ନାରୀ ନିର୍ଯାତନା ବିରୋଧରେ ଗଣପ୍ରତିବାଦ

ନିମାପଡ଼ା: ଦେଶରେ ବଢୁଥିବା ନାରୀ ନିର୍ଯାତନା ବିରୋଧରେ ନିମାପଡ଼ାର ସ୍ଵେଚ୍ଛାସେବୀ ଅନୁଷ୍ଠାନ ‘ନ୍ୟାୟ ପାଇଁ ସଂଘର୍ଷ’ ସମିତି ପକ୍ଷରୁ ଗୁରୁବାର ଗଣପ୍ରତିବାଦ କରାଯାଇଛି। ଏଥିରେ ନିମାପଡ଼ାର ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ଅଭିଭାବକ, ବୁଦ୍ଧିଜୀବୀ, ମହିଳା ସଂଗଠନର ସଦସ୍ୟା ଏବଂ ବ୍ୟବସାୟୀମାନେ ସାମିଲ ହୋଇଥିଲେ। ସମସ୍ତେ ପୁରୁଣା ବସ୍‌ଷ୍ଟାଣ୍ଡସ୍ଥିତ ମହାବୀର ମନ୍ଦିର ନିକଟରୁ ପଦଯାତ୍ରାରେ ବାହାରି ବଜାର ପରିକ୍ରମା କରିବା ସହିତ ଦୋଳବେଦୀ ଛକରେ ଥିବା ମୋହନ ଦାସଙ୍କ ପ୍ରତିମୂର୍ତ୍ତି ନିକଟରେ ପହଞ୍ଚିଥିଲେ। ସେଠାରେ ଏକ ସାଧାରଣ ସଭା ଆୟୋଜିତ ହୋଇଥିଲା। ବରିଷ୍ଠ ଆଇନଜୀବୀ ପ୍ରତାପ ଚନ୍ଦ୍ର ମହାନ୍ତିଙ୍କ ସଭାପତିତ୍ଵରେ ପ୍ରଭାକର ଜେନା, ଗୌରାଙ୍ଗଚରଣ ସାହୁ, ଦିଲୀପ ପାତ୍ର, ନିରଞ୍ଜନ ସାହୁ, ଜନରଞ୍ଜନ ସାହୁ, ରେଶ୍ମା ସୁବୁଦ୍ଧି, ଲକ୍ଷ୍ମୀପ୍ରିୟା ସାହୁ, ଦିଲଜିତ ଶ୍ରୀରାଜ ପ୍ରମୁଖ ଯୋଗଦେଇ ହାଇଦ୍ରାବାଦ ଗଣବଳାତ୍କାର ଏବଂ ରାଇରଙ୍ଗପୁର ଅଧ୍ୟାପିକାଙ୍କ ମୃତ୍ୟୁ ଘଟଣାକୁ ନିନ୍ଦା କରିଥିଲେ। ଏହି ମାମଲାର ଅଭିଯୁକ୍ତମାନଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବା ସହିତ ନାରୀ ନିର୍ଯାତନା ରୋକିବା ଲାଗି କଡ଼ା ଆଇନ ଆଣିବାକୁ ସଭାରେ ମତପ୍ରକାଶ ପାଇଥିଲା। ଏହା ସହିତ ଜନସାଧାରଣଙ୍କ ଦସ୍ତଖତ ସମ୍ବଳିତ ଏକ ଦାବିପତ୍ର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରେରଣ କରାଯାଇଥିଲା। ସତ୍ୟ ସନାତନ ପତି, ଜ୍ଞାନରଞ୍ଜନ, ଉତ୍କଳ ନାୟକ, ପ୍ରଦ୍ୟୁମ୍ନ ବେହେରା, ଜୟନ୍ତ ଦଳାଇ ପ୍ରମୁଖ ସଭା ପରିଚାଳନା କରିଥିଲେ।

Comments are closed.