-ସବୁ ମୂମିକାରେ ନାରୀ ଅନ୍ୟମାନଙ୍କ କଲ୍ୟାଣ ପାଇଁ ନିଜର ସବୁ ସୁଖ ସ୍ବାଚ୍ଛନ୍ଦ୍ୟକୁ ବଳି ଦେଇଥାଏ। ଆଜିର କର୍ମଜୀବୀ ମହିଳାମାନେ ନିଜର ମାନସମ୍ମାନ ଓ ସ୍ଥିତାବସ୍ଥାକୁ ପ୍ରତିଷ୍ଠା କରିବା ପାଇଁ ନାନା ଭାବରେ ସଂଗ୍ରାମ କରୁଛନ୍ତି। ଆଜି ବି ନାରୀ ପରିବାରର ପ୍ରାଣକେନ୍ଦ୍ର। ସେ ଖଳନାୟିକା ହେଲେ ପରିବାର, ରାଷ୍ଟ୍ର, ଦେଶ ଜାତିର ବର୍ତ୍ତମାନ ଓ ଭବିଷ୍ୟତ ଅଚିରେ ଧୂଳିସାତ୍‌ ହୋଇଯିବ। ସହର ହେଉ କି ଗଁା ଗହଳ ହେଉ ନାରୀ ତା’ର ଆଧ୍ୟାତ୍ମିକ, ସାଂସ୍କୃତିକ, ସାମାଜିକ ଆଚାର ବିଚାରକୁ ନିଷ୍ଠାପର ଭାବରେ ପାଳନ କରିଥାଏ। ମାର୍ଗଶିର ମାସରେ ହେଉଥିବା ଲକ୍ଷ୍ମୀପୂଜା ଏହାର ଗୋଟେ ଛୋଟ ଉଦାହରଣ। ପୁରୁଷର ପୌରୁଷ ଓ ବ୍ୟକ୍ତିତ୍ବର ପରାକାଷ୍ଠା ବାହାରେ ପ୍ରଦର୍ଶିତ ହୋଇଥାଏ। ନାରୀର ସ୍ନେହ, ପ୍ରେମ, ତ୍ୟାଗ, ବାତ୍ସଲ୍ୟ, ସେବା, ମମତାର ପାଟଡୋରିରେ ପରିବାର ବନ୍ଧା ହୋଇଥାଏ। ଆଜି ବି ଭାରତୀୟ ନାରୀର ସେ ମହାନତା, ପ୍ରାଣର ଐଶ୍ବର୍ଯ୍ୟ ମ୍ଳାନ ହୋଇଯାଇନି। ତାକୁ ଏପରି ବୀଭତ୍ସ ଭାବରେ ଚିତ୍ରଣ କରିବା କେତେଦୂର ସ୍ପୃହଣୀୟ ? ଯେଉଁମାନେ ନାରୀ ସାପ, ବେଙ୍ଗ, ରାକ୍ଷାସୁଣୀ, ସୈତାନ କରିବାର ନିନ୍ଦନୀୟ ପ୍ରୟାସ କରୁଛନ୍ତି, ସେମାନଙ୍କୁ ପ୍ରଶ୍ନ-ତାଙ୍କ ମାଆ, ତାଙ୍କ ସ୍ତ୍ରୀ, କନ୍ୟା କ’ଣ ଏହିପରି ଗୋଟିଏ ଗୋଟିଏ ସୈତାନ ? ଅନୁରୋଧ, ଏପରି ଅକ୍ଷମଣୀୟ ଅପରାଧ କରିବାରୁ ସେମାନେ କ୍ଷାନ୍ତ ହୁଅନ୍ତୁ। ଏହା ସମାଜକୁ କେଉଁ ଦିଗ୍‌ଦର୍ଶନ ଦେବ ? କେଉଁ ଆଲୋକମୟ ପଥରେ ବାହିତ କରିନେବ ? ଆଜିର ବିଜ୍ଞାନ ଯୁଗରେ ଏପରି ପରିକଳ୍ପନାର ବାସ୍ତବତା ପ୍ରତି ସେମାନେ ଧ୍ୟାନ ଦେବା ଦରକାର।

ସୁଲୋଚନା ଦାସ

ଶ୍ରୀରାମ ନଗର, ବାଦାମବାଡ଼ି, କଟକ,ଫୋ:୯୪୩୭୨୬୯୬୩୯

Comments
Loading...